ଦେୱାନୀ ବରିଷ୍ଠ ବିଭାଗ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଓଡ଼ଗାଁ, ୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ ଅଦାଲତ ପରିସରସ୍ଥିତ ବାର ଆସୋସିଏସନ ସଭାଗୃହରେ ମଙ୍ଗଳବାର ମଧୁବାବୁଙ୍କ ଜୟନ୍ତୀ ତଥା ଆଇନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନୂତନ ଭାବେ ଯୋଗ ଦେଇଥିବା ଦେୱାନୀ ବରିଷ୍ଠ ବିଭାଗ ବିଚାରପତି ରାଜେନ୍ଦ୍ର ପ୍ରସାଦ ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ବାର ଆସୋସିଏସନ ସଭାପତି ଆଡଭୋକେଟ ସୁଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁ ଅଦାଲତର ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଦେୱାନୀ କନିଷ୍ଠ ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ ଓ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅତିଥିମାନେ ମଧୁସୂଦନ ଦାସଙ୍କ ଜୀବନ ଓ କୃତିତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ସହ ଓଡ଼ିଶାକୁ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦା ଦେବା ପାଇଁ ସେ ଅବିସ୍ମରଣୀୟ ସଂଗ୍ରାମ କରିଥିଲେ। ତାଙ୍କର ନିଃସ୍ୱାର୍ଥପର ଚରିତ୍ର ସମାଜ ପାଇଁ ଆଦର୍ଶ ବୋଲି ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଗୋବିନ୍ଦ ସାହୁ, ଇନ୍ଦୁଭୂଷଣ ମିଶ୍ର, ପବିତ୍ର ମୋହନ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସରକାରୀ ଓକିଲ ବଟକୃଷ୍ଣ ମିଶ୍ରଙ୍କ ସହ ବହୁ ଆଇନଜୀବୀ ଯୋଗ ଦେଇଥିଲେ। ବାର ଆସୋସିଏସନ ସମ୍ପାଦକ ଚିରଞ୍ଜିବୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।








