ହେଡଲାଇନସ୍:

ଜନଜାତି ବହୁଳ ମାଲକାନଗିରି ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • -- ମାଥିଲି ସବଷ୍ଟେସନର କ୍ଷମତା ୮.୧୫ ଏମଭିଏରୁ ୧୦ ଏମଭିଏକୁ ବୃଦ୍ଧି

  • -- ଗ୍ରାମୀଣ ଅଞ୍ଚଳର ପ୍ରାୟ ୬ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ହେବେ

ବ୍ରହ୍ମପୁର, ଜୁନ ୨୦୨୫: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାଲକାନଗିରି ଜିଲ୍ଲାର ମାଥିଲି ପ୍ରାଇମେରୀ ସବଷ୍ଟେସନ (ପିଏସ୍ଏସ୍)ର ଉନ୍ନତିକରଣ କରାଯାଇଛି। ମାଲକାନଗିରିର ଆଦିବାସୀ ବହୁଳ ତଥା ପାହାଡ଼ ଜଙ୍ଗଲ ଘେରା ଅଞ୍ଚଳରେ ଗୁଣାତ୍ମକ ଏବଂ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।


ସମୃଦ୍ଧ ଜନଜାତି ସଂସ୍କୃତି ଏବଂ ଘଞ୍ଚ ଜଙ୍ଗଲ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପରିଚିତ ମାଲକାନଗିରି ଜିଲ୍ଲାରେ ଅନେକ ଜନଜାତି ଗୋଷ୍ଠୀ ବସବାସ କରନ୍ତି। ମାଳ ଭୂଇଁ, ଉପତ୍ୟକା ଏବଂ ପାହାଡି ନଦୀ ଝରଣାରେ ଭରପୂର ଏହି ଅଞ୍ଚଳର ପ୍ରାକୃତିକ ଦୃଶ୍ୟ ବେଶ୍ ଆକର୍ଷକ। କିନ୍ତୁ ଭୌଗୋଳିକ ଦୃଷ୍ଟିରୁ ବିଜୁଳି ବିତରନ୍ ପାଇଁ ଏଠାରେ ଅନେକ ଆହ୍ବାନ ମଧ୍ୟ ରହିଛି।


ପୂର୍ବରୁ ମାଥିଲି ପିଏସ୍ଏସରେ ୫ ଏମଭିଏ ଏବଂ ୩.୧୫ ଏମଭିଏ କ୍ଷମତା ବିଶିଷ୍ଟ ଦୁଇଟି ପାୱାର ଟ୍ରାନ୍ସଫର୍ମର ଥିଲା। ବର୍ତ୍ତମାନ ଏହି ୩.୧୫ ଏମଭିଏ ଟ୍ରାନ୍ସଫର୍ମର ବଦଳରେ ଏକ ନୂତନ ୫ ଏମଭିଏ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ଯାହା ଫଳରେ ସବଷ୍ଟେସନର ମୋଟ କ୍ଷମତା ୧୦ ଏମଭିଏକୁ ବୃଦ୍ଧି ପାଇଛି। ଏହି ଉନ୍ନତିକରଣ ପଦକ୍ଷେପ ଦ୍ଵାରା ଏହି ଅଞ୍ଚଳର ପ୍ରାୟ ୬,୦୦୦ ରୁ ଅଧିକ ଉପଭୋକ୍ତା ଉପକୃତ ହୋଇଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳର ଘର, ସ୍କୁଲ, କଲେଜ, ଡାକ୍ତରଖାନା ଓ ସରକାରୀ କାର୍ଯ୍ୟାଳୟଗୁଡିକୁ ସ୍ଥାୟୀ ଓ ଭରସାଯୋଗ୍ୟ ବିଜୁଳି ସେବା ପହଞ୍ଚିପାରିଛି।


ଏହି ପଦକ୍ଷେପ ଉପରେ ଗୁରୁତ୍ବ ଦେଇ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ମାଥିଲି ପିଏସ୍ଏସର ଉନ୍ନତିକରଣ ପରେ ମାଲକାନଗିରି ଜିଲ୍ଲାର ଉପଭୋକ୍ତାଙ୍କ ବିଜୁଳି ଚାହିଦା ପୂରଣ ହେବା ସହ ଲୋକଙ୍କ ନିକଟରେ ଗୁଣାତ୍ମକ ସେବା ପହଞ୍ଚିପାରିଛି। ସବଷ୍ଟେସନର କ୍ଷମତା ବୃଦ୍ଧି ସହ ଆମେ ଆଦିବାସୀ ଅଧ୍ୟୁଷିତ ମାଳ ଅଞ୍ଚଳରେ ବିଜୁଳି ସେବାକୁ ଉନ୍ନତ କରିଛୁ। ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଉତ୍ତମ ମାନର ବିଜୁଳି ସେବା ଯୋଗାଇବା ଦିଗରେ ଆମ ପ୍ରୟାସ ଜାରି ରହିଛି।"


ମାଲକାନଗିରି ଭଳି ଜନଜାତି ବହୁଳ ଏବଂ ପାହାଡିଆ ଇଲାକାରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଛି। ଯାହା ଫଳରେ ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ ହେବା ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ପ୍ରୋତ୍ସାହନ ମିଳିପାରିବ।

0
0
0
s2sdefault