ଭୋଗିବେ ଆଜୀବନ କାରାଦଣ୍ଡ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ ତଣ୍ଟି ଚିପି ନିଜ ଧର୍ମପତ୍ନୀଙ୍କୁ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ବିଭୁ ପ୍ରସାଦ ପଣ୍ଡା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜାଡ଼ିୱାଡା ଗ୍ରାମ ନିବାସୀ ତଥା ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମରାରେ ବର୍ତ୍ତମାନ ବସବାସ କରୁଥିବା ଅଭିଯୁକ୍ତ ରେଗାଟି ଧନୁଞ୍ଜୟ ଓରଫ ରକୋଟି ଧନୁଞ୍ଜୟ (୩୮ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି।
ସେହିପରି ଘରୋଇ ଅତ୍ୟାଚାର ପାଇଁ ରହିଥିବା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୯୮(କ)ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ତିନି ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ଏତଦବ୍ୟତୀତ ଯୌତୁକ ଦାବିକୁ ନେଇ ଉଦ୍ଦିଷ୍ଟ ଧାରା ୪ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷର ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଦୁଇ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୮ମସିହା ଏପ୍ରିଲ ମାସରେ ହିନ୍ଦୁ ରୀତିନୀତି ଅନୁଯାୟୀ ଅଭିଯୁକ୍ତଙ୍କର ମୃତକ ରେଗାଟି ପେଣ୍ଟମ୍ମା (୨୦ବର୍ଷ)ଙ୍କ ସହ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଜାଡ଼ିୱାଡା ଗ୍ରାମରେ ବିବାହ ହୋଇଥିଲା। କିଛି ଦିନ ଭଲରେ ରହିବା ପରେ ଅଭିଯୁକ୍ତଜଣଙ୍କ ପଲାସାରେ ଗ୍ୟାରେଜ କରିବାକୁ ନେଇ ଅଧିକ ଯୌତୁକ ଦାବି କରି ଶେଷରେ ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମରା ଗ୍ରାମରେ ଭଡାଘର ନେଇ ଏକ ଗ୍ୟାରେଜ ଖୋଲିଥିଲେ। କିନ୍ତୁ ଅଧିକ ଯୌତୁକକୁ ନେଇ ତାଙ୍କୁ ସବୁବେଳେ ନିର୍ଯ୍ୟାତନା ଦେଇଆସୁଥିଲେ। ଘଟଣାଦିନ ସକାଳେ ଯେତେବେଳେ ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ନିବାସୀ କେ. ରାମାରାଓ ଯିଏ କି ମୃତକଙ୍କ ମାମୁଁ ହେବେ ଖବର ପାଇଲେ ଯେ ମୃତକ ଜଣଙ୍କ ବେକରେ ଚୁନି ଗୁଡେଇ ହୋଇ ମରିପଡିଛନ୍ତି ଓ ସ୍ୱାମୀଙ୍କ ବ୍ୟତୀତ ଆଉ କେହି ନାହାନ୍ତି ସେତେବେଳେ ସେ ସନ୍ଦେହରେ ଅଭିଯୁକ୍ତଙ୍କ ନାଁରେ ଥାନାରେ ଗୁରାଣ୍ଡି ଥାନାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ସଙ୍ଗିନ ମାମଲା ଦାୟର କରିଥିଲେ ଯାହାକି ମାମଲା ନମ୍ବର ୯୭ ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ତତ୍କାଳୀନ ସବ-ଇନ୍ସପେକ୍ଟର ମୁକେଶ କୁମାର ବେହେରା ଓ ମୁକେଶ କୁମାର ଲାକ୍ରା ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ ତଥା ଜାଣିବାକୁ ପାଇଥିଲେ ମୃତ୍ୟୁ ଘଟିଥିଲା କେବଳ କ୍ଳଚ ତାରରେ ବେକକୁ ଚିପି ଦେବାରୁ। ଆଜି ୧୩ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ଦସ୍ତାବିଜକୁ ଆଧାର କରି ଶେଷରେ ମାନ୍ୟବର ନ୍ୟାୟାଧୀଶ ଏହି ରାୟ ପ୍ରଦାନ କରିଛନ୍ତି।








