ହେଡଲାଇନସ୍:

କେବଳ ସ୍ମୃତି ରେ ବଞ୍ଚି ରହିଛି ଐତିହାସିକ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଐତିହାସିକ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ବିପର୍ଯ୍ୟସ୍ତ ଅବସ୍ଥା: ଅର୍ଥାଭାବ ମଧ୍ୟରେ ରଥଯାତ୍ରା ପ୍ରସ୍ତୁତି ନିମନ୍ତେ ମିଳିତ କମିଟିର ସମୀକ୍ଷା

  • ​ସୁରକ୍ଷା ଅଭାବରୁ ଚୋରି ହେଲା କୋଟି କୋଟିର ଅଳଙ୍କାର, ଫାଟ ସୃଷ୍ଟି ହେଲାଣି ଗର୍ଭଗୃହରେ: କେବେ ସୁଧୁରିବ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥିତି ?

  • ୧୭୬୦ ମସିହାର ଐତିହାସିକ ମନ୍ଦିରରୁ ଶହ ଶହ ଏକର ଜମି ଜବରଦଖଲ, ଦାନ ଅର୍ଥରେ ଚାଲିଛି ପରିଚାଳନା।

  • ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ରଥର ସ୍ଥିତି ଅନୁଧ୍ୟାନ; ଚକ ଓ ଅଖ ବଦଳାଇବାକୁ କମିଟିର ପରାମର୍ଶ।

  • ଗତବର୍ଷ ବିଧାୟକଙ୍କ ଆର୍ଥିକ ସହାୟତା ପରେ ଚଳିତ ବର୍ଷ ଯାତ୍ରାକୁ ସଫଳ କରିବା ପାଇଁ ଉପଜିଲ୍ଲାପାଳ ଓ ଦେବୋତ୍ତର ବିଭାଗ ତତ୍ପର।


​ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଆଜି ଅବହେଳିତ ଅବସ୍ଥାରେ ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳର ଐତିହାସିକ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର। ଜମି ଜବରଦଖଲ ଓ ଅଳଙ୍କାର ଚୋରି ପରେ ଏବେ ଦାନ ଅର୍ଥରେ ଚାଲିଛି ମନ୍ଦିର। ଏଭଳି ସ୍ଥିତିରେ ଆଗାମୀ ରଥଯାତ୍ରାକୁ ସଫଳ କରିବା ପାଇଁ ପ୍ରଶାସନ ଏବଂ ମନ୍ଦିର ପରିଚାଳନା କମିଟି ର ସହଯୋଗରେ ରଥ ମରାମତି ଓ ସମୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି।

