ପ୍ରସ୍ତାବିତ ପ୍ରକଳ୍ପ ନେଇ ଉପୁଜିଥିବା ସମସ୍ୟାର ଅନୁଧ୍ୟାନ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ଏରସମା ବ୍ଲକର ଢ଼ିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଉପୁଜିଥିବା ଏ ଅଞ୍ଚଳର ସାଧାରଣ ଜନତାଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏହି ପ୍ରତିନିଧି ଦଳ ଢ଼ିଙ୍କିଆ ଠାରେ ଆସି ପହଞ୍ଚିଥିଲେ । ଏହି କଂଗ୍ରେସ୍ ପ୍ରତିନିଧି ଦଳରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଭବାନୀ ପାଟଣା ବିଧାୟକ ସାଗର ଦାସ ପ୍ରମୁଖ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳରେ ଆସି ପହଞ୍ଚି ପରିସ୍ଥିତିର ପ୍ରତ୍ୟେକ୍ଷ ଅନୁଧ୍ୟାନ ପାଇଁ ଏହି ଗ୍ରସ୍ତ କ୍ରମ ଉଦ୍ଦେଶ୍ୟ ରହିଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ । ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ସ୍ଥାନୀୟ ଫୁଲଖାଇ ଠାକୁରାଣୀ ପୀଠରେ ଅନୁଷ୍ଠିତ ହୋଇଥିଲା । ଏହି ସାଧାରଣ ସଭାରେ ଜିଲାପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ, ବରିଷ୍ଠ କଂଗ୍ରେସ ନେତା ଇଂ ନଳିନୀ ସ୍ୱାଇଁ, ଯୁବନେତା ଦେବେନ୍ଦ୍ର ସ୍ୱାଇଁ, ସରପଞ୍ଚ ପିଙ୍କି ଦାସ, ଜିଲା କଂଗ୍ରେସ ସଭାପତି ନଟବର ବାରିକ, ଜଗତସିଂହପୁର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଚନ୍ଦନ ମହାନ୍ତି, ଶାନ୍ତି ଦାସ, ଶାନ୍ତି ସେଠୀ, ମାଗୁ ନାୟକଙ୍କ ସହିତ ଶତାଧିକ ଅଞ୍ଚଳ ବାସୀ ଉପସ୍ଥିତ ହୋଇ ପ୍ରଶାସନ ବିନା ଗ୍ରାମ ସଭାରେ ଜନସାଧାରଣ ଙ୍କ ବିନା ସହମତିରେ ଜୋର୍ ଜବରଦସ୍ତ କମ୍ପାନୀ କୁ ହଜାର ହଜାର ଏକର ଜଙ୍ଗଲ ଜମି ଟେକି ଦିଆ ଯାଇଛି ବୋଲି ଦୃଢ଼ ଅଭିଯୋଗ କରିଛନ୍ତି । ଯାହା ଫଳରେ କି, ଜଙ୍ଗଲ ଜମି ଅଧିକାର ଆଇନ୍ ଉଲ୍ଲଙ୍ଗନ ହେବା ସହିତ ଦୀର୍ଘ ବର୍ଷ ଧରି ଜଙ୍ଗଲ ଜମି ଉପରେ ନିର୍ଭର କରି ବସବାସ ଚଳି ଆସିଥିବା ଏ ଅଞ୍ଚଳ ବାସୀ ଙ୍କ ଜୀବନ ଜୀବିକା ଉଜୁଡ଼ି ଯିବା ସହିତ ସେମାନଙ୍କର ତେଲ ଲୁଣ ସଂସାର ଉଚ୍ଛନ୍ନ ହୋଇ ପଡ଼ିଛି ବୋଲି ଅଞ୍ଚଳ ବାସୀ ଏହି ସଭାରେ ଦୃଢ଼ ପ୍ରତିବାଦ କରାଯାଇଥିଲା । ଏହି ସାଧାରଣ ସଭାରେ କଂଗ୍ରେସ୍ ପ୍ରତିନିଧି ଦଳର ବିଧାୟକ ଶ୍ରୀ ଗମାଙ୍ଗ ଓ ଶ୍ରୀ ଦାସ ଜନସାଧାରଣ ଙ୍କ ଅଭିଯୋଗ ଓ ସମସ୍ୟା କୁ ହୃଦୟଙ୍ଗମ କରି ସରକାରଙ୍କ ଏତାଦୃଶ ଜନ ବିରୋଧ ନୀତି କୁ ନାପସନ୍ଦ କରିଥିଲେ । ସେମାନେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଶିଳ୍ପ ପ୍ରତିଷ୍ଠା ନାଁରେ ଜନସାଧାରଣ ଙ୍କ ଜୀବନ ଜୀବିକା କୁ ଉଜାଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବରଂ ସେମାନଙ୍କ ସହିତ ଆଲୋଚନା ଓ ସହମତି ଭିତ୍ତିରେ ଶିଳ୍ପ ପ୍ରତିଷ୍ଠା କଲେ ତାହା ଏ ଅଞ୍ଚଳ ବାସୀଙ୍କ ପାଇଁ ଶୁଭଙ୍କରୀ ହେବ ବୋଲି ମତ ପ୍ରକାଶ କରିଥିଲେ । ବିଧାନ ସଭାରେ ଏ ଅଞ୍ଚଳର ଜନସାଧାରଣ ବିଭିନ୍ନ ସମସ୍ୟା ଉଠା ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେ ଏହି ପ୍ରତିନିଧି ମଣ୍ଡଳୀ ଗଡ଼ କୁଜଙ୍ଗ ଓ ନୂଆଗାଁ କୁ ଗ୍ରସ୍ତ କରି ପ୍ରସ୍ତାବିତ ପ୍ରକଳ୍ପ ନେଇ ଉପୁଜିଥିବା ସମସ୍ୟା ଉପରେ ଏ ଅଞ୍ଚଳବାସୀ ଙ୍କ ସହିତ ଆଲୋଚନା କରିଥିଲେ ।