-
ଦେଶର ୨୪୪ ଟି ନାଗରିକ ପ୍ରତିରକ୍ଷା ଜିଲ୍ଲାରେ ଗ୍ରାମ ସ୍ତର ପର୍ଯ୍ୟନ୍ତ ଏହା କରାଯିବ
-
ରାଜ୍ୟର ୧୨ଟି ଜିଲ୍ଲାରେ ଅପରାହ୍ନ ୪ଟା ବେଳେ ମକ୍ ଡ୍ରିଲ୍
ଭୁବନେଶ୍ଵର, ତା ୬.୫.୨୫: ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବେସାମରିକ ନାଗରିକ ପ୍ରତିରକ୍ଷା ଅଭ୍ୟାସ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଶ୍ରୀ ଗୋବିନ୍ଦ ମୋହନ ମକ୍ ଡ୍ରିଲ୍ ପରିଚାଳନା ସମ୍ପର୍କିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଓ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ବେସାମରିକ ପ୍ରତିରକ୍ଷା ନିର୍ଦ୍ଦେଶକଗଣ, ଅନେକ ଉଚ୍ଚପଦସ୍ଥ ଅଧିକାରୀ ଏଥିରେ ଯୋଗ ଦେଇଥିଲେ।
ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆସନ୍ତା କାଲି ଅପରାହ୍ନ ୪ଟା ବେଳେ ମକ୍ ଡ୍ରିଲ କରିବାକୁ କୁହାଯାଇଛି । ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ବେସାମରିକ ପ୍ରତିରକ୍ଷା ନିର୍ଦ୍ଦେଶକ ତଥା ଅଗ୍ନିଶମ ଓ ଆପାତକାଳୀନ ସେବା ବିଭାଗୀୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଷଡଙ୍ଗୀ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଆର.କେ. ଶର୍ମା ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ପରେ ପରେ ଜିଲ୍ଲାପାଳମାନଙ୍କ ସହ ଆଭାସୀ ଯୋଗେ ଅନୁଷ୍ଠିତ ଅନ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି କହିଲେ ଯେ ଓଡ଼ିଶାରେ ୧୨ଟି ଜିଲ୍ଲାରେ ଏହି ପ୍ରସ୍ତୁତି ରିହର୍ସାଲ କରାଯିବ । ଏହି ଜିଲ୍ଲାଗୁଡ଼ିକ ହେଲା:- ଅନୁଗୁଳ(ତାଳଚେର), ଖୋର୍ଦ୍ଧା(ଭୁବନେଶ୍ୱର), ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂହପୁର (ପାରାଦୀପ), ଢେଙ୍କାନାଳ, ପୁରୀ, କୋରାପୁଟ, ସୁନ୍ଦରଗଡ଼ (ରାଉରକେଲା) । ଏହି ପ୍ରସ୍ତୁତି କାଲିଠାରୁ ଆରମ୍ଭ ହୋଇ ଆଗାମୀ ସପ୍ତାହ ମଧ୍ୟରେ ସରିବ । କାଲିର ପ୍ରସ୍ତୁତି ନିର୍ଦ୍ଦିଷ୍ଟ ସହରାଞ୍ଚଳରେ ଓ ଉପକୂଳ ଅଞ୍ଚଳରେ
କରାଯିବ ।
ଶତ୍ରୁ ବିମାନ ଆକ୍ରମଣ କଲେ ସାଇରନ୍ ବଜେଇ ଲୋକଙ୍କୁ ସତର୍କ କରାଯିବ । ସାଇରନ୍ ଲମ୍ବା ବାଜିବ । କାଲି ୪ଟା ବେଳେ ସାଇରନ୍ ବାଜିବ । ସାଇରନ୍ ବାଜିଲା ପରେ ଜନ ସାଧାରଣ କଂକ୍ରିଟ ଛାତଥିବା ଘର ଭିତରକୁ ଚାଲିଯିବେ । କାଲି ଦିନବେଳେ ପରୀକ୍ଷା କରାଯାଉଛି । ତେଣୁ ଅନ୍ଧକାର କରିବା ଆବଶ୍ୟକ ପଡ଼ିବ ନାହିଁ । ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ବସ୍ତି ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀ ନିର୍ଦ୍ଧାରିତ କରିବାକୁ କୁହାଯାଇଛି । ଥରେ ଆକ୍ରମଣର ପ୍ରଭାବ ସରିଲେ ବେସାମରିକ ପ୍ରତିରକ୍ଷା ସ୍ଵେଚ୍ଛାସେବୀମାନେ ପୁଣି ଲମ୍ବା ସାଇରନ୍ ଦେବେ । ଯାହା ସୂଚିତ କରିବ ଯେ ଶତ୍ରୁ ବିମାନ ଫେରିଗଲା । ଏହାପରେ ବେସାମରିକ ପ୍ରତିରକ୍ଷା, ଏନସିସି, ଏନଏସଏସ ଓ ସ୍ଥାନୀୟ ସ୍ଵେଚ୍ଛାସେବୀମାନେ ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନା ନେବାର ବନ୍ଦୋବସ୍ତ କରିବେ । ମକ୍ ଡ୍ରିଲର ଏହା ଅଂଶବିଶେଷ ।
କାଲି ସୁଦ୍ଧା ରାଜ୍ୟ ସ୍ତରରେ ଓ ଜିଲ୍ଲା ସ୍ତରରେ ନିୟନ୍ତ୍ରଣ କକ୍ଷମାନ କରାଯିବ । ସମସ୍ତେ ଜାଣିବା ଉଚିତ୍ ଯେ ଜେନେଭା ଚୁକ୍ତି ଅନୁସାରେ ବେସାମରିକ ପ୍ରତିରକ୍ଷା ଓ ରେଡ଼କ୍ରସ ସଂସ୍ଥା ଯୁଦ୍ଧରେ ଅଂଶୀଦାର ନୁହଁନ୍ତି । ସେମାନଙ୍କ ଉପରେ କୌଣସି ଆକ୍ରମଣ କରାଯାଇ ପାରିବ ନାହିଁ । ଜିଲ୍ଲା ମାଜିଷ୍ଟ୍ରେଟ୍ମାନେ ବେସାମରିକ ପ୍ରତିରକ୍ଷାର ନିୟନ୍ତ୍ରକ ଭାବେ କାମ କରନ୍ତି । ତେଣୁ ଜନସାଧାରଣଙ୍କ ପାଇଁ ସବୁ ସେବା ବେସାମରିକ ପ୍ରତିରକ୍ଷା ସଂସ୍ଥା ଅଧୀନରେ ଚାଲିବ । ସେମାନେ ବିଭିନ୍ନ ସେବା ଯଥା ଖାଦ୍ୟ, ଜଳଯୋଗାଣ, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା ଇତ୍ୟାଦି ସବୁ ବେସାମରିକ ପ୍ରତିରକ୍ଷା ସଂସ୍ଥା ପକ୍ଷରୁ ସଂଯୋଜନା କରାଯିବ । ଜିଲ୍ଲା ମାଜିଷ୍ଟ୍ରେଟ୍ମାନେ ବିଭିନ୍ନ ସେବାର ମୁଖ୍ୟଙ୍କୁ ଏଥିପାଇଁ ବେସାମରିକ ପ୍ରତିରକ୍ଷା ୱାର୍ଡେନ ଭାବରେ ନିଯୁକ୍ତି ଦେବେ ।
ସାଧାରଣ ଲୋକ ଓ ବେସାମରିକ ସେବାର ସୁରକ୍ଷା କରିବା ହେଉଛି ମୂଳ ଲକ୍ଷ୍ୟ । ଏଥିପାଇଁ କାଲିଠାରୁ ପ୍ରସ୍ତୁତି ଆରମ୍ଭ ହେବ । ଏହି ଅଭ୍ୟାସର ଆୟୋଜନ ଗ୍ରାମ ସ୍ତର ପର୍ଯ୍ୟନ୍ତ ଯୋଜନା କରାଯାଇଛି । ଏହି ଅଭ୍ୟାସର ଲକ୍ଷ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନାଗରିକ ପ୍ରତିରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ମୂଲ୍ୟାଙ୍କନ ଏବଂ ବୃଦ୍ଧି କରିବା । ପୂରା ପ୍ରସ୍ତୁତି ଗ୍ରାମାଞ୍ଚଳ ଯାଏଁ ଯିବା ପାଇଁ ପ୍ରାୟ ସପ୍ତାହେ ଲାଗିବ ।
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ଜିଲ୍ଲାପାଳମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହିତ ସମନ୍ୱୟ ରକ୍ଷା କରି ନାଗରିକ ପ୍ରତିରକ୍ଷା ଅଭ୍ୟାସ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କମଳ ଲୋଚନ ମିଶ୍ର, ୧୨ ଟି ଜିଲ୍ଲାର ଜିଲ୍ଲାପାଳ, ଏସ. ପି ଓ ଜିଲ୍ଲା ଆପାତକାଳୀନ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
ଜିଲ୍ଲା ସ୍ତରରେ ଆବଶ୍ୟକ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।