ହେଡଲାଇନସ୍:

ଆଦିବାସୀ କୁଡୁମୀ ସମାଜ କଲା ରେଲ ଟେକା ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର/ଦିଲୀପ ସାହୁ - ଆଦିବାସୀ କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ପାଇଁ ଆଦିବାସୀ କୁଡୁମୀ ସମାଜର ମୂଲ ଖୁଣ୍ଟି ମୂଲ ମାନତା ଅଜିତ୍ ପ୍ରସାଦ ମହତୋଙ୍କ ଆହ୍ବାନରେ କେନ୍ଦୁଝର ଜିଲ୍ଲା ନରଣପୁର ରେଳ ଷ୍ଟେସନ୍ ଠାରେ ଚିତ୍ତ ରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ରେଲ ଟେକା/ ରେଳ ରୋକ ଆନ୍ଦୋଳନ କରାଯାଇଥିଲା। ୧୯୫୦ ସେପ୍ଟେମ୍ବର ୬ ତାରିଖରେ ପ୍ରକାଶିତ ନୂତନ ଅନୁସୂଚିତ ଜନଜାତି ତାଲିକାରେ ୧୯୩୧ ମସିହାର ସମସ୍ତ ଆଦିବାସୀଙ୍କୁ ତାଲିକାଭୁକ୍ତ କରାଯାଇଥିବା ବେଳେ ଆଦିବାସୀ କୁଡୁମୀ ସମ୍ପ୍ରଦାୟକୁ ଭୂଲ ବଶତଃ କେନ୍ଦ୍ର ସରକାର ବାଦ୍ ଦେଇଥିଲେ। ସେହି ଦିନ ଠାରୁ ଆଦିବାସୀ କୁଡୁମୀ ମାନେ ଦୀର୍ଘ ୭୬ ବର୍ଷ ଧରି ଶାନ୍ତିପୂର୍ଣ୍ଣ ଭାବେ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ପାଇଁ ବିଭିନ୍ନ ଫୋରମରେ ଦାବି, ଆନ୍ଦୋଳନ ଓ ବିକ୍ଷୋଭ କରି ଆସୁଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପର ଅନ୍ୟକୁ ଦୋଷାରୋପ କରି କାଦୁଆ ପିଙ୍ଗି ପ୍ରତାରଣା କରି ଆସୁଛନ୍ତି। ଏହାର ପ୍ରତିବାଦରେ ଆଦିବାସୀ କୁଡୁମୀ ସମାଜ ସେପ୍ଟେମ୍ବର ୨୦ ତାରିଖରେ ସମଗ୍ର ଛୋନାଗପୁର ପଠାର୍ ଯଥା - ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ରେଳରୋକ ଓ ରାସ୍ତା ରୋକ କରିବାର ନିଷ୍ପତ୍ତି ନେଇଥିବାର ସୂଚନା ପ୍ରଦାନ କରିଛନ୍ତି ଆଦିବାସୀ କୁଡୁମୀ ସମାଜର ବରିଷ୍ଠ ସଦସ୍ୟ ତଥା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ। ହଜାର ହଜାର ସଂଖ୍ୟାରେ ଆଦିବାସୀ କୁଡୁମି ସମ୍ପ୍ରଦାୟର ପୁରୁଷ ଓ ମହିଳା ମାନେ ପାରମ୍ପରିକ କୁଡୁମି ବେଶଭୂଷାରେ ସଜ୍ଜିତ ହୋଇ ଢୋଲ, ମାଦଳ ଓ ନାଗରା ସାଥିରେ ନେଇ ଆଜି ସକାଳୁ ନରଣପୁର ରେଳଷ୍ଟେସନରେ ରେଲ ଟେକା/ରେଳ ରୋକ ପାଇଁ ପହଞ୍ଚିଥିବା ବେଳେ ପୋଲିସ ପ୍ରଶାସନ ଓ ରେଳବାଇ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପ୍ରଶାସନ ଯେଉଁ ଭଳି ଭାବେ ପୋଲିସକୁ ବ୍ୟବହାର କରି ଆନ୍ଦୋଳନକାରୀଙ୍କୁ ଦମନଲୀଳା କରିବାକୁ ଚେଷ୍ଟା କରିଥିଲା ତାହାକୁ ବୁଦ୍ଧିଜୀବୀ ମାନେ ନାପସନ୍ଦ କରୁଥିବାର ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଯାଇ ପ୍ରଶାସନିକ ଅଧିକାରୀ ଓ ରେଳବାଇ ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଦିବାସୀ କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ଏବଂ କୁଡମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ।
