ଚନ୍ଦନଭାଟିର ବିକାଶ ପାଇଁ କାମ ଜାରି ରହିବ- ନରସିଂହ
ବଲାଙ୍ଗିର/ନିରୋଜ ମିଶ୍ର : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଂଚାୟତର ଚନ୍ଦନଭାଟି ଗ୍ରାମର ଶିକ୍ଷା, ସଂସ୍କୃତି ଓ ଉନ୍ନତ କୃଷିକ୍ଷେତ୍ର ବଲାଙ୍ଗିରର ବିକାଶ ଦିଗରେ ଅନେକ ପ୍ରଭାବ ପକାଇଥାଏ । ୨୦୧୪ ରୁ ୨୦୨୪ ମଧ୍ୟରେ ଏହି ଅଂଚଳବାସୀଙ୍କ ଅନୁରୋଧ କ୍ରମେ ଚନ୍ଦନଭାଟି ପାଇଁ ରୋଡ, ରାସ୍ତା, ପିଇବା ପାଣି, ସାମାଜିକ କାର୍ଯ୍ୟକ୍ରମ ପାଇଁ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଧାର୍ମିକ ଅନୁଷ୍ଠାନ ପାଇଁ ସୁଦୃଶ୍ୟ ମନ୍ଦିର ଏପରି ଅନେକ ବିକାଶମୂଳକ କାମ କରାଯାଇଛି । ଯଦିଓ ମୁଁ ଏବେ କୌଣସି ପଦ ପଦବୀରେ ନାହିଁ ତଥାପି ମଧ୍ୟ ଚନ୍ଦନଭାଟି ଲୋକଙ୍କ କାମ କେବେ ଅଟକିବ ନାହିଁ । ଅଂଚଳର ବିକାଶ ପାଇଁ କାମ ସବୁବେଳେ ଜାରି ରହିବ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ତାଙ୍କ ବିଧାୟକ ଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପର ଉପରମହଲା ଉଦ୍ଘାଟନ ଅବସରରେ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଉଦ୍ଘାଟନ ପରବର୍ତ୍ତି ସଭାରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏକତାର ରାସ୍ତା ସବୁବେଳେ ବିକାଶ ଦିଗକୁ ମୁହାଁଇଥାଏ । ଆପଣମାନଙ୍କ ଭିତରେ ଥିବା ଏକତା ହିଁ ଏ ଅଂଚଳର ବିକାଶ ପାଇଁ ମୋତେ ପ୍ରେରଣା ଯୋଗାଇଥିଲା । ତେଣୁ ଆପଣମାନେ ନିଜ ଭିତରେ ଭାଇଚାରା ରଖନ୍ତୁ, ଏକତାବଦ୍ଧ ହୋଇ ପ୍ରତ୍ୟେକେ ପ୍ରତ୍ୟେକଙ୍କ ଅଭାବ ଅସୁବିଧାରେ ସାମିଲ ହୁଅନ୍ତୁ ଆପଣ ଆପଣଙ୍କ ଏବଂ ଏହି ଅଂଚଳର ବିକାଶକୁ କେହି ଅଟକେଇ ପାରିବେ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ଚନ୍ଦନଭାଟିର ସୁକତେଲ ନଦୀ ତଟରେ ଶ୍ରୀ ମିଶ୍ରଙ୍କର ବିଧାୟକ ଭାବେ ପ୍ରଥମ ପାଳିରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଏକ ସୁଦୃଶ୍ୟ କଲ୍ୟାଣ ମଣ୍ଡପ ଶ୍ରୀ ମିଶ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଯୋଗୁଁ ଲୋକେ ପୁଣି ତାର ଉପର ମହଲା ପାଇଁ ଦାବି ଜଣାଇବାରୁ ଶ୍ରୀ ମିଶ୍ର ପୁଣି ଉପରମହଲା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠିରୁ ୩୫ ଲକ୍ଷ ଟଙ୍କାର ଅନୁଦାନ ବନ୍ଦୋବସ୍ତ କରିଥିଲେ । ଯାହାକି ଆଜି ଶହ ଶହ ମହିଳା ପୁରୁଷଙ୍କ ଉପସ୍ଥିତିରେ ଉଦ୍ଘାଟନ ହୋଇଯାଇଛି । ଏହା ସହିତ ତଲି ମେହେରପଡା ଠାରେ ଶ୍ରୀ ମିଶ୍ର ବିଧାୟକ ଥିବା ବେଳେ ବିଧାୟକ ପାଣ୍ଠିରୁ ଅନୁଦାନ ଦିଆଯାଇ ନିର୍ମାଣ କରାଯାଇଥିବା ଏକ କମ୍ୟୁନିଟି ସେଣ୍ଟରକୁ ମଧ୍ୟ ଶ୍ରୀ ମିଶ୍ର ଲୋକାର୍ପିତ କରିଥିଲେ । ଏହି ଅବସରରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ବର୍ଷିୟାନ ନାଗରିକ କପିଳେଶ୍ୱର ପାଣିଗ୍ରାହୀ, ଗଣେଶ ମେହେର, ଲିଙ୍ଗରାଜ ମେହେର, ଶିବ ପ୍ରସାଦ ମେହେର, କଂଗ୍ରେସ ନେତା ରାମ ମିଶ୍ର ପ୍ରମୁଖ ମଂଚାସିନ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସଂକୀର୍ତ୍ତନ ମେହେର, ଟୁନା ପାଣିଗ୍ରାହୀ, ନରେନ୍ଦ୍ର ମେହେର, ଦେବଦତ୍ତ ପ୍ରଧାନ, ବିଜୟ ମେହେର, ଶ୍ରବଣ ଖମାରି, ବାମଦେବ ମେହେର, ସାଧୁ ମେହେର, ପ୍ରକାଶ ବରାଇ, ଅଜିତ ଦଲାଇ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।







