ହେଡଲାଇନସ୍:

ଗାଙ୍ଗପୁର ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ଗାଙ୍ଗପୁର ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀ ଆଜି ସେକ୍ଟର-୮ ସ୍ଥିତ ଗାଙ୍ଗପୁର ମଜଦୁର ମଞ୍ଚ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀ ପାଇଁ ଧାର୍ଯ୍ୟ ଥିବାବେଳେ ଚଳିତ ବର୍ଷ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବା ସହ ଗାଙ୍ଗପୁର ମଜଦୁର ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଏଥିରେ ଯୋଡି ହୋଇଯାଇଛି। ଗାଙ୍ଗପୁର ମଜଦୁର ମଞ୍ଚର ପ୍ରତିଷ୍ଠାତା ଓ ସଭାପତି ତଥା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ବର୍ଗତଃ ଜର୍ଜ ତିର୍କୀଙ୍କ ଦେହାନ୍ତ ଏବଂ ଉପସଭାପତି ସୁଲେମାନ କଉଡିଆଙ୍କ ଦେହାନ୍ତ ହୋଇଯାଇଥିବାରୁ ଗାଙ୍ଗପୁର ମଜଦୁର ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ରାଉରକେଲା ଇସ୍ପାତ କାରଖାନାର ସ୍ବୀକୃତିପ୍ରାପ୍ତ ୟୁନିୟନ ଆରଏସ୍ଏସ୍ ନିକଟରୁ ଅଲଗା ହୋଇ ସ୍ବତନ୍ତ୍ର ନିର୍ବାଚନ ଲଢିବା ପାଇଁ ଘୋଷଣା ପରେ, ଗାଙ୍ଗପୁର ମଜଦୁର ମଞ୍ଚର କର୍ମକର୍ତ୍ତାଙ୍କ ନିର୍ବାଚନ ଆଜିର ବାର୍ଷିକ ସମ୍ମିଳନୀ ସହିତ ଅନୁଷ୍ଠିତ ହୋଇଥିଲା।
ଗାଙ୍ଗପୁର ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀ ଅବସରରେ ମୁଖ୍ୟଅତିଥି ଭାବେ ସବୁଜ ବିପ୍ଲବୀ ନେତା ପ୍ରଫୁଲ୍ଲ ସାମନ୍ତରାୟ, ସମ୍ମାନୀୟ ଅତିଥି ଭାବେ ବୀରମିତ୍ରପୁର ବିଧାୟକ ତଥା ଗାଙ୍ଗପୁର ମଜଦୁର ମଞ୍ଚର କାର୍ଯ୍ଯକାରୀ ସଭାପତି ରୋହିତ ଯୋଶେଫ ତିର୍କୀ, ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ, ଉପସଭାପତି ଥମାସ୍ ଟପ୍ପୋ ଏବଂ ମାଙ୍ଗେ ଏକ୍କା ପ୍ରମୁଖ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ସହ ବିରମିତ୍ରପୁରର ପୂର୍ବତନ ବିଧାୟକ ତଥା ଗାଙ୍ଗପୁର ମଜଦୁର ମଞ୍ଚର ପ୍ରତିଷ୍ଠାତା ଓ ସଭାପତି ସ୍ବର୍ଗତଃ ଜର୍ଜ ତିର୍କୀ ଏବଂ ଉପସଭାପତି ସ୍ବର୍ଗତଃ ସୁଲେମାନ କଉଡିଆଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ଗାଙ୍ଗପୁର ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀ ଅବସରରେ ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ ତାଙ୍କ ବକ୍ତବ୍ୟରେ ମଜଦୁର ମଞ୍ଚର ସମସ୍ତ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ରାଉରକେଲା ଇସ୍ପାତ କାରଖାନାର ଆଗାମୀ ୟୁନିୟନ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ ଏକାକୀ ନିର୍ବାଚନ ଲଢିବା ସହିତ ଶ୍ରମିକଙ୍କ ନାର୍ଯ୍ୟ ଦାବିକୁ ଇସ୍ପାତ କାରଖାନା ଓ ସରକାରଙ୍କ ପାଖରେ ଉପସ୍ଥାପିତ କରିବ। ବର୍ତ୍ତମାନ କେନ୍ଦ୍ର ସରକାର ଆଗରୁ ଥିବା ୪୪ଟି ଶ୍ରମ କୋର୍ଡକୁ ପରିବର୍ତ୍ତନ କରି ୪ଟି ଶ୍ରମ କୋର୍ଡ଼ ଆଣିଥିବାରୁ ଗାଙ୍ଗପୁର ମଜଦୁର ମଞ୍ଚ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ଶ୍ରମିକମାନଙ୍କ ନ୍ଯାର୍ଯ୍ଯ ଦାବି ନେଇ ଲଢିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ବିରମିତ୍ରପୁର ବିଧାୟକ ଓ ମଜଦୁର ମଞ୍ଚର କାର୍ଯ୍ଯକାରୀ ସଭାପତି ରୋହିତ ଯୋଶେଫ ତିର୍କୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ତାଙ୍କ ପିତା ସ୍ବର୍ଗତଃ ଜର୍ଜ ତିର୍କୀ ଶ୍ରମିକଙ୍କ ସ୍ବାର୍ଥ ତଥା ଆଦିବାସୀଙ୍କ ସ୍ବାଭିମାନ ପାଇଁ ଯେପରି ଜଳ, ଜଙ୍ଗଲ ଓ ଜମି ପାଇଁ ଯେପରି ଲଢିଥିଲେ ସେ ମଧ୍ୟ ତାଙ୍କ ପିତା ତଥା ଗାଙ୍ଗପୁର ମଜଦୁର ମଞ୍ଚର ସ୍ବାର୍ଥକୁ ସର୍ବାଗ୍ରେ ରଖି ଲଢିବେ ବୋଲି କହିଥିଲେ। ଗାଙ୍ଗପୁର ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀର ମୁଖ୍ୟ ଅତିଥି ତଥା ସବୁଜ ବିପ୍ଲବର ପୁରୋଧା ପ୍ରଫୁଲ୍ଲ ସାମନ୍ତରାୟ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନର ସରକାର ୪୪ଟି ଶ୍ରମ କୋର୍ଡ଼ ବଦଳରେ ୪ଟି ଶ୍ରମ କୋର୍ଡ଼ ଆଣିଥିବାରୁ କ୍ଷୋଭ ପ୍ରକାଶ କରିବା ସହ ରାଉରକେଲା ଇସ୍ପାତ କାରଖାନା ଅଧିନରେ ଥିବା ଖଣିଗୁଡିକୁ କିପରି ଆଦାନୀ ଗୃପକୁ ଟେକି ଦିଆଯାଇଛି ଏବଂ ଆଗାମୀ ଦିନରେ କାରଖାନାକୁ ଘରୋଇ କମ୍ପାନୀ ହାତରେ ଟେକି ଦିଆଯିବ ତାହାର ଅବତାରଣା କରିଥିଲେ। ଆଦିବାସୀଙ୍କ ଅଧିକାର ପାଇଁ ଲଢୁଥିବା ଗାଙ୍ଗପୁର ମଜଦୁର ମଞ୍ଚର ପ୍ରତିଷ୍ଠାତା ତଥା ସଭାପତି ସ୍ବର୍ଗତଃ ଜର୍ଜ ତିର୍କୀ ଜଳ, ଜଙ୍ଗଲ ଓ ଜମି ପାଇଁ ଲଢୁଥିଲେ। ଆଗାମୀ ଦିନରେ ଆଦିବାସୀ ଓ ଶ୍ରମିକଙ୍କ ସ୍ବାଭିମାନକୁ ଦୃଷ୍ଟି ରଖି ଗାଙ୍ଗପୁର ମଜଦୁର ମଞ୍ଚ ଜଳ, ଜଙ୍ଗଲ ଓ ଭୂମି ପାଇଁ ଲଢିବା ସହିତ ଶ୍ରମ ଆଇନ, ସ୍ବଚ୍ଛ ଜଳ, ଖଣି ପାଇଁ ଲଢିବ ବୋଲି କହିଥିଲେ।
ଗାଙ୍ଗପୁର ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀରେ ମଜଦୁର ମଞ୍ଚର ନୂତନ କାର୍ଯ୍ଯକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଏହି ନୂତନ କାର୍ଯ୍ଯକର୍ତ୍ତାଙ୍କ ମଧ୍ଯରେ ଗାଙ୍ଗପୁର ମଜଦୁର ମଞ୍ଚର ସଭାପତି ଭାବରେ ବିରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀଙ୍କୁ ନିର୍ବାଚିତ କରାଯାଇଥିବା ବେଳେ କାର୍ଯ୍ଯକାରୀ ସଭାପତି ଭାବେ ମାଙ୍ଗେ ଏକ୍କା, ଉପସଭାପତି ଭାବରେ ଥମାସ୍ ଟପ୍ପୋ, ବାସିଲ ଏକ୍କା, ଚିତ୍ତରଞ୍ଜନ ଭୂମିଜ, ବିଷ୍ଣୁ ମହାନ୍ତ, ରାଜେଶ ତିର୍କୀ ନିର୍ବାଚିତ ହୋଇଛନ୍ତି। ଗାଙ୍ଗପୁର ମଜଦୁର ମଞ୍ଚର ମାର୍ଗ ଦର୍ଶକ ଭାବରେ ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ନିର୍ବାଚିତ କରାଯାଇଥିଲା ବେଳେ ସାଧାରଣ ସମ୍ପାଦକ ଭାବେ ଗୋପାଳ ଦାସ ଏବଂ କୋଷାଧ୍ୟକ୍ଷ ଭାବେ ଆନନ୍ଦ ଟପ୍ନୋଙ୍କୁ ନିର୍ବାଚିତ କରାଯାଇଛି।
ଆଜିର ବାର୍ଷିକ ସମ୍ମିଳନୀ ଶେଷରେ ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ ସ୍ବାଭିମାନ କେ ସାଥ୍ ଜିଏଙ୍ଗେ, ସ୍ବାଭିମାନ କେ ସାଥ୍ ଜିତେଙ୍ଗ ସ୍ଲୋଗାନ ଦିଆଯାଇ ସମ୍ମିଳନୀ ଶେଷ କରାଯାଇଥିଲା।

0
0
0
s2sdefault