ଆଶାଠୁ ଅଧିକ ଜନସମାଗମ ଓ କର୍ଡନ ଭିତରେ ଅଧିକ ଲୋକ ରହିବା ରଥ ଟଣା ବିଳମ୍ବର ପ୍ରମୁଖ କାରଣ
ପୁରୀ ୨୭/୬ : ଗଡିଲାନି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ବିଧି ରଖିବା ପାଇଁ ଅଳ୍ପ ଗଡି ରହିଗଲେ ମହାପ୍ରଭୁ ଜଗନ୍ନାଥ। ସେପଟେ ବାରମ୍ବାର ବଡଠାକୁରଙ୍କ ତାଳଧ୍ଵଜ ମଧ୍ଯ ମୋଡ ନେଇଥିଲା । ଫଳରେ ଅଳ୍ପ ଗଡି ରହିଯାଉଥିଲେ ବଡଠାକୁର । ସେପଟେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମଧ୍ଯ ଧିରେ ଧିରେ ଗଡୁଥିବା ଦେଖାଯାଇଥିଲା । ବଡଠାକୁରଙ୍କ ରଥ ବଳଗଣ୍ଡି, ସୁଭଦ୍ରାଙ୍କ ରଥ ମରଚିକୋଟ ଠାରେ ରହିଥିବା ବେଳେ ସିଂହଦ୍ୱାର ଠାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଅଟକି ରହିଛି ।
ବଡକଥା ହେଲା, ତରତରିଆ ବଡଠାକୁରଙ୍କ ଲିଳା ଆଜି କାଳିଆର ଲିଳା ପରି ଥିଲା । ଅଳ୍ପ ଗଡି ବାରମ୍ବାର ମୋଡ ନେବା, ଲାଗୁଥିଲା ସତେ ଯେମିତି ବଡଠାକୁରଙ୍କ ଇଛା ନଥିଲା ଆଗୁଆ ଯିବାକୁ । ଶୁକ୍ରବାର ସକାଳୁ ମହାପ୍ରଭୁଙ୍କ ମଙ୍ଗଳଆଳତି ପରେ ଅନ୍ୟ ନୀତିକାନ୍ତ ସବୁ ସଠିକ ସମୟରେ ହୋଇଥିଲା । ଅପରାହ୍ନ ୪ଟା ରଥ ଟଣା ଆରମ୍ଭ କରାଯାଥିଲେ ବି ଆଗକୁ ଗଡିବାରେ ବିଳମ୍ବ ହେଉଥିବା ଦେଖାଯାଇଥିଲା । ପରିସ୍ଥିତି ଏପରି ହେଲା ଯେ ସୁଭଦ୍ରାଙ୍କ ରଥଙ୍କୁ ସୂର୍ଯ୍ୟାସ୍ତ ପରେ ଟଣାଯାଇ ମରଚିକୋଟ ଛକ ଠାରେ ରଖାଯାଇଥିଲା। କେବଳ ବିଧିକୁ ମହାପ୍ରଭୁଙ୍କ ନନ୍ଦିଘୋଷ ଗଢାଇ ରଥ ଟଣା ବନ୍ଦ କରାଯାଇଛି । ତେବେ ଆଶାଠାରୁ ଅଧିକ ଜନସମାଗମ ଓ କର୍ଡନ ମଧ୍ଯରେ ଅତିମାତ୍ରାରେ ଲୋକ ରହିବା ରଥ ଗଡ଼ିବାରେ ଅସୁବିଧାର ପ୍ରମୁଖ କାରଣ ବୋଲି କୁହାଯାଉଛି । ଆସନ୍ତାକାଲି ସକାଳ ୯.୩୦ ରୁ ପୂନର୍ବାର ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ ।