ହେଡଲାଇନସ୍:

"ରାଜ୍ୟରେ ନାରୀ ଓ ଛାତ୍ରୀ ଅସୁରକ୍ଷିତ, ସରକାର ନିଘୋଡ଼ ନିଦ୍ରାରେ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୌମ୍ୟାଶ୍ରୀଙ୍କ ଜନ୍ମମାଟିରେ ବିଜେଡିର ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

  • ସୌମ୍ୟାଶ୍ରୀଙ୍କ ଆତ୍ମହୁତି ରାଜ୍ୟବାସୀଙ୍କ ପାଇଁ ଏକ ଆହ୍ୱାନ

  • ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଲଢେଇ ଜାରି ରହିବ


ଭୁବନେଶ୍ୱର,୨୨/୦୭/୨୦୨୫: ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୁତି ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଆଜି ତାଙ୍କ ଜନ୍ମମାଟି ଭୋଗରାଇରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇ ଯାଇଛି। ଏଥିରେ, ବିଜେଡିର ରାଜ୍ୟସ୍ତରୀୟ ବରିଷ୍ଠ ନେତାମାନେ ଯୋଗ ଦେଇ ସୌମ୍ୟାଶ୍ରୀଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ଉଚ୍ଚ ନ୍ୟାୟାଳୟର ଏକ କାର୍ୟ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବୀକୁ ଦୋହରାଇଛନ୍ତି।
ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପୌରହିତ୍ୟରେ ପରିଚାଳିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଥିଲେ ଯେ ସୌମ୍ୟାଶ୍ରୀ ଥିଲେ ବହୁ ପ୍ରତିଭାର ଅଧିକାରିଣୀ, ତାଙ୍କୁ ଏ ବିଜେପି ସରକାର ନ୍ୟାୟ ଦେଇ ନପାରିବାରୁ ଶେଷରେ ବାଧ୍ୟହୋଇ ନିଜକୁ ଆତ୍ମାହୁତି ଦେଲା, ମାତ୍ର ତାର ମୃତ୍ୟୁ ପାଇଁ ଦାୟୀଥିବା ବ୍ୟକ୍ତି ମାନଙ୍କୁ ଦଣ୍ଡ ନ ମିଳିବା ପର୍ୟ୍ୟନ୍ତ ଏ ଲଢେ଼ଇ ଜାରି ରହିବ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶା ରାଜ୍ୟର ଯେଉଁ ଇମେଜ ରହିଥିଲା ତାହା ଏକ ବର୍ଷ ମଧ୍ୟରେ ବିଜେପି ସରକାର ଧୂଳିସାତ କରିଛନ୍ତି। ଆଜି ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସମସ୍ତଙ୍କ ଆଖି ଖୋଲିଦେଇଛି । ତାର ମୃତ୍ୟୁ ହୋଇନାହିଁ, ବରଂ ସେ ବଳିଦାନ ଦେଇଛନ୍ତି। ଏହି ବଳୀଦାନ କେବେ ବ୍ୟର୍ଥ ଯିବ ନାହିଁ। ଓଡ଼ିଶାର ମହିଳାମାନେ ଆଜି ଅସୁରକ୍ଷିତ ତେଣୁ ଆଜିଠାରୁ ମହିଳାମାନଙ୍କ ସୁରକ୍ଷା ପାଇଁ ଲଢେଇ ହେବ।
ପୂର୍ବତନ ମନ୍ତ୍ରୀ ତଥା ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସୁଦାମ ମାରାଣ୍ଡି କହିଛନ୍ତି, ନାରୀମାନେ ଜନ୍ମ ହୋଇନାହାନ୍ତି ପୁରୁଷ ପ୍ରଧାନ ସମାଜ ପାଇଁ । ମହିଳା ମାନେ ଦୁର୍ଗା ହୋଇ ଖଣ୍ଡା ଧରନ୍ତୁ ଏବଂ ମହିଷାସୁର ପରି ସଂହାର କରନ୍ତୁ। ସୌମ୍ୟାଶ୍ରୀଙ୍କ ପାଇଁ ଏହି ମାଟିରୁ ସଂଗ୍ରାମ ଆରମ୍ଭ ହୋଇଛି, ଏହା ଆଗକୁ ସାରା ରାଜ୍ୟକୁ ବ୍ୟାପିବ ବୋଲି କହିଥିଲେ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଥିଲେ ସଂଘର୍ଷର ଅନ୍ୟ ନାମ ସୌମ୍ୟାଶ୍ରୀ। ଝିଅଟି ସଂଘର୍ଷ କରି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ବାଛିନେଲା । ସମଗ୍ର ରାଜ୍ୟରେ ଆଜି ନାରୀ ସୁରକ୍ଷିତ ନାହାନ୍ତି । ସେଥିପାଇଁ ଆମକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲିକ କହିଛନ୍ତି ଆମ ଝିଅକୁ କିଏ ନିଆଁ ଲଗାଇଲା କିଏ ପେଟ୍ରୋଲ ଆଣିଲା ଏହି ଆତ୍ମହତ୍ୟା ସହଯୋଗ କିଏ କରିଥିଲେ ତାହାର ବିଧିବଦ୍ଧ ତଦନ୍ତ ନହେବା ପଯ୍ୟନ୍ତ ଲଢେଇ ଜାରୀ ରହିବ। ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ କହିଥିଲେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସରକାରଙ୍କ ବ୍ୟବସ୍ଥାର ନିଦଭାଙ୍ଗି ପାରେ। ଏହି ଘଟଣାରେ ଏ ବିଜେପି ଦଳର ସ୍ଥାନୀୟ ସାଂସଦ, ବିଧାୟକଙ୍କ ସହ ଏ ସରକାରଙ୍କ ପୋଲିସ ପ୍ରଶାସନକୁ ମଧ୍ୟ କାଠଗଡ଼ାକୁ ଟାଣି ନେଇଛି।
