ମହାନ ବିପ୍ଳବୀ ଧରଣୀଧର ନାଏକ(ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ତାଙ୍କର ତ୍ୟାଗ, ସାହସ ଓ ସଂଗ୍ରାମ ଆଗାମି ପିଢ଼ି ପାଇଁ ପ୍ରେରଣାଦାୟକ ହୋଇରହିବ"

ଭୁବନେଶ୍ୱର, ୦୫/୦୫/୨୦୨୬ :ମହାନ ବିପ୍ଳବୀ ଧରଣୀଧର ନାଏକ(ଭୂୟାଁ) ଓଡ଼ିଶା ଇତିହାସର ଜଣେ ଅସାଧାରଣ ସଂଗ୍ରାମୀ ନାୟକ ଥିଲେ । ଜନଜାତି ସମାଜର ଅଧିକାର, ସ୍ୱାଭିମାନ ଓ ଅସ୍ମିତାର ସୁରକ୍ଷା ପାଇଁ ସେ ନିଜ ଜୀବନକୁ ସମର୍ପିତ କରିଥିଲେ । ଇଂରେଜ ଶାସନ ବିରୋଧରେ ତାଙ୍କର ସାହସିକ ସଂଗ୍ରାମ ଭାରତୀୟ ମୁକ୍ତି ଆନ୍ଦୋଳନରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି । ତାଙ୍କର ଆଦର୍ଶ ଓ ଜୀବନଦର୍ଶନ ଆଜି ମଧ୍ୟ ସମାଜକୁ ସତ୍ୟ, ସାହସ ଓ ନ୍ୟାୟର ପଥରେ ଆଗକୁ ଆଣିବାରେ ପ୍ରେରଣା ଦେଇଆସୁଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।

ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ, କେନ୍ଦୁଝର ନାଗରିକ ପରିଷଦ ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିଙ୍କ ମିଳିତ ଆନୁକୂଲ୍ୟରେ ଏହି ଜୟନ୍ତୀ ପାଳିତ ହୋଇଥିଲା ।

ଏହି ଅବସରରେ ଆୟୋଜିତ ସଭାରେ ଏକାମ୍ର-ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ଧରଣୀଧରଙ୍କ ସାହସିକତା, ଦୃଢ଼ ନେତୃତ୍ୱ ଓ ଜନଜାତି ସମାଜ ପ୍ରତି ତାଙ୍କର ସମର୍ପଣକୁ ସ୍ମରଣ କରି କହିଥିଲେ ଯେ ଧରଣୀଧରଙ୍କ ଜୀବନ ଆମକୁ ଅନ୍ୟାୟ ବିରୋଧରେ ଦୃଢ଼ ଭାବେ ଦଣ୍ଡାୟମାନ ହେବାକୁ ଶିଖାଏ । ତାଙ୍କର ସଂଗ୍ରାମ ଆଜିର ଯୁବପିଢ଼ିଙ୍କୁ ସ୍ୱାଭିମାନ ଓ ସମର୍ପଣର ମୂଲ୍ୟ ବୁଝାଏ ଏବଂ ତାଙ୍କର ଆଦର୍ଶକୁ ଅନୁସରଣ କରି ସଶକ୍ତ ସମାଜ ଗଢ଼ିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ ।

Imageମୁଖ୍ୟବକ୍ତା ଭାବେ ଯୋଗଦେଇ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ଧରଣୀଧରଙ୍କ ଜୀବନ ଓ ସଂଗ୍ରାମ ଉପରେ ବିସ୍ତୃତ ଆଲୋକପାତ କରି କହିଥିଲେ ଯେ ସେ ଜନଜାତି ସମାଜର ଆତ୍ମସମ୍ମାନର ପ୍ରତୀକ ଥିଲେ । ଅତିଥି ବକ୍ତା ଭାବେ ପ୍ରଫେସର ରାମଚନ୍ଦ୍ର ରାଉତ ଧରଣୀଧରଙ୍କ ଜୀବନ ଓ ଆଦର୍ଶକୁ ଗଭୀର ଭାବେ ଆଲୋଚନା କରି କହିଥିଲେ ଯେ ତାଙ୍କର ଚିନ୍ତାଧାରା ଆଜିର ସମାଜ ପାଇଁ ଅତ୍ୟନ୍ତ ପ୍ରସଙ୍ଗିକ ।

କେନ୍ଦୁଝର ନାଗରିକ ବିକାଶ ପରିଷଦର ସଭାପତି ପ୍ରଫେସର ଡ. ହାଡିବନ୍ଧୁ ପଟ୍ଟନାୟକ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଧରଣୀଧରଙ୍କ ବିରଳ ବ୍ୟକ୍ତିତ୍ୱ, ସାହସ ଓ ସମାଜ ପ୍ରତି ତାଙ୍କର ଅବଦାନକୁ ଉଲ୍ଲେଖ କରିଥିଲେ । ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ଉପଦେଷ୍ଟା ଶ୍ରୀଯୁକ୍ତ କାମପାଳ ଦେହୁରୀ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଧରଣୀଧରଙ୍କ ଐତିହ୍ୟ ଓ ସଂଗ୍ରାମମୟ ଜୀବନକୁ ସ୍ମରଣ କରିଥିଲେ । ସର୍ବଭାରତୀୟ ଅଖଣ୍ଡ ଭୂୟାଁ ମହାସମାଜର ସଭାପତି ଶ୍ରୀଯୁକ୍ତ ମେଘନାଦ ନାୟୁକ ଧନ୍ୟବାଦ ଅର୍ପଣ କରିଥିଲେ ।

Imageପ୍ରାରମ୍ଭରେ ଅତିଥିମାନେ ବିପ୍ଳବୀ ଧରଣୀଧର ନାଏକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଶ୍ୱେତପଦ୍ମ କଳ୍ଚରାଲ୍ ଟ୍ରଷ୍ଟ ର ଦୃଷ୍ଟିବାଧୂତ କଳାକାରମାନଙ୍କ ଦ୍ୱାରା ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ସୁନ୍ଦରଗଡ଼ ରୁ ଆସିଥିବା ଭୂୟାଁ ସାମଜର ୫ ବର୍ଷର କୁନି ଝିଅ ଦିବିଷା ଦେହେରୀ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ I

ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣି, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନାଙ୍କ ସହିତ ବିଭାଗର ଅନ୍ୟାନ୍ୟ କର୍ମଚାରୀ, କେନ୍ଦୁଝର ନାଗରିକ ପରିଷଦ ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱର କର୍ମକର୍ତ୍ତା, ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।

0
0
0
s2sdefault