-
ଅରକୁଦା ଓ ସାନପାଟଣା ଗ୍ରାମର ୧୦୦୦ରୁ ଉଦ୍ଧ୍ୱର୍ ଲୋକ ଦାଦନ ଖଟିବାକୁ ଏବେ ରାଜ୍ୟ ବାହାରେ
-
ରାଜ୍ୟରେ ଦାଦନ ସମସ୍ୟା କମିବା ପରିବର୍ତ୍ତେ ଉତ୍କଟ ହୋଇଛି
-
ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ ଟାସ୍କଫୋର୍ସ ଗଠନରେ ସୀମିତ
ଭୁବନେଶ୍ୱର, ୨୨/୦୯/୨୦୨୫: ନିଜର ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ଦାଦନ ମୁକ୍ତ କରିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା କିନ୍ତୁ, କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ରାଜ୍ୟରେ ଦାଦନ ସମସ୍ୟା କମିବା ପରିବର୍ତ୍ତେ ଅଧିକ ଉକ୍ରଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ଓ ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ଶ୍ରୀ ଧ୍ରୁବ ଚରଣ ସାହୁ ରାଜ୍ୟ ବିଜେପି ସରକାର ଦାଦନ ସମସ୍ୟା ସମାଧାନ ଦିଗରେ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ଅଭିଯୋଗ କରି ସରକାରଙ୍କ ଉପରେ ବର୍ଷୀଥିଲେ ।
ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ଦାଦନ ସମସ୍ୟାକୁ ନେଇ ବିଜେପି ତରଫରୁ ପୂର୍ବ ସରକାରଙ୍କୁ ସମାଲୋଚନା କରୁଥିଲା ଓ କ୍ଷମତାକୁ ଆସିଲେ ଏହି ସମସ୍ୟାର ସମାଧାନ କରିବ ବୋଲି ଗତ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, କ୍ଷମତାକୁ ଆସିବାର ୧୫ ମାସ ଉଦ୍ଧ୍ୱର୍ ବିତି ଯାଇଥିଲେ ମଧ୍ୟ ସମସ୍ୟା କମିବା ପରିବର୍ତ୍ତେ ଅଧିକ ଉକ୍ରଟ ହୋଇଛି । ଦାଦନ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟ କେବଳ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯିବାରେ ସୀମିତ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳରେ ମନରେଗା ଯୋଜନା ମାଧ୍ୟମରେ କର୍ମ ଦିବସ ଯୋଗାଇଦେବା କମୁଥିବାରୁ ସମସ୍ୟା ରାଜ୍ୟରେ ଉକ୍ରଟ ରୂପ ନେଉଛି । ସରକାରଙ୍କ ନିକଟରେ ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ସମୁଦାୟ ୧୭ କୋଟି ୬୧ ଲକ୍ଷ କର୍ମ ଦିବସ ଯୋଗାଇଦିଆ ଯାଇଥିବା ବେଳେ ବିଜେପି କ୍ଷମତାକୁ ଆସିବା ପରେ ଏହି ସଂଖ୍ୟା ୧୦ କୋଟି ତଳକୁ ଖସି ଆସିଛି । ସେହିପରି, ୨୦୨୩-୨୪ ଆର୍ଥିକ ବର୍ଷରେ, ୩.୩୯ ଲକ୍ଷ ପରିବାରଙ୍କୁ ୧୦୦ ଦିନର କର୍ମ ଦିବସ ଯୋଗାଯାଇଥିବା ବେଳେ ଏହା ବିଜେପି ସରକାରଙ୍କ ସମୟରେ ୧.୪୯ ଲକ୍ଷ ପରିବାରକୁ ଖସି ଆସିଛି ।
ଶ୍ରୀ ଦାସବର୍ମା କହିଥିଲେ, ମନରେଗା ମାଧ୍ୟମରେ ଗ୍ରାମାଞ୍ଚଳରେ କିପରି ଅଧିକରୁ ଅଧିକ ଲୋକଙ୍କୁ କାମ ଦିଆଯିବ, ସେନେଇ ରାଜ୍ୟ ବିଜେପି ସରକାରଙ୍କ କୌଣସି ପ୍ରତିବଦ୍ଧତା ନାହିଁ । ଉଦାହରଣ ସ୍ୱରୂପ, ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅରକୁଦା ଓ ସାନପାଟଣା ଗ୍ରାମରୁ ପ୍ରାୟ ଏକ ହଜାର ଲୋକ ଗତ ମାସରେ ଦାଦନ ଖଟିବାକୁ ଗୋଆ, ମାଙ୍ଗାଲୋର ଓ ତାମିଲନାଡୁ ଯାଇଛନ୍ତି, ଯାହା ଫଳରେ ଏହି ଦୁଇ ଗ୍ରାମ ଏବେ ପୁରୁଷଶୂନ୍ୟ ହୋଇ ପଡିଛନ୍ତି । ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଏମାନଙ୍କ ଭିତରୁ, ଜଣଙ୍କର ସେଠାରେ ମୃତୁ୍ୟ ଘଟିଛି, ଯାହାର ମରଶରୀର ଆଜି ଗ୍ରାମକୁ ଅଣାଯାଉଛି । ରାଜ୍ୟ ବିଜେପି ସରକାର କେବଳ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ଓ ବିକଶିତ ଓଡିଶା ଗଠନର ସୁନେଲି ସ୍ୱପ୍ନ ଦେଖାଉଛନ୍ତି, କିନ୍ତୁ ସମସ୍ୟା ସମାଧାନ ଦିଗରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି ।
ଶ୍ରୀ ଧ୍ରୁବ ଚରଣ ସାହୁ କହିଥିଲେ, ବିଜେପିର ଓଡିଶାକୁ ଦାଦନମୁକ୍ତ କରିବା ଓ ରାଜ୍ୟର ଯୁବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପ୍ରତିଶ୍ରୁତି ଆଜି ପାଣିର ଗାର ପାଲଟିଛି । ପ୍ରତିଦିନ ରାଜ୍ୟ ବାହାରେ କେଉଁଠି ନା କେଉଁଠି ଓଡ଼ିଶାର ଶ୍ରମିକଙ୍କ ଦୁର୍ଦ୍ଦଶାର ଖବର ଗଣମାଧ୍ୟମରେ ଦେଖିବାକୁ ମିଳୁଛି । କେବଳ ପୁରୀ ଜିଲ୍ଲାରେ ନୁହେଁ, ବରଂ ସମଗ୍ର ଓଡ଼ିଶାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । କେନ୍ଦ୍ରାପଡା ଜିଲ୍ଲାରେ ନବୀନ ସରକାରଙ୍କ ସମୟରେ ଏକ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ସ୍ଥିର ହୋଇଥିଲା ଯାହା ଏବେ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଛି ।