୪ ମାସରେ ୫.୬୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଯୋଜନାରେ ପଞ୍ଜୀକୃତ
ଭୁବନେଶ୍ୱର, ୧୬/୦୮/୨୦୨୫: ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡ ଏକ ଦୃଢ ଆଶା ବାଡ଼ି ସାବ୍ୟସ୍ତ ହେଇଛି । ବୃଦ୍ଧ ବୟସରେ ଦେୟମୁକ୍ତ ଉଚ୍ଚମାନର ସୁପର ସ୍ପେସାଲିଷ୍ଟ ଚିକିତ୍ସା ନିମନ୍ତେ ଏକ ନିର୍ଭର ଯୋଗ୍ୟ ଭରସା ଆଣିଛି ।
ଭୁବନେଶ୍ୱର ମଞ୍ଚେଶ୍ଵର ଅଞ୍ଚଳର ରଙ୍ଗମାଟିଆ ଗ୍ରାମବାସୀ ଶ୍ୟାମ ସୁନ୍ଦର ସାହୁ (୭୨ ବର୍ଷ)ଙ୍କ ଝିଅ ସସ୍ମିତା କୁହନ୍ତି ଆମେ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକ । ଅଧିକ ବୟସ ହେତୁ ବାପା କାମ ଧନ୍ଦା କରିପାରୁ ନାହାନ୍ତି । ଭାଇ ଘରୋଇ ଫାର୍ମରୁ ଯେତିକି ରୋଜଗାର କରୁଛି ସେଥିରେ କୌଣସି ପ୍ରକାରେ ଚଳୁଛୁ । ଚିକିତ୍ସା ବା ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବା ଆମ ପରିବାର ପକ୍ଷେ କଷ୍ଟ ।
ଚଳିତ ମାସ ୧୨ ତାରିଖ ଦିନ ହଠାତ୍ ବାପାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେଲା । ସେ ବଡ଼ ଅସ୍ତବ୍ୟସ୍ତ ହେଲେ । କଣ କରିବୁ କିଛି ବୁଦ୍ଧି ଦିଶିଲାନି । ଏତିକିବେଳେ ଭାଇ ବୟୋ ବନ୍ଦନା କାର୍ଡ କଥା ମନ ପକେଇଦେଲା । କାର୍ଡ ଉପରେ ଭରସା ରଖି ବାପାଙ୍କୁ ଆପୋଲୋ ହସ୍ପିଟାଲ ନେଲୁ । ସେଠାରେ ଡାକ୍ତର ତୁରନ୍ତ ପରୀକ୍ଷା କରି କହିଲେ ଯେ ବାପାଙ୍କ ହାର୍ଟରେ ବ୍ଲକେଜ୍ ହୋଇଛି । କାର୍ଡ ବଳରେ ବାପାଙ୍କର କରୋନାରୀ ଆଞ୍ଜିଓଗ୍ରାମ୍ ହେଲା ଏବଂ ଷ୍ଟେଣ୍ଟ ପ୍ରତିରୋପଣ ହେଲା । ଆବଶ୍ୟକୀୟ ଔଷଧ ଚିକିତ୍ସା ସବୁ ମିଳିଲା । ଏସବୁ ବାବଦରେ ଆମକୁ କୌଣସି ଖର୍ଚ୍ଚ କରିବାକୁ ପଡିଲାନି । ବୟୋ ବନ୍ଦନା କାର୍ଡ ଯୋଗୁ ଜାତୀୟ ସ୍ତରରେ ସୁନାମ ଥିବା ଆପୋଲୋ ହସ୍ପିଟାଲ ଭଳି ବଡ଼ ହସ୍ପିଟାଲରେ ଆମ ବାପାଙ୍କୁ ଅତ୍ୟାଧୁନିକ ଚିକିତ୍ସା ମିଳିଲା । ସଠିକ୍ ସମୟରେ ଚିକିତ୍ସା ମିଳିବାରୁ ବାପାଙ୍କ ଜୀବନ ରକ୍ଷା ହେଲା । ଏହି ଯୋଜନା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ କୃତଜ୍ଞତା ଜଣାଉଛୁ ।
କେବଳ ଶ୍ୟାମ ସୁନ୍ଦର ସାହୁ ନୁହନ୍ତି, ଏହିପରି ଅନେକ ବୟୋବୃଦ୍ଧ ଲୋକଙ୍କ ପାଇଁ ବୟୋ ବନ୍ଦନା କାର୍ଡ ବର୍ତ୍ତମାନ ଆଶାବାଡି ସାଜିଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୫.୬୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏହି ଯୋଜନା ଅନ୍ତର୍ଭୁକ୍ତ ହୋଇଛନ୍ତି । ପ୍ରତିଦିନ ଅଧିକରୁ ଅଧିକ ଲୋକ ଏହି ଯୋଜନାର ଅନଲାଇନ୍ ପୋର୍ଟାଲ(http://beneficiary.nha.gov.in)ରେ ନିଜକୁ ପଞ୍ଜୀକୃତ କରୁଛନ୍ତି । ଏହି ୪ ମାସ ମଧ୍ୟରେ ୯୭୦୦ରୁ ଅଧିକ ବରିଷ୍ଠ ନାଗରିକ ଏଥିରେ ଦେୟମୁକ୍ତ ଚିକିତ୍ସା ପାଇଛନ୍ତି ।