ହେଡଲାଇନସ୍:

ବାହୁଡ଼ିଲେ ମହାବାହୁ: ଗୀତ ଗୋବିନ୍ଦରେ ପ୍ରକମ୍ପିତ ହେଲା ସିଂହଦ୍ୱାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପୁରୀ, ୫/୬ (ଅନିମେଶ ପଟ୍ଟନାୟକ): ଆଡ଼ପ ମଣ୍ଡପରେ ଲିଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ବିଳମ୍ବିତ ସଂଧ୍ୟାରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି ୩ରଥ । ରବିବାର ସୁନାବେଶରେ ଦର୍ଶନ ଦେବେ ତିନି ଭାଇ ଭଉଣୀ ।

ସରିଛି ୯ଦିନର ଆଡ଼ପ ମଣ୍ଡପ ଲିଳାଖେଳା । ଶୁକ୍ରବାର ସଂଧ୍ଯା ଦର୍ଶନ ପରେ ଶ୍ରୀମନ୍ଦିର ଫେରିବାକୁ ସଜବାଜ ହୋଇଥିଲେ ମହାବାହୁ । ସକାଳୁ ମଙ୍ଗଳାଆଳତି, ଅବକାଶ, ସକାଳ ୮ଟା ୩୦ରେ ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚୁଡି ଭୋଗ ହୋଇଥିଲା । ପରେ ଦଇତାପତି ମାନେ ସେନାପଟା ଲାଗି କରିଥିଲେ । ବିଜେ କାହାଳି ବାଜିବା ପରେ ୯ଟା ୫୫ରେ ବାହୁଡା ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହୋଇଥିଲା । ଜଗମୋହନ ପାଖରେ ଟାହିଆ ଲାଗି କରାଯାଇଥିଲା । ପରେ ପରେ ଧାଡି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ପରେ ଶ୍ରୀବଳଭଦ୍ର ,ଦେବୀ ମା ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ରଥାରୁଢ ହୋଇଥିଲେ । ମଦନମୋହନ ନନ୍ଦିଘୋଷରେ ଓ ରାମକୃଷ୍ଣ ଦର୍ପଦଳନ ରଥରେ ବିଜେ ହୋଇଥିଲେ । ଘଣ୍ଟ ଘଣ୍ଟା, କାହାଳି ଓ ମୃଦଙ୍ଗର ତାଳେ ତାଳେ ପହଣ୍ଡ ପହଣ୍ଡ ପକାଇ ପହଣ୍ଡି ବିଜେ ହୋଇଥିଲେ । ଝୁଲି ଝୁଲି ହଲି ହଲି ଟାହିଆ ହଲାଇ ଆସିବା ଦୃଶ୍ଯ ବେଶ ମନମୁଗ୍ଧକର ହୋଇଥିଲା । ବିଗ୍ରହ ମାନଙ୍କୁ ରଥରେ ରୁନ୍ଧା ଯାଇଥିଲା । ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାମଜାନରେ ଆସି ରଥ ପାଖରେ ପହଞ୍ଚିବା ପରେ ତିନିରଥରେ ଛେରାପହଁରା କରିଥିଲେ । ୨ଟା ୪୦ରେ ଛେରାପହଁରା ଶେଷ ହୋଇଥିଲା । ପରେ ଅପରାହ୍ନ ୨ଟା୫୦ରେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା । ୩ଟା୩୦ରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଅପରାହ୍ନ ୪ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ହରିବୋଲ, ହୁଳୁହୁଳି ,ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି ଓ ବଡଦାଣ୍ଡ । ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ସଂଧ୍ଯା ଅର୍ଥାତ ୯.୩୦ ମିନିଟରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିଲା ନନ୍ଦିଘୋଷ। ସିଂହଦ୍ୱାର ଠାରେ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିବା ପରର ଦୃଶ୍ଯ ଥିଲା ବେଶ ମନୋରମ । ସମସ୍ତ ସେବାୟତ ଏକ ସ୍ୱରରେ ମହାପ୍ରଭୁଙ୍କ ସମ୍ମୁଖ ରେ ଗୀତ ଗୋବିନ୍ଦ ଗାଇବାର ଦେଖାଯାଇଥିଲା । ଶ୍ରୀମନ୍ଦିର ଆଖପାଖ ଅଞ୍ଚଳର ଜୟ ଜଗଦୀଶ ହରେ ନାମ ଗୁଞ୍ଜରିତ ହୋଇଥିଲା ।ଯାହା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।

ସେପଟେ ରବିବାର ଶ୍ରୀଜୀଉଙ୍କର ସୁନାବେଶ ନୀତି ଅନୁଷ୍ଠିତ ହେବ । ଏ ନେଇ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ଭକ୍ତ ମାନେ ବାରିକେଡ ଦେଇ ଦର୍ଶନ ବ୍ୟବସ୍ଥା କରାଯାଇଛି ।

0
0
0
s2sdefault