ନବରଙ୍ଗପୁର ୧୨/୦୬ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗପଦର ଚାମୁରିଆ ମନ୍ଦୀର ଠାରେ ପଞ୍ଚାୟତର ବାର ଶହ ରୁ ଉର୍ଦ୍ଧ ମହିଳା ମାନେ ଉପସ୍ଥିତ ରହି ନିଶା ନିବାରଣ କରିବା ନିମନ୍ତେ ନିଷ୍ପତି ନେଇଛନ୍ତି।ବୈଠକ ରେ ଝରିଗୁମା ଗ୍ରାମ ପଞ୍ଚାୟତର ଉଦୟମାନ ଯୁବ ସରପଞ୍ଚ ମନମୋହନ ଦଳପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ସମ୍ମାନିତ ଅତିଥି ଭାବେ ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଯୋଗଦେଇ ମହିଳା ମାନଙ୍କୁ ଉତ୍ସାହିତ କରି ତାଙ୍କ ଅଭିଭାଷଣରେ କହିଥିଲେ ନିଶାସକ୍ତ ବ୍ୟକ୍ତି ସମାଜ ପାଇଁ ଚିନ୍ତାର କାରଣ ଅଟେ। ନିଶାସେବନ କରି ସେମାନେ କେବଳ କ୍ଷତି କରନ୍ତି ନାହିଁ।ବରଂ ସେମାନେ ନିଜ ପରିବାର,ସମାଜ ଓ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ନିଶାଦ୍ରବ୍ୟ ବ୍ୟବହାର କରି ବ୍ୟକ୍ତି,ସମାଜ,ଦେଶ ଅଧୋପତନ ଦିଗରେ ଗତି କରେ,ସେଭଳି ଦ୍ରବ୍ୟକୁ ସମାଜ ଠାରୁ ଦୂରେଇ ଦେବା ଉଚିତ୍। ଯେହେତୁ ଏହାର କୁପ୍ରଭାବ ସମାଜ ଉପରେ ପଡ଼ିବ ନାହିଁ।ନିଶା ଦ୍ରବ୍ୟ ମଣିଷକୁ ଅମଣିଷ କରି ଦେଉଛି। ନିଶା ଦ୍ରବ୍ୟ ସେବନ କରିବା ବ୍ୟକ୍ତି ପାରିବାରିକ ଜୀବନ ରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ନିଶା ସେବନ କରିବା ବ୍ୟକ୍ତି ଯେକୌଣସି କୁକର୍ମ କରିବାକୁ ପଛାନ୍ତି ନାହିଁ। ସେମାନେ ଚୋରୀ,ଲୁଣ୍ଠନ,ନାରୀ ଧର୍ଷଣ ଭଳି ଅପରାଧମାନ କରନ୍ତି। ରୋଜଗାର ପନ୍ଥା ନଥିବା ନିଶାସକ୍ତ ବ୍ୟକ୍ତି ନିଜ ଜମି,ଘର ଦ୍ବାର,ଗୃହୋପକରଣ ଜିନିଷ ଆଦି ବିକ୍ରୟ କରି ନିଶା ଦ୍ରବ୍ୟ ସେବନ କରୁଛନ୍ତି। ଏହା ଦ୍ବାରା ପରିବାର ବିପର୍ଯ୍ୟସ୍ତ ହୋଇ ପଡ଼ୁଛନ୍ତି। ପିଲାମାନଙ୍କର ପାଠ ପଢିବା ରେ ଠିକ୍ ଯତ୍ନ ନେଇ ପାରୁ ନାହାଁନ୍ତି ଯଦ୍ୱାରା ସେମାନେ ଶିକ୍ଷା ଦୀକ୍ଷା ଅଭାବରୁ ସମାଜରେ ଅବହେଳିତ ହୋଇ ଅପରାଧ ପଥକୁ ଅନୁସରଣ କରୁଛନ୍ତି। ସେମାନେ ଉପଯୁକ୍ତ ମାର୍ଗରେ ପରିଚାଳିତ ହୋଇ ପାରୁ ନାହାଁନ୍ତି ଯଦ୍ୱାରା କି ସେମାନଙ୍କର ଭବିଷ୍ୟତ ଅନ୍ଧକାରମୟ ହେଉଛି। ନିଶା ନିବାରଣ ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ଉଦ୍ୟମ ଚଳାଇ ଥିଲେ। ସ୍ବାଧିନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ନିଶା ମୁକ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିଲେ। ସରକାରୀ ସ୍ତରରେ ନିଶା ନିବାରଣ ପାଇଁ ଆଇନ୍ ପ୍ରଣୟନ କରାଯାଇଛି। ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନିଶା ନିବାରଣ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସଭାସମିତି କରାଯାଇ ଜନତାକୁ ସଚେତନ କରାଯାଉଛି।ଏହା ଜାଣି ମଧ୍ୟ ଅନେକ ବ୍ୟକ୍ତି ଏଥିରେ ଅଭ୍ୟସ୍ତ ହୋଇ ପଡ଼ୁଛନ୍ତି। ତେଣୁ ସରକାର କେବଳ ଆଇନ୍ ପ୍ରଣୟନ କରିଦେଲେ ସମାଜରୁ ହ୍ରାସ ପାଇବ ନାହିଁ। ବର୍ତ୍ତମାନ ଅଧିକ ବିଦେଶୀ ମଦ ଦୋକାନ ଖୋଲିବା ରେ ଲାଗିଛି।ନିଶା ନିବାରଣ ନିମନ୍ତେ ପ୍ରତ୍ୟକ୍ଷ ଉପଦେଶ ଦେଇ ପରକ୍ଷରେ ନିଶା ସେବନ ନିମିତ୍ତ ଦୋକାନ ଖୋଲାଯାଇ ଆହ୍ଵାନ କରାଯାଉଅଛି। ହୃଦୟରେ ପରିବର୍ତ୍ତନ ଆଣି ନିଜକୁ ସମାଜକୁ ପତନ ମୁଖରୁ ବଞ୍ଚାଇବାକୁ ଚେଷ୍ଟା କରିବା ଉଚିତ। ଗ୍ରାମର ଅନେକ ବ୍ୟକ୍ତି ମଦ୍ୟ ପାନ କରିବା ଯୋଗୁଁ ସ୍ବାସ୍ଥ୍ୟ ହାନି ଘଟି ଯକ୍ଷ୍ମା,କର୍କଟ ଭଳି ମାରାତ୍ମକ ରୋଗରେ ପଡିଛନ୍ତି। ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନ ପାରି ପ୍ରାୟ ୨୦ରୁ ୩୦ବର୍ଷର ବ୍ୟକ୍ତିମାନେ ଦୁଇବର୍ଷ ମଧ୍ୟରେ ୧୫ ରୁ ୨୦ ଜଣ ମୃତ୍ୟୁ ମୁଖ ରେ ପଡିଛନ୍ତି।ଏଥିପାଇଁ ଝରିଗୁମ୍ମା ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମର ମହିଳା ମାନେ ବାହାରି ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରିରଖିବାକୁ ଶ୍ରୀ ଟାକ୍ରୀ ପରାମର୍ଶ ଦେଇ ଥିଲେ।ପରିଶେଷରେ ସରପଞ୍ଚ ଶ୍ରୀ ଦଳପତି ମହିଳା ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।
ରାଜ୍ୟ
ଝରିଗୁମ୍ମା ଗ୍ରାମ ପଞ୍ଚାୟତ ରେ ମହିଳାମାନଙ୍କ ଦ୍ଵାରା ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 55







