ହେଡଲାଇନସ୍:

ରାଜ୍ୟସ୍ତରୀୟ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା: ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ଭୁବନେଶ୍ୱର, ତା. ୨୮/୦୪/୨୦୨୬: ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀ ମଧୁବାବୁ ଜଣେ ଆଇନଜୀବୀ, ଶିଳ୍ପୋଦ୍ୟୋଗୀ, ସମାଜସେବୀ ଓ ସାହିତ୍ୟ-ସଂସ୍କୃତିପ୍ରାଣ ଭାବରେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଚିର ଅମର ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମଧୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମାନ୍ୟବର ବାଚସ୍ପତି କହିଥିଲେ ଯେ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାର କଳା ଓ ଶିଳ୍ପର ବିକାଶ କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ନାରୀମାନଙ୍କୁ ଓକିଲାତି କରିବାର ଅଧିକାର ଓ ସମାନ ଭୋଟାଧିକାର ଦେବା ପାଇଁ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ‘ଉତ୍କଳ ଟ୍ୟାନେରୀ’ ଓ ‘ଉତ୍କଳ ଆର୍ଟ ଓୟାର୍ସ’ ଭଳି ଶିଳ୍ପ ଅନୁଷ୍ଠାନ ମାଧ୍ୟମରେ ସେ ଓଡ଼ିଶାର ସ୍ୱଦେଶୀ କାରିଗରୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ଓଡ଼ିଆ ସ୍ୱାଭିମାନର ପରିଚୟ ଦେଇଥିଲେ ବୋଲି ବାଚସ୍ପତି ଉଲ୍ଲେଖ କରିଥିଲେ।

Imageସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ କହିଥିଲେ ଯେ, ମଧୁବାବୁଙ୍କ ଜୀବନାଦର୍ଶ ଆଜିର ଯୁବପିଢ଼ି ପାଇଁ ଶ୍ରେଷ୍ଠ ପ୍ରେରଣା । ସ୍ୱଦେଶୀ ଜ୍ଞାନକୌଶଳ ଓ କାରିଗରୀ ପ୍ରତି ତାଙ୍କର ଯେଉଁ ଅହେତୁକ ଆଗ୍ରହ ଥିଲା, ତାହା ଆଜିର ‘ଆତ୍ମନିର୍ଭର ଓଡ଼ିଶା’ ଗଠନ ପାଇଁ ପାଥେୟ ହେବା ଉଚିତ । ଜଣେ ସଫଳ ଜନନେତା ଭାବେ ସେ ନିଜ ସୁଖ-ସୁବିଧାକୁ ଜଳାଞ୍ଜଳି ଦେଇ ସମାଜର ନିଷ୍ପେଷିତ ବର୍ଗଙ୍କ ଉତ୍‌ଥାନ ପାଇଁ ସର୍ବଦା ଚେଷ୍ଟା କରୁଥିଲେ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଥିଲେ ।

ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ପ୍ରଧାନ ମଧୁବାବୁଙ୍କ ଅତୁଳନୀୟ ତ୍ୟାଗ ଓ ସଫଳତା ସମ୍ପର୍କରେ କହିଲେ ଯେ, ସେ ସର୍ବଦା ଓଡ଼ିଶାର ସଂସ୍କୃତି, ଭାଷା ଏବଂ ଇତିହାସର ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ଓଡ଼ିଆ ଅସ୍ମିତା ଓ ଭାଷାର ସୁରକ୍ଷା ପାଇଁ ମଧୁବାବୁ ଯେଉଁ ଲଢ଼େଇ କରିଥିଲେ, ତାହା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ବିଭିନ୍ନ ବିଚ୍ଛିନ୍ନାଞ୍ଚଳକୁ ଏକତ୍ର କରି ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ କରିବାରେ ତାଙ୍କର ଦୂରଦୃଷ୍ଟି ସାରା ବିଶ୍ୱରେ ଓଡ଼ିଆ ଜାତିର ସ୍ୱାଭିମାନକୁ ପ୍ରତିଷ୍ଠିତ କରିପାରିଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ।

Imageଏହି ସମାରୋହରେ ଓଡ଼ିଆ ଭାଷା ସାହିତ୍ୟର ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ ସଂଗ୍ରାମ କେଶରୀ ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମଧୁବାବୁଙ୍କ ଗୌରବମୟ ଜୀବନୀ ଉପରେ ଆଲୋକପାତ କରିଥିଲେ। ମଧୁବାବୁଙ୍କ ବହୁମୁଖୀ ଅବଦାନ ଏବଂ ସମାଜ ସଂସ୍କାର ପାଇଁ ତାଙ୍କର ନିଷ୍ଠା ଆଗାମୀ ଯୁବପିଢ଼ିକୁ ନିଶ୍ଚିତ ଭାବେ ଅନୁପ୍ରାଣିତ କରିବ ବୋଲି ଡଃ ରାଉତ ମତବ୍ୟକ୍ତ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ ୫ ଘଟିକାରେ ନିମନ୍ତ୍ରିତ କବିମାନଙ୍କ ଦ୍ଵାରା ଦେଶାତ୍ମବୋଧକ କବିତା ପାଠ ଆୟୋଜନ କରାଯାଇଥିଲା l ବିଶିଷ୍ଟ କବି ଶ୍ରୀ ରକ୍ଷକ ନାୟକଙ୍କ ପୌରହିତ୍ୟରେ ଏହି କବିତା ପାଠ ଆୟୋଜିତ ହୋଇଥିଲା ଓ ଉପସ୍ଥିତ ଦର୍ଶକମାନେ କବିତା ଉପଭୋଗ କରିବା ସହ ଦେଶପ୍ରେମରେ ଉଦବୁଦ୍ଧ ହୋଇଥିଲେ l ମାନ୍ୟବର ବାଚସ୍ପତି କବିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ଏପରି ପ୍ରୟାସର ବହୁ ପ୍ରଶଂସା କରିଥିଲେ l

Imageସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଲୋକସମ୍ପର୍କ ଅଧିକାରୀ ରୋଜାଲିନ ସାହୁ ଏବଂ ଅଂଶୁମାନ ସାହୁ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକମାନେ ଯୋଗଦେଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

0
0
0
s2sdefault