ଜଟଣୀ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ
ଓଡ଼ଗାଁ,୨୭।୬(ଶ୍ରୀକାନ୍ତ କୁମାର ମିଶ୍ର) :ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରଥମ ଡେଭିଡ ପ୍ରତିହାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ ଶୁକ୍ରବାର ୨ୟ ଦିନର ପ୍ରଥମ ପର୍ଯ୍ୟାୟ ଲିଗ ମ୍ୟାଚରେ ଭୁବନେଶ୍ୱର ଟସ ଜିତି ପ୍ରଥମେ ବୋଲିଙ୍ଗ ନିଷ୍ପତି ନେଇଥିଲା।ଫଳରେ ଫୁଲବାଣୀ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୮ ଓଭରରୁ ୧୦.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୭୯ ରନ କରିଥିଲା।ଏହାର ମୁକାବିଲା କରିବାକୁ ଯାଇ ଭୁବନେଶ୍ୱର ଦଳ ମାତ୍ର ୭.୩ ଓଭରରେ ୬ ଓ୍ବିକେଟ ବିନିମୟରେ ୮୦ ରନ କରି ମ୍ୟାଚ ବିଜୟ ହାସଲ କରିଥିଲେ।ବିଜୟୀ ଦଳର ନନ୍ଦି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ସେହିପରି ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଭୁବନେଶ୍ୱର ଓ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଟସ୍ ଜିତି ଜଟଣୀ ଦଳ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା।ଫଳରେ ଭୁବନେଶ୍ୱର ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଯାଇ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୭୦ ରନ କରିଥିଲେ।ଏହାର ମୁକାବିଲା କରିବାକୁ ଯାଇ ଜଟଣୀ ଦଳ ନିର୍ଦ୍ଧାରିତ ୧୮ ଓଭରରେ ୮ ଓ୍ବିକେଟ ବିନିମୟରେ ୧୭୪ ରନ କରି ମ୍ୟାଚ ଜିତି ନେଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କଲେ। ବିଜୟୀ ଦଳର ଅମିତ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଜ୍ଞାନ ରଞ୍ଜନ ସ୍ୱାଇଁ ଏବଂ ଶ୍ରୀକାନ୍ତ କୁମାର ଆଜିର ଖେଳ ପରିଚାଳନା କରିଥିଲେ। ଓଡ଼ଗାଁ ଥାନା ସବଇନିସ୍ପେକ୍ଟର ଚକ୍ରଧର ସିଂ ଆସିଷ୍ଟାଣ୍ଟ ସବ୍ ଇନିସ୍ପେକ୍ଟର ଦେବରାଜ ମଲିକ, ଯୁବଦ୍ୟୋଗୀ ଶୁଭଙ୍କର ଚୌଧୁରୀ,ପ୍ରଭାକର ବେହେରା ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଶନିବାର ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର ଓ କେଉଁଝର ମଧ୍ୟରେ ଲିଗ ମ୍ୟାଚ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ବିଜୟୀ ଦଳଙ୍କ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।