ହେଡଲାଇନସ୍:

କୁଲାଡ ରେ ମହାପ୍ରଭୁ ଙ୍କ ଭିନ୍ନ ଏକ ସୁବର୍ଣ୍ଣ ବେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦେଖାଦେଇଛି, ଯେଉଁଠି ଶହ ଶହ ଏକର ଜମିର ମାଲିକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶ ପାଇଁ ଗ୍ରାମବାସୀମାନେ ଅଳଙ୍କାର ଦାନ କରନ୍ତି।

ଏତେବଡ ମନ୍ଦିର, ପୁଣି ସରକାର ଙ୍କ ଅଧୀନ ରେ କିନ୍ତୁ ଏଠି ମହାପ୍ରଭୁଙ୍କ ଅଳଙ୍କାର ପାଇଁ ସ୍ଥାନ ନାହିଁ।

ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମହାନ୍ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭୂମି କୁଲାଡ଼ରେ ଆଜକୁ ୩୩ ବର୍ଷ ହେବ ଠାକୁରଙ୍କ ସୁନାବେଶ ବା ସୁବର୍ଣ୍ଣ ବେଶ କିଛି ଅଲଗା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ କୁଲାଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ହେଉଥିବା ବେଳେ ରବିବାର ଠାକୁରଙ୍କ ସୁନାବେଶ ପାଇଁ ଅଳଙ୍କାର ଭଣ୍ଡାର ଶୂନ୍ୟ ପଡ଼ିଛି। ତେଣୁ ଗ୍ରାମବାସୀମାନେ ଆଜକୁ ୩୩ ବର୍ଷ ହେବ ସୁନାବେଶ ଦିନ ଠାକୁରଙ୍କୁ ଅଳଙ୍କାର ଦାନ କରନ୍ତି। ସୁନାବେଶ ସରିବା ପରେ ଗ୍ରାମର ଏକ କମିଟି ନେଇ ନିଜ ହେପାଜତରେ ଅଳଙ୍କାର ସିଲ୍ କରି ରଖନ୍ତି। ଏତେବଡ଼ ଠାକୁରଙ୍କ ଅଳଙ୍କାର ଭଣ୍ଡାର ଶୂନ୍ୟ କଥା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କିନ୍ତୁ ଏହା ସତ ।
କିନ୍ତୁ ଚଳିତ ବର୍ଷ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଅବିନାଶ ମହାର ଏବଂ ଗ୍ରାମବାସୀଙ୍କ ସହଯୋଗରେ ସୁନାବେଶ ଅନୁଷ୍ଠିତ ହୋଇଛି। ଅତିରିକ୍ତ ତହସିଲଦାର ଅବିନାଶ ମହାର କାର୍ଯ୍ୟକ୍ରମ ସଫଳ ପାଇଁ ଚେଷ୍ଟା ଚଳାଇଥିଲେ।

