ଶରଣକୁଳ ଥାନା ଜାମୁସାହିରେ ଗୋଷ୍ଠୀ ସଂଘର୍ଷ;

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମନ୍ଦିର ଜମିରେ ଗୃହନିର୍ମାଣକୁ ନେଇ ବିବାଦ, ୫୦ ମହିଳାଙ୍କ ନାମରେ ମାମଲା

  • ଓଡ଼ଗାଁ ତହସିଲଦାରଙ୍କ କୋର୍ଟରେ ରାତି ୧୦ଟାରେ ହାଜର, ଜାମିନ ପ୍ରଦାନ,


ଓଡ଼ଗାଁ, ୫।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ଭାଲିଆଡିହି ପଞ୍ଚାୟତର ଜାମୁସାହି ଗାଁରେ ମଙ୍ଗଳବାର ସକାଳେ ମନ୍ଦିର ଜମିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଥିବାବେଳେ, ଘଟଣାରେ ସମ୍ପୃକ୍ତ ଉଭୟ ପକ୍ଷର ପ୍ରାୟ ୫୦ ଜଣ ମହିଳାଙ୍କ ନାମରେ ଶରଣକୁଳ ଥାନାରେ ମାମଲା ରୁଜୁ ହୋଇଛି। ପରେ ସେମାନଙ୍କୁ ଓଡ଼ଗାଁ ତହସିଲଦାରଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ରାତି ପ୍ରାୟ ୧୦ଟାରେ ସମସ୍ତ ଅଭିଯୁକ୍ତ ମହିଳା କୋର୍ଟରେ ହାଜର ହୋଇଥିଲେ। ଦଣ୍ଡାଧିକାରୀ ତଥା ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଗାଁରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬ ଅନୁଯାୟୀ ଶୁଣାଣି କରି ସମସ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ। ପ୍ରକାଶ ଯେ, ଜାମୁସାହି ଗାଁରେ ବାବୁଲା ନାୟକ ଠାକୁରାଣୀଙ୍କ ମନ୍ଦିର ଜମିରେ ଗୃହନିର୍ମାଣ କରି ରହୁଥିବାକୁ ନେଇ ଦୀର୍ଘଦିନ ଧରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଏହି ବିବାଦକୁ ନେଇ ଗାଁରେ ସର୍ବଦା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହୁଥିଲା। ମଙ୍ଗଳବାର ସକାଳେ ଗାଁର ବିବାହିତା ଯୁବତୀ ଅନ୍ନପୂର୍ଣ୍ଣା ପରିଡ଼ା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବାବୁଲା ନାୟକଙ୍କ ପରିବାରର ସୁପ୍ରିୟା ସେନାପତି ଓ ତାଙ୍କ ଭଉଣୀ ଅର୍ଣ୍ଣପୂର୍ଣ୍ଣାଙ୍କ ବାପାଙ୍କୁ କଟୁକ୍ତି କରିଥିବା ଅଭିଯୋଗ ହୋଇଛି। ଅନ୍ନପୂର୍ଣ୍ଣା ଏହାକୁ ପ୍ରତିବାଦ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ହାତାହାତି ହୋଇଥିଲା।
ଅଭିଯୋଗ ଅନୁସାରେ, ଦୁଇ ଭଉଣୀ ଅନ୍ନପୂର୍ଣ୍ଣାଙ୍କୁ ମାଡ଼ ମାରି ଘର ଭିତରକୁ ଟାଣିନେଇଥିଲେ। ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଗ୍ରାମବାସୀ ଉଦ୍ଧାର ପାଇଁ ଧାଇଁଆସିଥିଲେ। ପରେ ଖବର ପାଇ ଗାଁର ଅନ୍ୟ ମହିଳାମାନେ ମଧ୍ୟ ସେଠାରେ ଏକତ୍ରିତ ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା। ଟଣାଓଟରା ଓ ମାରପିଟରେ ୨ରୁ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଶରଣକୁଳ ଚିକିତ୍ସାଳୟ ଓ ପରେ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ ଉଭୟ ପକ୍ଷ ଥାନାରେ ପହଞ୍ଚି ପରସ୍ପର ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଶରଣକୁଳ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗାଁରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି।
ସ୍ଥାୟୀ ଶୃଙ୍ଖଳା ବଜାୟ ରଖିବା ପାଇଁ ଗୋଟିଏ ପକ୍ଷରୁ ୧୨ ଜଣ ଏବଂ ଅନ୍ୟ ପକ୍ଷରୁ ୩୮ ଜଣ ମହିଳାଙ୍କ ବିରୋଧରେ ଧାରା ୧୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ପ୍ରଥମ ପକ୍ଷରୁ ଦିବ୍ୟରଞ୍ଜନ ପାଣିଗ୍ରାହୀ ଓ ପ୍ରତିପକ୍ଷରୁ ଚିତ୍ତରଞ୍ଜନ ସେନାପତି ଆଇନଜୀବୀ ଭାବେ ପକ୍ଷ ଉପସ୍ଥାପନ କରିଥିଲେ।

0
0
0
s2sdefault