ଏହି ଲଢେଇ କେବଳ ଆରକ୍ଷଣର ନୁହେଁ ବରଂ ଭାଷା, ସଂସ୍କୃତି, ପରମ୍ପରା, ଅସ୍ମିତା, ଜଳ, ଜଙ୍ଗଲ, ଜମିର ସୁରକ୍ଷା ପାଇଁ ଲଢେଇ ବୋଲି କୁଡୁମୀ ଆନ୍ଦୋଳନକାରୀ ମିନତୀ ମହାନ୍ତ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଆଜି ଆଦିବାସୀ କୁଡୁମୀ ମାନଙ୍କ ଜମିଜମାର ସୁରକ୍ଷା ପାଇଁ କୌଣସି ନିୟମ ନ ଥିବାରୁ ପୁଞ୍ଜିପତିଙ୍କ ପାଇଁ କୁଡୁମୀ ମାନଙ୍କ ଜମି ଦଖଲ କରିବା ସାହଣମେଲା ସରକାର କରିଦେଇଥିବାର ଅଭିଯୋଗ ଦୋଳଗୋବିନ୍ଦ ମହାନ୍ତ କରିଛନ୍ତି l ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗ ରାଜ୍ୟରେ ଯେତେ ସବୁ ଉଦ୍ୟୋଗ, ଶିଳ୍ପକାରଖାନା ଓ ନଦୀବନ୍ଧ ଗଢି ଉଠିଛି ସେଥିରେ ସିଂହ ଭାଗ ଜମି କୁଡୁମୀ ସମ୍ପ୍ରଦାୟର। ତେଣୁ ୨୦୦୬ ମସିହାରେ ଓଡ଼ିଶା ସରକାରଙ୍କ ଟି କେ ମିଶ୍ର କମିଟି ସୁପାରିଶ କରିଥିବା ୧୯୫୦ ରେଗୁଲେସନ ୨ କୁ ଆଦିବାସୀ କୁଡୁମୀ ମାନଙ୍କ ଜମିଜମାର ସୁରକ୍ଷା ପାଇଁ ତୁରନ୍ତ ଲାଗୁ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଥିଲେ। ଯାହାଦ୍ବାରା ଆଦିବାସୀ କୁଡୁମୀ ମାନଙ୍କୁ ମଧ୍ୟ ପାରମ୍ପରିକ ଜଙ୍ଗଲ ଜମିର ଅଧିକାର ମିଳିପାରିବ। ନଚେତ୍ ଆଗାମୀ ଦିନରେ ପାଟଣାରେ ହେବାକୁ ଥିବା ମେଗା ଷ୍ଟିଲ ପ୍ଲାଣ୍ଟରେ ଆଦିବାସୀ କୁଡୁମୀ ମାନଙ୍କ ଜମିକୁ ଅତି ସହଜରେ କମ୍ପାନୀ ମାନେ ଶାଗମାଛ ଦରରେ ନେବାକୁ ପଛାଇବେ ନାହିଁ। ରାଜ୍ୟ ସରକାର ତୁରନ୍ତ ଆଦିବାସୀ କୁଡୁମୀଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ପାଇଁ ଟି.ଆର୍.ଆଇ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠେଇବା ପାଇଁ ଶଶୋଧର କାଳୁଆର୍ ଦୃଢ଼ ଦାବି କରିଥିଲେ। ତାସହ ଆଜିର ରେଲଟେକା ଆନ୍ଦୋଳନରେ ଭରତ ଚନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ, ଶଶିଭୂଷଣ ମହାନ୍ତ, କ୍ଷେତ୍ରବାସୀ ମହାନ୍ତ, ବିଶ୍ୱଜିତ ମହାନ୍ତ, ମିତ୍ରଭାନୁ ମହାନ୍ତ, ରାମଚନ୍ଦ୍ର ମହାନ୍ତ,ରୁକ୍ମଣୀ ମହାନ୍ତ, ଲମ୍ବୋଦର ମହାନ୍ତ, ମଧୁସ୍ମିତା ମହାନ୍ତ,କୁଡୁମୀ ଗବେଷକ ଧନେଶ୍ଵର ମହାନ୍ତ, କରୁଣାକର ମହାନ୍ତ, ଦିଲିପ ମହାନ୍ତ, କୁନ୍ତଳା ମ‌ହାନ୍ତ, ହୃଷିକେଶ ମହାନ୍ତ,ତାପସ ମହାନ୍ତ, ଗୋପାଳ ମହାନ୍ତ, ଅଭିମନ୍ୟୁ ମହାନ୍ତ, ମନ୍ତ୍ରୀ ମହାନ୍ତ, ରତ୍ନାକର ମହାନ୍ତ,ସନାତନ ମହାନ୍ତ, ସମେତ ମୟୂରଭଞ୍ଜ ରାଇରଙ୍ଗପୁର ବାମନଘାଟି , ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଯୋଗ ଦେଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

0
0
0
s2sdefault