ସୂଚନାଯୋଗ୍ୟ, ଘୁମୁସରର ରାଜା ଭଞ୍ଜ ରାଜବଂଶ ପକ୍ଷରୁ ଗଞ୍ଜାମ ଜିଲା କୁଲାଡ଼ରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ଭଞ୍ଜ ରାଜବଂଶ ଘୁମୁସରରେ ୧୦୦୦ ବର୍ଷ ଧରି ଶାସନ କରିଥିଲେ। ଏହି ସମୟରେ ସେମାନେ ବିଭିନ୍ନ ସ୍ଥାନରେ ନିଜର ରାଜଧାନୀ ବସାଇଥିଲେ। ଶେଷରେ
ପ୍ରାୟ ୧୬୦୦ ମସିହା ବେଳକୁ ତତ୍କାଳୀନ ରାଜା ପ୍ରତାପ ଭଞ୍ଜ ଦେଓ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି କୁଲାଡ଼ରେ ସ୍ଥାପନ କରିଥିଲେ। ଏହାପରେ କୃଷ୍ଣ ଭଞ୍ଜ ଶାସନ କରୁଥିବା ସମୟରେ ୧୭୪୪ ରୁ ୧୭୫୭ ମସିହା ମଧ୍ୟରେ ସେ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାପନ କରିଥିଲେ।
ସେହି ସମୟରେ ଭଞ୍ଜ ରାଜବଂଶ ପକ୍ଷରୁ କୁଲାଡ଼ରେ ଅନେକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସେଥିମଧ୍ୟରୁ ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ। କୁଲାଡ଼ରେ ସ୍ଥାପିତ ମନ୍ଦିରଗୁଡ଼ିକର ପରିଚାଳନା ପାଇଁ ରାଜବଂଶ ପକ୍ଷରୁ ହଜାର ହଜାର ଭରଣ ଜମି ଦାନ ସହ ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ମଧ୍ୟ ଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପରିଚାଳନା ଦାୟିତ୍ୱ ନିଆଯାଇଛି। ତେଣୁ ପ୍ରଶାସନ ହାତରେ ମନ୍ଦିର ପରିଚାଳନା ଦାୟିତ୍ୱ। କିନ୍ତୁ ଗତ ୧୯୯୩ ଫେବୃଆରୀ ୧୭ ରାତିରେ ଦୁର୍ବୃତ୍ତମାନେ କୁଲାଡ଼ ଜଗନ୍ନାଥ ମନ୍ଦିର କବାଟ ଭାଙ୍ଗି ଏକ ବିରାଟ ବାକ୍ସ ମଧ୍ୟରେ ଥିବା ମନ୍ଦିରର ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ସେଥିମଧ୍ୟରେ ଅଛି ୧ କେଜି ସୁନା ଅଳଙ୍କାର, ୮୦ କେଜି ରୁପା, ତିନି ଠାକୁରଙ୍କ ତିନୋଟି ମୂଲ୍ୟବାନ ସ୍ବର୍ଣ୍ଣ ଚିତା ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଯାଇଥିଲା । ଲୁଟ୍‌ ଅଳଙ୍କାରକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଅନେକ ଥର ଆନ୍ଦୋଳନ କରିଛନ୍ତି। ଏନେଇ ତତ୍କାଳୀନ ବିଧାୟକ ରାମକୃଷ୍ଠ ଗୌଡ଼ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଫଳ କିଛି ମିଳିନାହିଁ। ଚୋରି ଅଳଙ୍କାର ଘଟଣାକୁ ଇତିମଧ୍ୟରେ ୩୩ ବର୍ଷ ବିତିଯାଇଛି କିନ୍ତୁ ପୋଲିସ ଉକ୍ତ ଅଳଙ୍କାରକୁ ଉଦ୍ଧାର କରିପାରିନାହିଁ। ସେହିଦିନଠାରୁ ଠାକୁରଙ୍କ ଅଳଙ୍କାର ଟ୍ରେଜେରି ଖାଲି ପଡ଼ିଛି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଦାରା ମହଜୁଦ କରି ରଖାଯାଇଥିବା ଅଳଙ୍କାରକୁ ସୁନାବେଶ ଦିନ ଦାନ କରାଯାଉଛି। ଉକ୍ତ ଅଳଙ୍କାରରେ ଠାକୁରଙ୍କ ବେଶ ହେଉଛି। ସରକାର ଧର୍ମାନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି କିନ୍ତୁ କୁଲାଡ଼ ଠାକୁରଙ୍କ ଅଳଙ୍କାର ଭଣ୍ଡାର କିଭଳି ପୂର୍ଣ୍ଣ ହେବ ଚିନ୍ତା କରିନାହାନ୍ତି। ଯାହାକି ଚିନ୍ତା ଜନକ ବିଷୟ।

ଅନ୍ୟପଟେ ଚଳିତ ବାହୁଡ଼ା ଯାତ୍ରା ସମୟରେ ପ୍ରଚଳିତ ପ୍ରଥା ନାମରେ ମାଇକ୍ ସାହାଯ୍ୟରେ ଡାହୁକ ଅଶ୍ଳୀଳ ଡାକ ପକାଇବାକୁ ନେଇ ମଧ୍ୟ ବିଶ୍ବ ହିନ୍ଦୁ ପରିଷଦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପୂର୍ବ ପ୍ରାନ୍ତ ସଦସ୍ୟ ଶ୍ରୀମାନ୍ ମୁରଲୀଧର ପଣ୍ଡା ଓ କାର୍ଯ୍ୟକର୍ତ୍ତା ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଆପତ୍ତି ଉଠାଇଥିଲେ। ଯାହାକି ଆଜିର ସଭ୍ୟ ଶିକ୍ଷିତ ସମାଜ ରେ ଏପରି ଅଶ୍ଳୀଳ କଥା ରଥ ଉପରେ କୁହାଯିବା କଥା ନୁହେଁ। ଏହାପରେ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରିବାରୁ ବନ୍ଦ ହୋଇଯାଇଥିଲା ଉକ୍ତ ପୁରୁଣା ପ୍ରଥା। ବର୍ତ୍ତମାନ ରାଜସ୍ବ ବିଭାଗ ରେକର୍ଡରେ ୯୩୫ ଭରଣ ବା ୧୮୭ ଏକର ଜମି ଅଛି। ସେଥିମଧ୍ୟରୁ ମାତ୍ର ୩୦ ଏକର ଜମିରୁ ଖଜଣା ଆଦାୟ ହେଉଛି। ବଳକା ଜମିର ଖଜଣା ଆଦାୟ ହୋଇପାରୁ ନାହିଁ। ଚାଷୀମାନେ ଜବରଦଖଲ କରି ରଖିଛନ୍ତି। ଅନ୍ୟପଟେ ଚୋରି ଅଳଙ୍କାର ମିଳୁନାହିଁ।
ଏନେଇ ଅତିରିକ୍ତ ତହସିଲଦାର ଅବିନାଶ ମହାର କହିଛନ୍ତି ଯେ, ମନ୍ଦିର ଟ୍ରେଜେରିରେ ଅଳଙ୍କାର କିଛି ଗଚ୍ଛିତ ନାହିଁ। ପୂଜାରୀମାନେ ସେମାନଙ୍କ ବ୍ୟବସ୍ଥାରେ ସୁନାବେଶ କରୁଛନ୍ତି।

0
0
0
s2sdefault