ଅନ୍ୟମାନଙ୍କ ମଧ୍ୟରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ର ସୈାମ୍ୟାଶ୍ରୀଙ୍କ ବିଚାର ଧାରାକୁ ଆଗକୁ ନେବା ପଯ୍ୟନ୍ତ ଦୋଷୀକୁ ଦଣ୍ଡ ନ ଦେବା ପଯ୍ୟନ୍ତ ଆମେ ଆନ୍ଦୋଳନ ଚାଲୁରହିବ ବୋଲି କହିଥିଲେ। ବିଜେଡି ମୁଖପାତ୍ର ଡ଼ଃ ଲେଲିନ ମହାନ୍ତି କହିଥିଲେ ଯେ ଏହା ସୌମ୍ୟାଶ୍ରୀଙ୍କ ପାଇଁ କେବଳ ଶ୍ରଦ୍ଧାଞ୍ଜଳି ସଭା ନୁହଁ ଏହା ଆଗାମୀ ଦିନପାଇଁ ଆନ୍ଦୋଳନର ଆହ୍ୱାନ । ନାରୀନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ ଉଭୟ ବିଜେପି ନେତା ଓ ଏଭିବିପି ଛାତ୍ର ମାନେ ସୌମ୍ୟାଶ୍ରୀଙ୍କୁ ମାରିଦେଇଛନ୍ତି। ଭଦ୍ରକ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ମହିଳା ଜନତା ଦଳ ଆମ ଝିଅ ପାଇଁ ଲଢେଇ ଜାରିରଖିବ ବୋଲି କହିଥିଲେ। ବିଜୁ ଜନତାଦଳର ମୁଖପାତ୍ର ଇପ୍ସିତା ସାହୁ କହିଥିଲେ ଯେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ ବିଜୁଜନତା ଦଳର ମହିଳା ମାନେ ରାଜ ରାସ୍ତାରେ ସଂଗ୍ରାମ ଜାରି ରହିବ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ପୂର୍ବତନ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋର ବିଧାୟକ ମାଧବ ଧଡ଼ା, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବିଜେଡି ମୁଖପାତ୍ର ସୋଫିଆ ଆଲମ, ପୂର୍ବତନ ବିଧାୟକ ସ୍ୱରୂପ ଦାସ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ରେମୁଣା ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ା, ରେମୁଣା ବିଧାୟକ ପ୍ରାର୍ଥୀ ଦେବସ୍ମିତା ମହାନ୍ତି, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ମୟୁରଭଞ୍ଜ ବିଜେଡି ନେତ୍ରୀ ବାସନ୍ତୀ ହେମ୍ବ୍ରମ, ପ୍ରମୁଖ ବିଭିନ୍ନ ବ୍ଳକ ରୁ ଆସିଥିବା ବ୍ଲକ ଅଧ୍ୟକ୍ଷ, ଏବଂ ବିଜେଡି ନେତା ମାନେ ଯୋଗଦେଇ ଦିବଙ୍ଗତ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିବା ସହିତ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଥିଲେ।
ସଭା ପ୍ରାରମ୍ଭରେ ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ କରିଥିବା ବେଳେ ବିଜେଡି ସଭାପତି ରମାକାନ୍ତ କରଣ ଧନ୍ୟବାଦ ଅର୍ପଣ କରିଥିଲେ। ଭୋଗରାଇ ବ୍ଲକ ଉପାଧ୍ୟକ୍ଷା ମୀନାରାଣୀ ସାସମଲ, ଜିଲ୍ଲା ପରିଷଦ ସଭ୍ୟା ଦମୟନ୍ତୀ ସାହୁ, ନିବେଦିତା ମହାନ୍ତି, କବିତା ମହାନ୍ତି, ପ୍ରତିମା ଚାନ୍ଦ ପ୍ରମୁଖଙ୍କ ସହ ବିଭିନ୍ନ ପଞ୍ଚାୟତର,ବିଜେଡି ସମର୍ଥୀତ ସମସ୍ତ ସରପଞ୍ଚ ସଦସ୍ୟ ସଦସ୍ୟା ଓ ବିଜୁଜନତା ଦଳର ସମସ୍ତ କର୍ମୀ ମାନେ ଉପସ୍ଥିତ ଥିଲେ। ସଭା ଶେଷରେ ସମସ୍ତ ନେତୃମଣ୍ଡଳୀ ସୌମ୍ୟାଶ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ବାପା ବଳରାମ ବିଶି ଓ ମାଆ ତଥା ଭାଇଙ୍କୁ ସାକ୍ଷାତ କରିବା ସହିତ ସମବେଦନା ଜଣାଇଥିଲେ।

0
0
0
s2sdefault