ମେ ମାସ ୫ ତାରିଖ ୧୮୬୪ ମସିହାରେ ମହାନ କ୍ରାନ୍ତିକାରୀ ବିପ୍ଳବୀ ଧରଣୀଧର ନାଏକ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କୁସୁମିତା ଗ୍ରାମରେ ଲଇଛଣ ନାଏକ ଓ ବାଇଗଣୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ବାକପଟୁତା ଚପଳତା ଲାଗି ତାଙ୍କ ପ୍ରତିଭା ଜଣାଯାଇଥିଲା। ଛୁଆ ବେଳେ ଅନେକ ଘଟଣା ତାଙ୍କ ବିଷୟରେ କେନ୍ଦୁଝର ଗଡ଼ଜାତରେ ଚର୍ଚ୍ଚା ସୃଷ୍ଟି କରିଥିଲା। ତାଙ୍କ ମୁଣ୍ଡ ଉପରେ କୁଆଡେ ସାପ ଫଣା ଟେକିଥିଲା ପୁଣି ସେ ଇନ୍ଦ ଯାତ୍ରାରେ ଚୁଳିଆ ପର୍ବତ ଯାଇ ହଜିଯାଇ ସକାଳେ ଏକ ହାତୀ ଛୁଆ ଧରି ଫେରିଥିଲେ ବୋଲି କୁହାଯାଇଥିଲା। ତେଣୁ ସେ ବଶୀକରଣ ବିଦ୍ୟା ଜାଣିଛନ୍ତି ମହାବଳ ବାଘକୁ ବଶ କରିଦେବେ ବୋଲି ଖୁବ୍ ପ୍ରଚାର ହୋଇଥିଲା। ଏହିପରି ସେ କ୍ରମେ ଗ୍ରାମ ସ୍କୁଲରୁ ଶିକ୍ଷା ସମାପ୍ତ କରି କେନ୍ଦୁଝର ରାଜ ସହାୟତାରେ ବୃତ୍ତି ପାଇ କଟକ ସର୍ଭେ ସ୍କୁଲ ଯାଇ ସର୍ଭେୟର ପାଠ ପଢି ସଫଳତାର ସହ ପାଶ୍ କରିଥିଲେ। ପାଠ ସାରି ୧୮୮୭ରେ କେନ୍ଦୁଝର ଫେରି ରାଜ କାର୍ଯ୍ୟରେ ଯୋଗ ଦେଲେ ହେଲେ ସମସ୍ତେ ଚୌକିରେ ବସି କାମ କଲାବେଳେ ତାଙ୍କୁ ତଳେ ବସେଇ କାମ କରିବାକୁ ବାଧ୍ୟ କରାଯାଇଥିଲା। ମନରେ ରୋଷ ଥାଇ ସେ ନିଷ୍ଠାର ସହ କାମ କରୁଥିଲେ ହେଲେ କିଛି ଦିନ ପରେ ସେ ମୟୁରଭଂଜ ଷ୍ଟେଟରେ ଯୋଗ ଦେଲେ। କିନ୍ତୁ ହଠାତ୍ ଚମ୍ପୁଆ, ଗୋଧୂଳି ଅଞ୍ଚଳର କିଛି ଜମି ସିଂହଭୂମ ଅଞ୍ଚଳ ଲୋକେ ମାଡ଼ି ବସିବାରୁ ଏହାର ସମାଧାନ ଲାଗି କେନ୍ଦୁଝର ରାଜ ପ୍ରଶାସନ ପକ୍ଷରୁ ଧରଣୀଧରଙ୍କୁ ଡକାଗଲା। ଧରଣୀ ନିଜ ବିଚକ୍ଷଣ ବୁଦ୍ଧି ବଳରେ ଏହାର ସମାଧାନ କଲେ ଯେ ଆଜି ଯାଏ ଲୋକେ ଏହାକୁ ମାନୁଛନ୍ତି। ତେଣୁ ଏହି ସଫଳତା ପରେ ସମଗ୍ର କେନ୍ଦୁଝର ଗଡ଼ଜାତରେ ଧରଣୀଙ୍କ ଖ୍ୟାତି ବଢ଼ିଗଲା ଯାହାକୁ କିଛି ଲୋକ ହିଂସା କଲେ। ତେଣୁ ଧରଣୀ ଚାକିରି ଛାଡ଼ି ଦେଇ ନିଜ ଜାତି ଭାଇଙ୍କ ସେବା କରିବାକୁ ବାହାରି ଅଞ୍ଚଳ ବୁଲି ସମସ୍ୟା ଦେଖି ଖୁବ୍ ଦୁଃଖିତ ହେଲେ। ଆଦିବାସୀ ଭୂୟାଁ ଲୋକେ ସେତେବେଳେ ଖୁବ୍ ଅବହେଳିତ ଥିଲେ। ଏହି ସମୟରେ କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣଙ୍କ ପକ୍ଷରୁ କେନ୍ଦୁଝରଗଡ଼କୁ ପାଣି ଆଣିବାକୁ ମାଛକାନ୍ଦଣା ନାଳ ଉପରେ ବନ୍ଧ ଆରମ୍ଭ ହେଲା। ମାତ୍ର ଦଶ ହଜାର ଟଙ୍କା ଖର୍ଚ୍ଚକୁ ବଞ୍ଚାଇବାକୁ ଆସିଷ୍ଟାଣ୍ଟ ମ୍ୟାନେଜର ବିଚିତ୍ରାନନ୍ଦ ଦାସ ଭୂୟାଁ ଲୋକଙ୍କୁ ବେଠି ଖଟାଇବାକୁ ନିଷ୍ପତ୍ତି ନେଇ ଅତ୍ୟାଚାର କଲେ। ଚାବୁକ ମାଡ଼ ଦେଇ ଲୋକଙ୍କୁ କାମରେ ଲଗାଯାଇଥିଲା। ଏହା ଦେଖି ଧରଣୀଧର ବିଦ୍ରୋହ କରିବାକୁ ଆହ୍ବାନ ଦେଇ ଗାଁ ଗାଁ ବୁଲି ଲୋକଙ୍କୁ ଏକଜୁଟ କଲେ। ମୁଣ୍ଡତୋପା ଗ୍ରାମର ଭୂୟାଁ କୁଳଗୁରୁ ହିରଣ୍ୟ ସର୍ଦ୍ଦାର ଓ ସିପାହୀ ବିଦ୍ରୋହର ଯୋଦ୍ଧା ନରେନ୍ଦ୍ର ମହାପାତ୍ର ଏହି ସମୟରେ ଧରଣୀଙ୍କୁ ମାର୍ଗଦର୍ଶନ କରିଥିଲେ। ବିଦ୍ରୋହ ଆରମ୍ଭ ହେଲା ଅତ୍ୟାଚାର ଅନାଚାର ଲୁଟ ବିରୁଦ୍ଧରେ ଥିଲା। ଆଜିବି କେନ୍ଦୁଝର ଜିଲ୍ଲାରେ ଖଣି ଖାଦାନ ଲୁଟ ଚାଲିଛି ଧରଣୀଧରଙ୍କ ସିଦ୍ଧାନ୍ତ ସବୁବେଳେ ଲୋକଙ୍କ ମନ ଭିତରେ କଡ଼ ଲେଉଟାଇ ଥାଏ ଲୋକେ ବିଦ୍ରୋହ କରିବାକୁ ଉଦ୍ୟମ କରନ୍ତି। ଏହିପରି କୋହ୍ଲ ଭୂୟାଁ ଲୋକେ ସେତେବେଳେ ଚମକପୁର ଦଣ୍ଡପାଟରେ ଏକଜୁଟ ହୋଇ କେନ୍ଦୁଝର ରାଜ କର୍ମଚାରୀଙ୍କୁ ବିରୋଧ କରି ଘଉଡାଇ ଦେଲେ। ଧରଣୀ ଚମ୍ପୁଆ ଆଡୁ ସହସ୍ରାଧିକ ସମର୍ଥକ ଧରି କାଳିକାପ୍ରସାଦ ଦଣ୍ଡପାଟରେ ପହଞ୍ଚିଲେ ପାଇକ ଅବରୋଧ ହଟାଇ ଦେଲେ। ସବୁ ଆଡୁ ବିଦ୍ରୋହୀ ମିଶି ହଜାର ହଜାର ସଂଖ୍ୟାରେ କେନ୍ଦୁଝରଗଡ଼ ଆଡ଼କୁ ମାଡ଼ି ଆସିଲେ। ଏହି ଦେଖି କେନ୍ଦୁଝର ରାଜା ନଅର ଛାଡ଼ି ଆନନ୍ଦପୁର ଦେଇ କଟକ ଚାଲିଗଲେ। ଧରଣୀଧର କେନ୍ଦୁଝର ରାଜପ୍ରସାଦକୁ ୨୯ ଦିନ ଧରି ଅବରୋଧ କରିଥିଲେ। ଏହାପରେ ସଦର ବ୍ଲକ ରାଇସୁଆଁ ଆମ୍ବ ତୋଟାରେ ସେ ରାଜକାର୍ଯ୍ୟ ଆରମ୍ଭ କରି ଖଜଣା ଟିକସ ବେଠି ବେଗାରିରୁ ଲୋକଙ୍କୁ ମୁକ୍ତ ବୋଲି ଘୋଷଣା କଲେ। କିନ୍ତୁ ସେତେବେଳେ କେନ୍ଦୁଝର ଗଡଜାତର ମ୍ୟାନେଜର ଥିବା ଫକୀର ମୋହନ ସେନାପତି କଟକରେ ରାଜାଙ୍କ ସହ ମିଶି ବ୍ରିଟିଶ ସାହାଯ୍ୟ ଲାଗି କଲିକତା ଟେଲିଗ୍ରାମ କରି ସେମାନଙ୍କୁ ପ୍ରଭାବିତ କରିଥିଲେ। ବିଦ୍ରୋହ ଦମନ ଲାଗି ଆଶ୍ଵାସନା ପାଇ ଫକୀରମୋହନ କିଛି ପାଇକ ସେନା ଧରି କେନ୍ଦୁଝର ଆସିବା ବେଳେ ବାସ ଘାଟିରେ ଗିରଫ ହୋଇ ରାଇସୁଆଁ ଆସିଲେ। ସେଠାରେ ଧରଣୀ ତାଙ୍କୁ କ୍ଷମା ଦେଇ ରାଜକାର୍ଯ୍ୟ ପୁଣି ଦେଇ ଜମି ପ୍ରଦାନ କରିଥିଲେ। ହେଲେ ଫକୀର ମୋହନ ସେଠାରୁ ଚଞ୍ଚକତା କରି ପାନ ଗୁଆ ଚିଠି ବ୍ରିଟିଶଙ୍କୁ ଲେଖିଲେ। ଯାହାକୁ କଟକରେ ରାଜ ଓ ବ୍ରିଟିଶ ଭକ୍ତମାନେ ଅନୁବାଦ କରି ବ୍ରିଟିଶଙ୍କ ପାଖରୁ ୧୦୦ ସିପାହୀ ସହ ୨୦୦ ଗୁଳି ମଗେଇଥିଲେ। ତେଣୁ ଚାଇଁବସାରୁ ଡାଉସନ୍ ସାହେବ ଫଉଜ ଧରି ରାଇସୁଆଁ ପହଞ୍ଚିଲେ ହେଲେ ପୂର୍ବରୁ ରାଜା ଅତ୍ୟାଚାର ବିରୁଦ୍ଧରେ ଅଭିଯୋଗ ପତ୍ର ଦେଇଥିବା ଧରଣୀ ବିରୋଧ ତାଙ୍କୁ କରିନଥିଲେ। ଏହାପରେ ଧରଣୀଧର ଗିରଫ ହୋଇ ୭ ବର୍ଷ ଜେଲ ଦଣ୍ଡ ପାଇ ଭଲ କାମ ଲାଗି ୧୮୯୭ ମସିହାରେ ଜେଲରୁ ଖଲାସ ହେଲେ। କିନ୍ତୁ ତାଙ୍କୁ କେନ୍ଦୁଝର ଆସିବାକୁ ଦିଆଯାଇନଥିଲା ସେ ବାଧ୍ୟ ହୋଇ ପୁରୀ ବାଙ୍କୀ ମୁହାଣରେ ତପସ୍ୟା କରି ତିନି ବର୍ଷ ପରେ ଆଳି ଯାଇ ଦେମାଳ ଚନ୍ଦନ ପୋଖରୀ ପାଖରେ ଏକ କୁଟୀର କରି ରହିଲେ। ସେଠାରେ ସେ ଲୋକଙ୍କ ସେବା କରୁଥିଲେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ମାର୍ଗଦର୍ଶନ କରି ଉପଦେଶ ଦେଉଥିଲେ। ଏହିପରି ସେ ସେଠାରେ ୧୯୦୦ ମସିହାରୁ ରହି ୧୯୪୪ ମସିହା ବୈଶାଖ ପୂର୍ଣ୍ଣିମା ଦିନ ଇହଲୀଳା ସମ୍ବରଣ କରିଥିଲେ। ଜଣେ ବିପ୍ଳବୀଙ୍କୁ ଚଞ୍ଚକତା କରି ନିଜ ଅଞ୍ଚଳ ବାହାରେ ରହିବାକୁ ବାଧ୍ୟ କରାଯାଇଥିଲା ସେ ଚିରକୁମାର ରହିଥିଲେ। ସେତେବେଳେ ସେ ଥିଲେ ଖଣି ଖାଦାନ ଯେପରି କମ୍ପାନୀମାନେ ନେଲେ ପୁଣି ନିଶ୍ଚିତ ବିଦ୍ରୋହ କରିଥାଆନ୍ତେ। କେନ୍ଦୁଝର ବୀରକୁ ସବୁଦିନ ଲାଗି ନିର୍ବାସନ କରି ରଖାଯାଇଥିଲା ବ୍ରିଟିଶ ମାନେ ସେ ୧୯୧୪ରେ ମରି ଯାଇଥିଲେ ବୋଲି ପ୍ରଶାସନିକ ନୋଟ କରି ଯାଇଥିଲେ ଯେ ଏବର ପ୍ରଶାସନ ମଧ୍ୟ ତାହାକୁ ମାନୁଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଫଟୋ ରହିଛି କି ମୃତ୍ୟୁ ୧୯୧୪ରେ ହେଇଥିଲା ଯାହା ଗୁରୁତର ତୃଟି।ଜଣେ ମହାନ ସଂଗ୍ରାମୀ ୧୯୪୪ ରେ ମୃତ୍ୟୁବରଣ କରିଥିଲେ ମଧ୍ୟ ଅନ୍ୟାୟ ଭାବେ ୧୯୧୪ ଲେଖା ରହିଛି। ଦେମାଳ ଚନ୍ଦନ ପୋଖରୀ ପାଖେ ଏହି ମହାନ ବ୍ୟକ୍ତିତ୍ଵଙ୍କ ସମାଧି ଅବହେଳିତ ହୋଇ ପଡ଼ିରହିଛି। ଆଜି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢେଇ ଲାଗି ଧରଣୀଧରଙ୍କ ସିଦ୍ଧାନ୍ତର ଖୁବ୍ ଆବଶ୍ୟକତା ଥିବା ବେଳେ ଆମେ ତାଙ୍କୁ ଅବହେଳା କରି ଅପମାନିତ କରିଚାଲିଛନ୍ତି । ତେଣୁ ଧରଣୀଧରଙ୍କ ପୂର୍ଣ୍ଣାଙ୍ଗ ଇତିହାସ ଆଜି ଲେଖିବାର ଆବଶ୍ୟକ ରହିଛି ଆଗାମୀ ଉତ୍ତର ପୀଢ଼ି ତାଙ୍କର ଲଢେଇ ବୀରତ୍ଵ ତ୍ୟାଗ ଗାଥା ଜାଣି ନିଶ୍ଚିତ ଅନୁପ୍ରାଣିତ ହେବେ।
ଦିଲୀପ କୁମାର ସାହୁ,କେନ୍ଦୁଝର,ମୋ - ୯୪୩୭୩୭୮୭୯୨।