ନୟାଗଡ଼(ବିଶ୍ୱଜିତ ନାୟକ):- ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଏବଂ କର୍ମଚାରୀ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଧ୍ୟକ୍ଷାଙ୍କ ଅତ୍ୟାଚାର ସହି ନପାରି ଶେଷରେ ସମସ୍ତେ ଆନ୍ଦୋଳନ କରିବାକୁ ଆଗେଇ ଆସିଛନ୍ତି । ଅଧ୍ୟକ୍ଷା ସଲିଲା ସେଠୀଙ୍କୁ ବଦଳି ଦାବି ଜୋର ଧରିଛି । ଏ ନେଇ କଲେଜର ପ୍ରାୟ ୧୦ରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ଶନିବାର କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନେ ଏନେଇ ଲିଖିତ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡାଇରେକ୍ଟର, ଗଣଶିକ୍ଷା ମନ୍ତ୍ରୀ, କନ୍ଧମାଳ ସାଂସଦ, ହ୍ୟୁମାନ ରାଇଟ୍ସ କମିଶନ, ଶିକ୍ଷା ସଚିବ, ଜିଲ୍ଲାପାଳ, ସଭାପତି ତଥା ଉପଜିଲ୍ଲାପାଳ ନୟାଗଡ, ଗଣିଆ ଥାନାଙ୍କୁ ପ୍ରେରଣ କରିଛନ୍ତି। ଅଧ୍ୟକ୍ଷା କଲେଜରେ କର୍ମଚାରୀଙ୍କୁ ବାରମ୍ବାର ମାନସିକ ଭାବେ ନିର୍ୟାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଠିକ୍ ସମୟରେ ଦରମା ନଦେବା, ଖରାପ ଭାଷାରେ ଗାଳି କରିବା, ମନମୁଖୀ ଶାସନ କରିବା, ବିଗତ ଦୁଇ ବର୍ଷ ଧରି ନିଜେ କ୍ଳାସ ନକରିବା, ଗୋଟିଏ କଲେଜର ସୁପରିଟେଣ୍ଡେଡ ହୋଇଥିଲେ ମଧ୍ୟ ସ୍ବାମୀଙ୍କ ହାତରେ ଟ୍ୟୁଟୋରିଆଲ ଚଲାଇ ଛାତ୍ର ଛାତ୍ରୀଙ୍କୁ ପ୍ରଲୋଭନ କରିବା, ଇଣ୍ଟରନାଲରେ ଅଧିକ ମାର୍କକୁ ନିଜ ଟ୍ୟୁଟୋରିଆଲ ପିଲାଙ୍କୁ ଦେବା, କଥା କଥାରେ କର୍ମଚାରୀଙ୍କୁ ଆଇନର ଧମକ ଦେବା, ଇପିଏଫ ଦୁର୍ନୀତିରେ ଲିପ୍ତ ରହିବା ଭଳି ଅନେକ ଅଭିଯୋଗ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଛି। ଦୀର୍ଘ ଦିନ ଧରି ନିର୍ୟାତନାର ଶିକାର ହେବା ପରେ କର୍ମଚାରୀମାନେ ମୁହଁ ଖୋଲିଛନ୍ତି । ଅଧ୍ୟକ୍ଷାଙ୍କୁ କଲେଜରୁ ହଟାଇ କଲେଜ ବଞ୍ଚାଇବାକୁ ସେମାନେ ଦାବି କରିଛନ୍ତି। ଯେ ପର୍ୟ୍ୟନ୍ତ ପ୍ରଶାସନ କୈଣସି ପଦକ୍ଷେପ ଗ୍ରହଣ ନକରନ୍ତି ସେ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ମତ ଦେଇଛନ୍ତି । ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍ ଉଠାଇ ନାହାନ୍ତି । ତାଙ୍କର ଏକ ଭିଡିଓ ବାର୍ତ୍ତାରେ, ସେମାନେ ମୋତେ କିଛି ନଜଣାଇ ଧାରଣାରେ ବସିଥିବା ଅଧ୍ୟକ୍ଷା କହିଛନ୍ତି । ଯଦି ସେମାନଙ୍କର କିଛି ଅସୁବିଧା ଅଛି ତେବେ ମୋ ସହିତ ଆଲୋଚନା କରିବା କଥା ବୋଲି କହିଛନ୍ତି। ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ରାଜ୍ୟ
କଲେଜ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ: ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କୁ ବଦଳି ଦାବି
- Hits: 135








