ହେଡଲାଇନସ୍:

ରାତି ଅଧିଆରେ ଚାଲିଛି ମାଙ୍କଡ଼ା ପଥର ଚୋରା ଚାଲାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୨ ମିନି ଟ୍ରକ ଜବତ, ୨ ଚାଳକ ଗିରଫ,

  • ବେଆଇନ ଚାଲାଣକୁ ସୁରକ୍ଷା ଦେଉଛି ଦାମି କାର,

  • ଜରିମାନା ଦେଇ ଗାଡ଼ି ମୁକୁଳାଉଛନ୍ତି ମାଫିଆ 


ଓଡ଼ଗାଁ, ୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ସୋମବାର ରାତି ଅର୍ଥାତ୍ ମଙ୍ଗଳବାର ଭୋର ସମୟରେ ଚଢ଼ାଉ କରି ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ୨ଟି ମିନି ଟ୍ରକ ଜବତ କରିଛି। ଘଟଣାରେ ୨ ଚାଳକଙ୍କୁ ଗିରଫ କରାଯାଇ ପରେ ଜାମିନରେ ଛାଡ଼ାଯାଇଥିବା ସୂଚନା ମିଳିଛି। ପୋଲିସ ସୂଚନାନୁସାରେ, ଓଡ଼ଗାଁ ଆଇଆଇସି ସତ୍ୟନାରାୟଣ ବାରିକଙ୍କ ନେତୃତ୍ୱରେ କୋମଣ୍ଡ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ସେଠାରୁ ଓଡି-୨୫-ଏ-୭୩୮୧ ଓ ଓଡି-୨୫-୨୬୬୬ ନମ୍ବର ବିଶିଷ୍ଟ ୨ଟି ମିନି ଟ୍ରକ ଜବତ ହୋଇଥିଲା। ଏହି ଘଟଣାରେ କୋମଣ୍ଡ ମଶାଣି ସାହିର ଜିତୁ ନାୟକ (୩୫) ଏବଂ ଖଦାଳ ସାହିର ପ୍ରମୋଦ ନାୟକ (୪୧)ଙ୍କୁ ଗିରଫ କରାଯାଇଥିଲା।
ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଗତ ୩ରୁ ୪ ମାସ ମଧ୍ୟରେ ଓଡ଼ଗାଁ ପୋଲିସ ପ୍ରାୟ ୧୫ରୁ ୧୭ଟି ଗାଡ଼ି ଜବତ କରିଥିବା ବେଳେ ପରେ ଜରିମାନା ଦେଇ ପଥର ଚାଲାଣ କାରୀମାନେ ଗାଡ଼ିଗୁଡ଼ିକୁ ମୁକାଇ ନେଉଛନ୍ତି। ଏହା ଫଳରେ ଚୋରା ଚାଲାଣ ରୋକାଯିବା ନେଇ ପ୍ରଶ୍ନ ଉଠୁଛି। ଅଭିଯୋଗ ଅନୁଯାୟୀ, ରାତି ସମୟରେ ପଥର ଚାଲାଣ ବେଳେ କିଛି ଦାମି କାର ତିନୋଟି ସ୍ଥାନରେ ରହି ସୁରକ୍ଷା ଯୋଗାଇଥାଏ। ଏହାସହ ବିଭିନ୍ନ ସ୍ଥାନରେ ବାଇକ ଯୋଗେ କିଛି ଲୋକ ପୋଲିସ ଓ ଖଣି ବିଭାଗର ଗତିବିଧି ଉପରେ ନଜର ରଖୁଥିବା କୁହାଯାଉଛି। କୋମଣ୍ଡ ଓ ରୋହିବାଙ୍କ ଖଣି ଅଞ୍ଚଳରୁ ପଥର ଚାଲାଣରେ ବ୍ୟବହୃତ କୌଣସି ଟ୍ରକ କିମ୍ବା ଟ୍ରାକ୍ଟର ଜବତ ହେଲେ, ମାଫିଆ ଗୋଷ୍ଠୀ ପକ୍ଷରୁ ଏକ ସାଧାରଣ ତହବିଲ ମାଧ୍ୟମରେ ଜରିମାନା ଦେଇ ଗାଡ଼ି ମୁକାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ମାଙ୍କଡ଼ା ପଥରର ଚାହିଦା ଅଧିକ ଥିବାରୁ ଗୃହ ନିର୍ମାଣ ପାଇଁ ଲୋକମାନେ ଅଧିକ ଦରରେ ପଥର କିଣୁଛନ୍ତି। ଯଦି ଖଣି ବିଭାଗ ପକ୍ଷରୁ ଆଇନସମ୍ମତ ଭାବେ ପଥର ଉତ୍ତୋଳନ ଓ ଚାଲାଣ ପାଇଁ ସୁବ୍ୟବସ୍ଥା କରାଯାଏ, ତେବେ ଗ୍ରାହକମାନେ ଉଚିତ ମୂଲ୍ୟରେ ପଥର ପାଇପାରିବେ ଓ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବା ସହିତ ସରକାର ମଧ୍ୟ ଉପଯୁକ୍ତ ଖଜଣା ପାଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି।

0
0
0
s2sdefault