ସାମ୍ୱାଦିକଙ୍କୁ ପୁରୀ ନିମନ୍ତ୍ରଣ କରି ପୋଲିସ୍ ଦ୍ୱାରା ମାଡ ଖୁଆଇଲେ ସରକାର
-
କର୍ଡନ ପାସ୍ ଥାଇ ଛାଡିଲାନି ପୋଲିସ୍
-
ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ
ଭୁବନେଶ୍ୱର, ୨୭/୦୬/୨୦୨୫: ପବିତ୍ର ରଥଯାତ୍ରାରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପୁରୀ ନିମନ୍ତ୍ରଣ କରି ପୋଲିସ ଦ୍ୱାରା ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରୁଛି ।
ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ, କାର୍ଯ୍ୟରତ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକମାନଙ୍କୁ ଭୁବନେଶ୍ୱରର ଜୟଦେବ ଭବନ ନିକଟରୁ ଏକ ସ୍ୱତନ୍ତ୍ର ବସ୍ରେ ପୁରୀ ନେଇଥିଲେ । ସେଠାରେ ପହଞ୍ଚିଲା ପରେ କର୍ଡନ ପାସ୍ ଓ ପରିଚୟପତ୍ର ଦେଖାଇଲେ ମଧ୍ୟ ପୋଲିସ ସେମାନଙ୍କୁ ଖବର ସଂଗ୍ରହ କରିବାକୁ ଦେଇନଥିଲା । ଓଲଟି ପୋଲିସର ଦୃର୍ବ୍ୟବହାର ଓ ମାଡରେ ଅନେକ ବରିଷ୍ଠ ସାମ୍ୱାଦିକ ଗୁରୁତର ଆହତ ହୋଇଥିଲେ । ବରିଷ୍ଠ ସାମ୍ୱାଦିକ ରମେଶ ମହାନ୍ତି ଗୁରୁତର ଆହତ ହୋଇଥିଲା ବେଳେ, ପ୍ରଭୁ କଲ୍ୟାଣ ମହାପାତ୍ର, ପ୍ରଦୁ୍ୟମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହରପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା । ମହିଳା ସାମ୍ୱାଦିକା ବିଜୟିତା ତ୍ରିପାଠୀଙ୍କ ହାତରେ ବଡ କ୍ଷତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ଛଡା ବହୁ ସାମ୍ୱାଦିକ ମଧ୍ୟ ପୋଲିସ ମାଡରେ ଆହତ ହୋଇ ନିଜ ଦାୟିତ୍ୱ ସମ୍ପାଦନ କରିପାରିନାହାଁନ୍ତି ।
ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପବିତ୍ର ରଥଯାତ୍ରାର ଖବର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବନେ୍ଦାବସ୍ତ କରାଯାଏ । କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅପାରଗତା ଲାଗି ଶ୍ରୀକ୍ଷେତ୍ରରେ ସାମ୍ୱାଦିକମାନେ ପୋଲିସ ଠାରୁ ମାଡ ଖାଇଲେ । ଗଣତନ୍ତ୍ରର ୪ର୍ଥ ସ୍ତମ୍ବ ଉପରେ ଏଭଳି ପୋଲିସର ଅମାନବୀୟ ଆଚରଣକୁ ବିଜେଡି ଦୃଢ଼ ନିନ୍ଦା କରୁଛି । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପବିତ୍ର ରଥଯାତ୍ରାରେ ବିଭ୍ରାଟ ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।