ହେଡଲାଇନସ୍:

ନୂତନ ସ୍ଥାନରେ ବିରାଜମାନ କଲେ ମା' ଦ୍ଵାରଶୁଣୀ ଠାକୁରାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର,ତା୧୮/୮- ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଚମକପୁର ଦଣ୍ଡପାଟର ଚମକପୁର ଗ୍ରାମରେ ରହିଥିବା ମା' ଦ୍ଵାରଶୁଣୀ ଠାକୁରାଣୀ ତଥା ତାଙ୍କର ପାର୍ଶ୍ଵ ଦେବାଦେବୀଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପୂର୍ବକ ରଥରେ ବସାଇ ନିକଟସ୍ଥ ବାସୁଦେବପୁର ଗ୍ରାମଠାରେ ନବନିର୍ମିତ ମନ୍ଦିରରେ ସ୍ଥାପନ କରାଯାଇଛି । ଗତ ଶୁକ୍ରବାର ଦିନ ନୂତନ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଶନିବାର ଦିନ ଘଣ୍ଟ, ଶଙ୍ଖ, ହୁଳହୁଳି, ବାଦ୍ୟଯନ୍ତ୍ର ସହ ଶ୍ରଦ୍ଧାଳୁମାନଙ୍କ ମେଳରେ ପୁରୁଣା ଗ୍ରାମରୁ ଠାକୁରାଣୀ ମାଆ ଏବଂ ତାଙ୍କର ସମସ୍ତ ପାର୍ଶ୍ଵ ଦେବଦେବୀଙ୍କୁ ନୂତନ ସ୍ଥାନକୁ ଅଣାଯାଇଥିଲା । ଏହି ଅବସରରେ ଦଣ୍ଡପାଟର ୧୩୨ ମୌଜାର ପ୍ରାୟ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ପାଇଁ କମିଟି ଜରିଆରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଭାସ୍କର ଦେହୁରୀ, ମାର୍କଣ୍ଡ ନନା, ଦେବାଶିଷ ପଣ୍ଡା ପ୍ରମୁଖ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରକଳ୍ପ ଅଧିକାରୀ, ବଡ଼ବିଲ ତହସିଲଦାର ଓ ଅତିରିକ୍ତ ତହସିଲଦାର, ଚମ୍ପୁଆ ତହସିଲଦାର, ଚମ୍ପୁଆ ଥାନାଧିକାରୀ, ରିମୁଳି ଫାଣ୍ଡି ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଦେବାଦେବୀଙ୍କ ଥଇଥାନ ନିମନ୍ତେ ସମସ୍ତ ସୁବିଧା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଏହି ଅବସରରେ ସଭାପତି ଲାଲ ବାହାଦୁର ନାଏକ, ସମ୍ପାଦକ ଡିଲେଶ୍ୱର ଦାସ, ଅକ୍ଷୟ ନାଏକ, ଦୁଃଶାସନ ନାଏକ, ଅର୍ଜୁନ ବେହେରା, ପୁରୁଷୋତ୍ତମ ନାଏକ, ପ୍ରମୋଦ ଦାସ, ହରଜିତ୍ ଦାସ, ସରୋଜ ବାରିକ, ଅମର ନାଏକଙ୍କ ସହିତ ଅନ୍ୟ ସଦସ୍ୟ ତଥା ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସୂଚନାଯୋଗ୍ୟ କି ରାଜାରାଜୁଡ଼ା ଅମଳରୁ ମାଆ ପୁରୁଣା ଗ୍ରାମରେ ପୂଜା ପାଉଥିଲେ ହେଲେ କାନୁପୁର ନଦୀବନ୍ଧ ପ୍ରକଳ୍ପରେ ଗ୍ରାମ ଉଚ୍ଛେଦ ହେବା ପରେ ଦୀର୍ଘ ବର୍ଷ ଧରି ମାଆ ସେଠାରେ ଅପୂଜା ହୋଇ ନିର୍ଜନ ଅବସ୍ଥାରେ ପଡିରହିଥିଲେ । ଯାହାକୁ ନେଇ ବିଗତ ଦିନରେ ଗ୍ରାମବାସୀ ଓ ମା' ଦ୍ଵାରଶୁଣୀ କମିଟିର ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରି ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବାର ଦେଖିବାକୁ ମିଳିଥିଲା ।

0
0
0
s2sdefault