ବ୍ୟାପକ ସଚେତନତା ଏବଂ ଗୋଷ୍ଠୀ ସଂପୃକ୍ତି ଉପରେ ଗୁରୁତ୍ଵ
ଭୁବନେଶ୍ୱର, ୧୯/୦୬: ବିଶ୍ଵ ସିକିଲ୍ ସେଲ୍ ଦିବସ ଉପଲକ୍ଷେ ଆଜି ୟୁନିସେଫ୍ ଏବଂ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୧ଟି ସମ୍ବେଦନଶୀଳ ଜିଲ୍ଲାରେ ରୋଗର କ୍ଷେତ୍ର ସ୍ତରୀୟ ଚିହ୍ନଟ (ସ୍କ୍ରିନିଂ) ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା । ଅନୁଗୁଳ, ବଲାଙ୍ଗିର, ବାଲେଶ୍ବର, ବରଗଡ଼, ବୌଦ୍ଧ, ବେବଗଡ, ଗଜପତି, ଗଞ୍ଜାମ, ଝାରଶୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାରେ ୪୦ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇ ପ୍ରାୟ ୯୨୦୦୦ ସିକିଲସେଲ ରୋଗୀ ଚିହ୍ନଟ କରାଯାଇଥିଲା ।
ବର୍ତ୍ତମାନ ଅତ୍ୟାଧୁନିକ ସ୍କ୍ରିନିଂ ବ୍ୟବସ୍ଥା, ବ୍ୟାପକ ସଚତନତା ଏବଂ ଦୃଢ ଗୋଷ୍ଠୀ ସଂପୃକ୍ତି (କମ୍ୟୁନିଟି ଇନଭଲବମେଣ୍ଟ) ମାଧ୍ୟମରେ ରୋଗୀମାନଙ୍କର ଯତ୍ନ ଏବଂ ରୋଗ ନିରାକରଣ ଅଭିଯାନ ଚାଲୁ ରହିଛି । ଜନ ସମୁଦାୟରେ ବିଶେଷତଃ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ମଧ୍ୟରେ ସିକିଲ୍ ସେଲ୍ ର ବୋଝ କମାଇ ନାଗରିକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ହେଉଛି ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।
ୟୁନିସେଫ୍ ର ଓଡ଼ିଶା ଦାୟିତ୍ୱରେ ଥିବା ମାନ୍ନା ବିଶ୍ୱାସ ଏହି ଶିବିରରେ ଯୋଗଦେଇ କହିଥିଲେ ବିଳମ୍ବରେ ରୋଗ ନିରୂପଣ ଭଳି ସମସ୍ୟା ଗୁଡିକର ସମାଧାନ କରିବାକୁ ହେବ । ଏହି ସମସ୍ୟା ବିଶେଷତଃ ପଛୁଆ ବର୍ଗ ଏବଂ ଆଦିବାସୀ ଜନଜାତିମାନଙ୍କ ମଧ୍ୟରେ ପରିଲକ୍ଷିତ ହୁଏ । ବ୍ୟାପକ ସଚେତନତା ଏବଂ ଗୋଷ୍ଠୀ ସହଯୋଗ ମାଧ୍ୟମରେ ରୋଗକୁ ପ୍ରଥମରୁ ଚିହ୍ନଟ କରାଯାଇପାରିବ । ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ହେଲେ ରୋଗର ସୁପରିଚାଳନା କରାଯାଇପାରିବ ଯାହାକି ସିକିଲ ମୁକ୍ତ ଭବିଷ୍ୟତ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ । ଶିବିରରେ ସିକିଲ୍ ସେଲ୍ କୁ ଜୟ କରିଥିବା ଯୋଦ୍ଧା ମାନଙ୍କର ଆତ୍ମକଥା ବେଶ ହୃଦୟସ୍ପର୍ଶୀ ଓ ପ୍ରେରଣାଦାୟକ ହୋଇଥିଲା ।
ସ୍ଵାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଡାକ୍ତର ମୋହନ ବେବର୍ତ୍ତା, ରାଜ୍ୟ ରକ୍ତ ସୁରକ୍ଷା ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ପାତ୍ର, ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ଦିଲୀପ କୁମାର ପଣ୍ଡା, ଭେଷଜ ଶିକ୍ଷା ଓ ତାଲିମର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଉମାକାନ୍ତ ଶତପଥୀ ପ୍ରମୁଖ ଏହି ଶିବିରରେ ଭାଗ ନେଇ ସିକିଲସେଲ ନିରାକରଣର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ପ୍ରସ୍ତୁତ ପୋଷ୍ଟର, ଆନିମେସନ ଭିଡିଓ, ରୋଗୀ ପୁସ୍ତିକା ଏବଂ ସୂଚନା ଶିକ୍ଷା ଓ ଯୋଗାଯୋଗ ପତ୍ର ଆଦିକୁ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ ।