ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଡ଼କାୟତି ଯୋଜନା କରୁ୍ଥିବା ବେଳେ ଏକ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ୍ କୁ କାବୁ କରିବାକୁ ସକ୍ଷମ ହୋଇଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ଗତକାଲି ଅର୍ଥାତ୍ ସୋମବାର ରାତି ୦୯ ଘଣ୍ଟା ୩୦ ମିନିଟ୍ ସମୟରେ ମାଆ ବୁଢାକେନ୍ଦୁ ମନ୍ଦିର ପରିସରରେ ଏକ ଡକାୟତ ଗ୍ୟାଙ୍ଗ୍ ଗାଙ୍ଗପୁର ଥାନା ଅଞ୍ଚଳରେ ଡ଼କାୟତି ଯୋଜନା କରୁ୍ଥିବା ନେଇ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ I ଏନେଇ ସେ ଥାନା ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନେତୃତ୍ୱରେ ଏକ ଟିମ୍ କୁ ଘଟଣାର ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନିଜ ଟିମ୍ ସହିତ ମାଆ ବୁଢାକେନ୍ଦୁ ଅଭିମୁଖେ ଯାଇଥିଲେ I ସେଠାରେ ପହଞ୍ଚି ଏକ ପାଞ୍ଚ ଜଣିଆ ଗ୍ୟାଙ୍ଗ୍ ମନ୍ଦିର ବାହାରେ ସନ୍ଦେହ ଜନକ ଅବସ୍ଥାରେ ବସିଥିବା ବେଳେ ସେମାନଙ୍କ ନିକଟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର୍ ଥୁଆ ହୋଇଥିବା ଦେଖିଥିଲେ I ପୋଲିସ୍ କୁ ଦେଖି ସେଠାରେ ବସିଥିବା ପାଞ୍ଚ ଜଣ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସ୍ ଟିମ୍ ସେମାନଙ୍କୁ କାବୁ କରିନେଇଥିଲେ I କାର୍ ର ଡିକି ଯାଞ୍ଚ୍ ବେଳେ ସେଥିରୁ ଏକ ବଡ଼ ଲୁହା କାତି, ଗୋଟିଏ ଫାର୍ସା,ବିଦେଶୀ ମଦ ବୋତଲ, ଲଙ୍କା ଗୁଣ୍ଡ,ପ୍ଲାଷ୍ଟିକ୍ ଗ୍ଲାସ୍ ଜବତ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ପିତଳ ଘଣ୍ଟି, ପାଞ୍ଚୋଟି ମୋବାଇଲ୍ ଏବଂ ନଗଦ ୪୯୦ ଟଙ୍କା ଜବତ କରିଥିଲେ I ସେମାନଙ୍କୁ ପଚରାଉଚୁରା କରିବା ପରେ ସେମାନେ ନିଜର ପରିଚୟ ଦେବା ସହିତ ରାତିରେ ଗୋବରା ପେଟ୍ରୋଲ୍ ପମ୍ପ୍ ରେ ଡ଼କାୟତି କରିବାକୁ ଯୋଜନା କରୁ୍ଥିବା କଥା ମାନି ଯାଇଥିଲେ I ସମସ୍ତ ପାଞ୍ଚ ଜଣଙ୍କୁ ପୋଲିସ୍ ଗିରଫ କରିବା ସହିତ ସେମାନଙ୍କର ଇଣ୍ଡିଗୋ କାର୍ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟା ପୋଲିସ୍ ଜବତ କରିଥିଲେ I ଗିରଫ ହୋଇଥିବା ପାଞ୍ଚ ଜଣ ବ୍ୟକ୍ତି ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମର ସଞ୍ଜୟ ବେହେରା (20),ଚାକୁଣ୍ଡା ପଲ୍ଲୀ ଗ୍ରାମର ଆକାଶ ବେହେରା (30),ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଅନୀଲ୍ ବେହେରା (35),ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ନାଚୁଣୀ ଗ୍ରାମର ରାଜା ବେହେରା ଓରଫ ବାଙ୍ଗୁ(24) ଏବଂ ଭୁବନେଶ୍ୱର ଖାରବେଳ ନଗର ତାରେଣି ବସ୍ତିର ପପୁନ୍ ପଣ୍ଡା I ଏନେଇ ଗାଙ୍ଗପୁର ଥାନାରେ ୫୦୫/୨୫ ରେ ଏକ ମାମଲା ରୁଜୁ କରାଯାଇ ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I