ଭୁବନେଶ୍ୱର, ମଇ ୬: ଫୁଲନଖରା ଠାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ - ୨ ଓ ସୋସାଇଟି ଅଫ୍ ମିଡୱାଇଭସ୍ ଇଣ୍ଡିଆ (ସୋମି), ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ୧୦ମ ରାଜ୍ୟସ୍ତରୀୟ ସୋମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏହି ସମ୍ମିଳନୀରେ ଡାକ୍ତର ଶେଫାଳି ମଲ୍ଲିକ୍, ଓଡିଶା ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶିକା (ନର୍ସିଂ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମା ଓ ଶିଶୁର ମୃତ୍ୟୁ ହାରକୁ କିପରି ହ୍ରାସ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ମହିଳାମାନଙ୍କର ପ୍ରଜନନ କ୍ଷମତା ଉପରେ ଆଲୋଚନା କରି ସେ ପ୍ରସୂତିମାନେ କିଭଳି ସାଧାରଣ ଭାବେ ପ୍ରସବ କରିପାରିବେ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଏଥି ନିମନ୍ତେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ରଖିବା ଜରୁରୀ ସେ ବିଷୟରେ ଡାକ୍ତର ମଲ୍ଳିକ କହିଥିଲେ ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ଏହା ଏକ ଦକ୍ଷତା ଭିତିକ ସମ୍ମିଳନୀ ଯାହା ମାଧ୍ୟମରେ ନର୍ସିଂ ଅଫିସରମାନେ ପ୍ରଶିକ୍ଷିତ ହୋଇପାରିବେ ।
ଏପରି କର୍ମଶାଳା ମାଧ୍ୟମରେ ଲୋକମାନଙ୍କୁ ସଚେତନା କରାଯାଇପାରିବ ବୋଲି ପ୍ରକାଶ କରି ପ୍ରଫେସର ନନ୍ଦ କହିଥିଲେ ଯେ ଏପର୍ଯ୍ୟନ୍ତ ସୋଆ ବିଶ୍ୱବିଦ୍ୟାଳୟରେ ୫୫୦ରୁ ଉର୍ଧ୍ଵ କର୍ମଶାଳା ଓ ଆଲୋଚନାଚକ୍ର ଓ ୯୦ରୁ ଅଧିକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇପାରିଛି ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ -୨ ର ଡିନ୍ ପ୍ରଫେସର (ଡ.) ଅରକ୍ଷିତ ସ୍ୱାଇଁ ଯୋଗ ଦେଇଥିବା ସମସ୍ତ ନର୍ସିଂ ଅଫିସର, ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନେ ଏହି ସମ୍ମିଳନୀରେ ଅନେକ ଜ୍ଞାନ ଆହରଣ କରିପାରିବେ ଓ ମିଡୱାଇଫମାନଙ୍କ ଭୂମିକା ବିଷୟରେ ଜାଣିପାରିବେ ବୋଲି କହିଥିଲେ ।
ଫୁଲନଖରା ସମ୍ ହସ୍ପିଟାଲ- ୨ର ଅତିରିକ୍ତ ନିଦେ୍ର୍ଧଶିକା ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ତାପସୀ ପତି ଯୋଗ ଦେଇ କହିଥିଲେ ଯେ ଜଣେ ନାରୀ ପାଇଁ ମାତୃତ୍ୱ ଲାଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦିଗ ପ୍ରତି ଧ୍ୟାନ ଦେବା ସହିତ ପ୍ର୍ରସୂତିଙ୍କର କିପରି ସାଧାରଣ ପ୍ରସବ କରାଯାଇପାରିବ ସେ ବିଷୟରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଛି ।
ଏହି ଅବସରରେ ବିଶେଷ ଅତିଥି ଭାବେ ସୋମିର ପ୍ରତିଷ୍ଠାତା ତଥା ଉପଦେଷ୍ଟା ଡାକ୍ତର ଏମ୍. ପ୍ରକାଶମ୍ମା ଯୋଗ ଦେଇ କହିଥିଲେ ଯେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ମିଡୱାଇଫଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ତଥା ସମ୍ ନର୍ସିଙ୍ଗ କଲେଜର ନିର୍ଦ୍ଦେଶିକା ଓ ସଂଯୋଜିକା ପ୍ରଫେସର (ଡ.) ପ୍ରଭାତୀ ତ୍ରିପାଠୀ ଓ ସୋମିର ସମ୍ପାଦିକା ଡ. ଅମ୍ରିତା ଲେଙ୍କା ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।
ସୋମି ଓଡିଶାର ପ୍ରତିଷ୍ଠାତା ଅର୍ଗାନାଇଜିଂ ସେକ୍ରେଟେରୀ ଓ ସମ୍ ନର୍ସିଙ୍ଗ କଲେଜ -୨ ର ପ୍ରଫେସର(ଡ.) ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ ନର୍ସିଂ କଲେଜ -୨ ର ଟୁ୍ୟଟର ଶ୍ରୀମତି ଓମ୍ ଶୁଭଶ୍ରୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।