ଓଡ଼ଗାଁ, ୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସାଗର ପୁଷ୍କରିଣୀ ନିକଟରେ ବିଜେ ମା’ ରାମଚଣ୍ଡୀଙ୍କ ନାମରେ ଉଦ୍ଦିଷ୍ଟ ଜମି ବିକ୍ରି କରିବା ଉଦ୍ୟମ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଦାନକର୍ତ୍ତା ପରିବାରର ସଦସ୍ୟ ଓ ଗ୍ରାମବାସୀମାନେ ଓଡ଼ଗାଁ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ସହ ଜମିର ସୁରକ୍ଷା ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଓଡ଼ଗାଁ ଏନଏସି ଅନ୍ତର୍ଗତ ମୌଜା ଦଲକ, ଖାତା ନମ୍ବର ୫୫୫ ଓ ପ୍ଲଟ ନମ୍ବର ୭୫୯ରେ ଥିବା ଏକର ୧.୩୪ ଡେସିମିଲି ରଖିତ ଅନାବାଦୀ ‘ଗ୍ରାମ୍ୟ ଜଙ୍ଗଲ’ ଜମି ପ୍ରାୟ ଶହେବର୍ଷ ପୂର୍ବରୁ ଖଲି ଭୋଳ (ପିତା- ଈଶ୍ୱର ଭୋଳ) ମା’ ରାମଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ବର୍ତ୍ତମାନ ମା’ଙ୍କ ସେବାସୀ ଓ ତତ୍ତ୍ୱାବଧାରକ ଗନ୍ଧର୍ବ ପଣ୍ଡା ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ଜୟକୃଷ୍ଣ ଭୋଳ, ମହେଶ୍ୱର ଭୋଳ, ଶ୍ରୀଧର ଭୋଳ, ବୁଦ୍ଧିବାମନ ଭୋଳ ଓ ଶେଷଦେବ ଭୋଳଙ୍କ ସହ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ଅଭିଯୋଗକାରୀ ମାନେ ତତ୍ତ୍ୱାବଧାରକ ପରିବର୍ତ୍ତନ ସହ ମା’ ରାମଚଣ୍ଡୀଙ୍କ ଜମିର ସୁରକ୍ଷା ନିମନ୍ତେ ପ୍ରଶାସନ ତତ୍କାଳ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏଥିରେ ଅବହେଳା କରାଗଲେ ଜନଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏପରିକି, ଅଭିଯୋଗକୁ ତତ୍ତ୍ୱାବଧାରକ ଗନ୍ଧର୍ବ ପଣ୍ଡା ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମା’ଙ୍କ ନାମରେ ଥିବା ଏହି ଜମିର କିଛି ଅଂଶ ଚତୁର୍ପାର୍ଶ୍ୱରେ ଥିବା କେତେକ ବ୍ୟକ୍ତି ଦଖଲ କରି ଘର ନିର୍ମାଣ କରିଛନ୍ତି। ଏହାଫଳରେ ଜମିର ପରିମାଣ କମିଯାଉଛି। ଜମିକୁ ସୁରକ୍ଷା ଦେବା ପାଇଁ ଚତୁର୍ଦ୍ଦିଗରେ ଆବଦ୍ଧ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ସ୍ଥାନରେ ଖୁଣ୍ଟ ପୋତାଯାଇଛି। ସେ ଆହୁରି କହିଛନ୍ତି ଯେ, ଉକ୍ତ ଜମିକୁ ମା’ ରାମଚଣ୍ଡୀଙ୍କ ନାମରେ ସ୍ଥାୟୀ ଭାବେ ରଖିବା ପାଇଁ ସେ ବିଭିନ୍ନ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗିରହିଥିବା ବେଳେ ପ୍ରଶାସନ କିପରି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ରାଜ୍ୟ
ରାମଚଣ୍ଡୀଙ୍କ ଉଦ୍ଦିଷ୍ଟ ଜମି ବିକ୍ରି ଅଭିଯୋଗ, ତତ୍ତ୍ୱାବଧାରକଙ୍କ ଖଣ୍ଡନ
- Hits: 117








