-
ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି
-
ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନିକଟରୁ ନ୍ୟାୟ ନପାଇବାରୁ ଆତ୍ମାହୂତି ଉଦ୍ୟମ କରିଛନ୍ତି ଛାତ୍ରୀ
-
ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓଡିଶାର ଛବିକୁ ମଳିନ କରିଛି
-
ଆଦିବାସୀ ଓ ଦଳିତ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଉଦ୍ବେଗଜନକ
ଭୁବନେଶ୍ୱର, ୧୪/୦୭/୨୦୨୫: ଆଜି ରାଜଭବନରେ ଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଜୁ ମହିଳା ଜନତା ଦଳର ୩ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ମହିଳା, ଛାତ୍ରୀ ଓ ନାବାଳିକା ବିରୋଧୀ ହିଂସା ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ ।
ସମ୍ପ୍ରତି ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ବିଇଡି ଛାତ୍ରୀଙ୍କୁ ନିଜ ବିଭାଗୀୟ ପ୍ରଫେସର ଦୀର୍ଘ ୬ ମାସ ଧରି ମାନସିକ ନିର୍ଯାତନା ଦେବା ସହ ଶାରୀରିକ ଅନୁଗ୍ରହ ପାଇଁ ବାଧ୍ୟ କରୁଥିଲେ । ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷ, ସ୍ଥାନୀୟ ସାଂସଦ, ଓ ପୋଲିସଙ୍କୁ ଜଣାଇଲା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଛାତ୍ରୀ ଜଣଙ୍କ ସାମାଜିକ ଗଣମାଧ୍ୟମରେ ନିଜ ନିର୍ଯାତନା ବାବଦରେ ଜଣାଇ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ । ପରିଶେଷରେ ପ୍ରଶାସନ, ପୋଲିସ ଓ ସରକାରଙ୍କ ପକ୍ଷରୁ କୌଣସି ସହାୟତା ନ ମିଳିବାରୁ ଅନୋନ୍ୟଉପାୟ ହୋଇ ଜୁଲାଇ ୧୨ ତାରିଖ ଦିନ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମ୍ନାରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ ଏବଂ ବର୍ତ୍ତମାନ ସେ ଭୁବନେଶ୍ୱର ଏମ୍ସରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ।
ଜୁନ ୧୫ ତାରିଖ ରଜ ସଂକ୍ରାନ୍ତିରେ ଗୋପାଳପୁର ବେଳାଭୂମିକୁ ନିଜ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଜଣେ କଲେଜ ଛାତ୍ରୀଙ୍କୁ ନିଜ ବନ୍ଧୁଙ୍କ ସାମ୍ନାରେ ୧୦ ଜଣ ଦୁବୃର୍ତ୍ତ ଗଣଦୁଷ୍କର୍ମ କରିଥିଲେ । କିଛି ଦିନ ତଳେ ଶାସକ ଦଳର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଯେଉଁଭଳି ବ୍ୟକ୍ତିଗତ ଚରିତ୍ର ସଂହାର କରି କୁତ୍ସିତ ଓ ଅଶୋଭନୀୟ ଭାଷା ବ୍ୟବହାର କଲେ ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଡ. ସାମନ୍ତସିଂହାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ଶାସକ ଦଳ ଓ ସରକାରଙ୍କ ମାନସିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସେହିପରି କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ତେନ୍ତେଳାପଶି ଗ୍ରାମରେ ଏକ ୧୭ ବର୍ଷର ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗି ଦେବା ଘଟଣା ସାରା ରାଜ୍ୟକୁ ବିଚଳିତ କରିଥିଲା । ରାଜ୍ୟରେ ଆଦିବାସୀ ଓ ଦଳିତ ନାବାଳିକା ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଉଦ୍ବେଗଜନକ ଭାବେ ଗତ ୧ ବର୍ଷ ମଧ୍ୟରେ ବଢିଚାଲିଛି । ସେହିପରି ଗତ ଏକ ବର୍ଷ ମଧ୍ୟରେ ମହିଳା, ଛାତ୍ରୀ ଓ ଶିଶୁ ବିରୋଧୀ ହିଂସାକୁ ନେଇ ୨୮ ହଜାର ମାମଲା ରୁଜୁ ହୋଇଛି । ପ୍ରତ୍ୟେକ ଦିନ ରାଜ୍ୟରେ ହାରାହାରି ୧୫ଟି ଦୁଷ୍କର୍ମ ଘଟଣା ଘଟିବା ରାଜ୍ୟର ମହିଳା ବିରୋଧୀ ହିଂସାକୁ ଦର୍ଶାଉଛି । ସେହିପରି ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ମହିଳା ବିରୋଧୀ ହିଂସାରେ ଦୋଷୀ ସାବ୍ୟସ୍ତ ହାର ୫.୫୭ ପ୍ରତିଶତ ରହିଛି, ଯାହାକି ଦେଶରେ ସର୍ବନିମ୍ନ । ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଓ ସଦସ୍ୟା ପଦ ଏକ ବର୍ଷ ହେଲା ଖାଲିପଡିଛି । ଶିଶୁ ସୁରକ୍ଷା କମିଶନର ଓ ସଦସ୍ୟ ପଦ ଗତ ଏକ ବର୍ଷ ହେଲା ଖାଲି ପଡିଥିବା ନେଇ ମହାମହିମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ସାଂସଦ ଶ୍ରୀମତୀ ସୁଲତା ଦେଓ ମହାମହିମ ରାଷ୍ଟ୍ରପତିଙ୍କ ସହ ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଆଦିବାସୀ ଏବଂ ଦଳିତ ମହିଳାଙ୍କ ଉପରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଅତ୍ୟାଚାର ରୋକିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ।