ଆମରଣ ଅନସନରେ ଗୃହ କର୍ତ୍ତା
ଓଡ଼ଗାଁ,୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନିତ୍ୟାନନ୍ଦ ସାହିର ବାସିନ୍ଦା ପ୍ରଫୁଲ୍ଲ କୁମାର ସ୍ୱାଇଁ ଦୀର୍ଘ ଦିନ ଧରି ୠଣ ଖିଲାପ କରିଥିବା ଦର୍ଶାଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ବନ୍ଧା ପଡ଼ିଥିବା ଘରକୁ ନିଲାମ କରିଥିଲେ । ଏବଂ ଆଜି ଜଣେ ମାଜିଷ୍ଟ୍ରେଟ୍ ଓ ପୋଲିସଙ୍କ ଉପସ୍ଥିତିରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ମାନେ ପହଁଚି ଘରର ଆସବାବପତ୍ର ବାହାରକୁ ବାହାର କରିଥିଲେ। ଏବଂ ପରେ ରେକଡ୍ କାଗଜପତ୍ର ସହିତ ଘରର ଚାବିକୁ ନିଲାମଧାରି ରବିନ୍ଦ୍ର ପାତ୍ରଙ୍କୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ସ୍ବର୍ଗତ ବିଶ୍ଵନାଥ ସ୍ବାଇଁଙ୍କ ପୁଅ ପ୍ରଫୁଲ୍ଲ ସ୍ବାଇଁ ଉକ୍ତ ଘର ବାରଣ୍ଡାରେ ଆମରଣ ଅନସନ ପାଇଁ ନିଷ୍ପତ୍ତିରେ ବସିଥିବା ବେଳେ ଅବିବାହିତ ଭିନ୍ନକ୍ଷମ ଭଉଣୀ ତାଙ୍କ ପାଖରେ ରହିଛନ୍ତି । ସୂଚନା ଅନୁସାରେ ନଅବର୍ଷ ପାଇଁ ୪ ଲକ୍ଷ ଟଙ୍କାର ସ୍ଥାୟୀ ବନ୍ଧକ ସହିତ ଘରଜାଗାକୁ ବନ୍ଧକ ରଖି ୬ଲକ୍ଷଟଙ୍କା ପରିବର୍ତ୍ତେ ୫ ଲକ୍ଷ ଟଙ୍କା ଋଣ ମଞ୍ଜୁର କରିଥିଲେ । ଏବଂ ବ୍ୟାଙ୍କ ଉକ୍ତ ଟଙ୍କାକୁ ପ୍ରଫୁଲ୍ଲ ସ୍ବାଇଁଙ୍କ ଖାତାରେ ଜମା କରିଥିଲେ । ପ୍ରଫୁଲ୍ଲ ସ୍ବାଇଁ ଖାତାରୁ ୫ ଲକ୍ଷ ଟଙ୍କା ଉଠାଣ କରିଥିଲେ । ୨୦୧୫/୧୬ ମସିହାରେ ପ୍ରଫୁଲ୍ଲ ସ୍ବାଇଁଙ୍କ ଜମାଥିବା ୪ ଲକ୍ଷ ଟଙ୍କା ତାଙ୍କ ଅଜାଣତରେ ଋଣ ବାବଦକୁ ଆଡଜଷ୍ଟ କରିଥିଲେ । ପ୍ରଫୁଲ୍ଲ ଏକଥା ଜାଣିବା ପରେ ବ୍ୟାଙ୍କ ସହିତ ତାଙ୍କର ସୁସମ୍ପର୍କ ଛିନ୍ନ ହୋଇଥିଲା । ଫଳରେ ସେ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ମାନ୍ୟବର କୋର୍ଟ, ମାନବିକ ଅଧିକାର କମିଶନ ଓ ଅନ୍ୟାନ୍ୟ ଫୋରମରେ ଅଭିଯୋଗ କରିଛନ୍ତି । ସେଥିରୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ କୌଣସି ସୁଫଳ ମିଳିନାହିଁ । ବ୍ୟାଙ୍କ ତାଙ୍କ ସହ କରିଥିବା ଅବିଚାର ପଦାକୁ ଆସିବା ଆଶାରେ ସେ ଆମରଣ ଅନଶନରେ ବସିବା ନିଷ୍ପତ୍ତି ନେଇଥିଲା ବେଳେ ରାତିସାରା ବାରଣ୍ଡାରେ ବସିରହିଛନ୍ତି ।