ପୁରୀ/ଅନିମେଶ ପଟ୍ଟନାୟକ/(ଜିଲ୍ଲା ପ୍ରତିନିଧି): ରବିବାର ମହାଳୟା ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଚାରିପଟେ ଓ ସହରର ତୀର୍ଥସ୍ଥାନ ଗୁଡ଼ିକରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିବା ଦେଖାଯାଇଥିଲା ।
ରବିବାର ଥିଲା ପିତୃପକ୍ଷର ଶେଷ ଦିନ । ଶେଷ ଦିନରେ ଶ୍ରୀକ୍ଷେତ୍ରରେ ଦିନ ତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ଶ୍ରାଦ୍ଧ ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ବିଶ୍ୱାସ ରହିଛି ପିତୃପକ୍ଷର ୧୫ ଦିନ ପାଇଁ ପିତୃପୁରୁଷମାନଙ୍କୁ ଯମରାଜ ପୃଥିବୀ ଲୋକକୁ ଛାଡ଼ିଥାନ୍ତି । ଏହି ୧୫ ଦିନରେ ସେମାନେ ନିଜ ପରିଜନଙ୍କଠାରୁ ପିଣ୍ଡ ଗ୍ରହଣ କରି ସେମାନଙ୍କୁ ଶୁଭ ଆଶୀର୍ବାଦ ପ୍ରଦାନ କରି ଫେରିଯାଆନ୍ତି । ଶ୍ରୀକ୍ଷେତ୍ରରେ ପିଣ୍ଡଦାନର ଏକ ବିଶେଷ ମହତ୍ବ ରହିଛି । ତେଣୁ ପିଣ୍ଡଦାନ କରି ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି ଶ୍ରଦ୍ଧାଳୁ ।
ଅନ୍ୟପଟେ ରବିବାର ସହ ମହାଳୟା ପର୍ବ ହୋଇଥିବାରୁ ପୁରୀ ସହର ଚଳଚଞ୍ଚଳ ହୋଇପଡିଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଓ ସହରର ପ୍ରମୁଖ ସ୍ଥାନ ଗୁଡିକରେ ବ୍ୟାପକ ବ୍ୟବସ୍ଥା ହୋଇଥିଲା ।