ଗଞ୍ଜାମ ଜିଲା ଘୁମୁସର ଅଞ୍ଚଳର ଭଞ୍ଜ ରାଜବଂଶର ସ୍ମୃତି ଭାବେ ପରିଚିତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଯାହାକି ୧୭୬୦ ମସିହାରେ ନିର୍ମାଣ ହୋଇଥିଲା। ସେ ସମୟରେ ମନ୍ଦିର ପରିଚାଳନା ପାଇଁ ଭଞ୍ଜ ରାଜବଂଶ ପକ୍ଷରୁ ଓ ବଦାନ୍ୟ ବ୍ୟକ୍ତି ଙ୍କ ପକ୍ଷରୁ ହଜାର ହଜାର ଭରଣ ଜମି, କୋଟି କୋଟି ଟଙ୍କାର ଅଳଙ୍କାର ମାନ ଦାନ କରାଯାଇଥିଲା । କିନ୍ତୁ ପର୍ଯ୍ୟାୟ କ୍ରମେ ଲୋକେ ମନ୍ଦିର ର ଶହ ଶହ ଏକର ଜମିକୁ ଜବର ଦଖଲ କରିନେଲେ। ଏଥିସହ ମନ୍ଦିରର ଥିବା କୋଟି କୋଟି ଟଙ୍କାର ସୁନା ହିରା ନିଳା ଅଳଙ୍କାର ୧୯୯୩ ମସିହାରେ ଚୋରି ହୋଇଗଲା।
ଚୋରି ଅଳଙ୍କାରକୁ ପ୍ରଶାସନିକ ସ୍ତରରେ ଆଜି ପର୍ଯ୍ୟନ୍ତ ଉଦ୍ଧାର କରି ପାରିନାହିଁ। ତେଣୁ ସେହି ଦିନଠୁ ଠାକୁରଙ୍କ ସୁନା ବେଶ ଲୋକଙ୍କ ସହଯୋଗରେ ହେଉଛି। ସୁନା ବେଶ ଦିନ କିଛି ବଦାନ୍ୟ ବ୍ୟକ୍ତି ଏବଂ ସଂଘ ଅଳଙ୍କାର ଦାନ କରନ୍ତି। ଏହାପରେ ସୁନା ବେଶ ସରିଗଲା ପରେ ଅଳଙ୍କାର ସୁରକ୍ଷା ଦୃଷ୍ଟିରୁ ନିଜ ଅଧୀନକୁ ନେଇ ଯାଉଛନ୍ତି। ଏହିଭଳି ପରମ୍ପରା ଭକ୍ତଙ୍କ ଭାବନାକୁ ଆଘାତ ଦେଉଛି। ଅନ୍ୟପଟେ ମନ୍ଦିର ନାମରେ ଥିବା ଜମିରୁ ଖଜଣା ପ୍ରାୟ ଆସୁନାହିଁ। ଅଳ୍ପ କିଛି ଚାଷୀ ଖଜଣା ଦେଉଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ। ସେଥିରୁ ମନ୍ଦିର ପରିଚାଳନା ହେବା କଷ୍ଟକର। ତେଣୁ ନେତା, ଅଫିସର, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ଦାନ ଅର୍ଥରେ ମନ୍ଦିର ପରିଚାଳନା ହେଉଛି। ଭଞ୍ଜ ରାଜବଂଶର ସ୍ମୃତି ଆଜି ଏଭଳି ଅବସ୍ଥାକୁ ନେଇ ଭକ୍ତ ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ତେଣୁ ସରକାର ଏହିଭଳି ପୁରୁଣା ଐତିହ୍ୟ ସ୍ମୃତି ମନ୍ଦିର ଗୁଡିକର ପରିଚାଳନା ପାଇଁ ସ୍ବତନ୍ତ୍ର କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଇତିମଧ୍ୟରେ ବିଗତ ସରକାର ଅମଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ମରାମତି କରାଯାଇଛି , ଯାହା ଆଖିଦୃଷ୍ଟିଆ ନୁହେଁ କି ଏପର୍ଯ୍ୟନ୍ତ କାର୍ଯ୍ୟ ର ଅନ୍ତ ନାହିଁ। ଅନ୍ୟପକ୍ଷରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ଲାଭ କରିଥିଲେ ମଧ୍ୟ ସେ କ୍ଷେତ୍ରରେ ବା ଆସିବାକୁ ଥିବା ପର୍ଯ୍ୟଟକ ଙ୍କ ପାଇଁ ସେଭଳି ସୁ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇନାହିଁ। ଦୀର୍ଘ ଦିନ ହେବ ମନ୍ଦିର ମରାମତି କାର୍ଯ୍ୟ ଚାଲିଥିଲେ ମଧ୍ୟ , ଦୀର୍ଘ ଦିନ ରୁ ମନ୍ଦିର ଗର୍ଭ ଗୃହରେ ଫାଟ ସୃଷ୍ଟି ହୋଇ ବାହାରେ କମ୍ ଭିତରେ ଅଧିକ ବର୍ଷା ପାଣି ପଡେ, ସେଥିପ୍ରତି କାହାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନାହିଁ। ଆଗକୁ ଜୁଲାଇ ୧୬ ତାରିଖରେ ରଥଯାତ୍ରା ପଡୁଛି। ତେଣୁ ରଥ ମରାମତି ଆବଶ୍ୟକ ଅଛି । ଏଥିସହ ମନ୍ଦିର ସମ୍ମୁଖ ଭାଗ ମଧ୍ୟ ଆଉ କିଛି ରଙ୍ଗ କାମ ଅଛି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରଥ କିଭଳି ମରାମତି ହେବ ତାହାର ସମୀକ୍ଷା ମିଳିତ କମିଟି କରିଥିବାର ଦେଖାଯାଇଛି।
ଏଥିରେ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ଏକ ଟିମ ରଥର ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ରଥର କିଛି ଚକ ଓ ଅଖକୁ ବଦଳାଇବା ପାଇଁ କମିଟି ପରାମର୍ଶ ଦେଇଥିଲେ। ଏହାପରେ ବନ ବିଭାଗ ସହଯୋଗରେ ତାହାର ମରାମତି କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି କମିଟିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା, ରାଜସ୍ବ ନିରୀକ୍ଷକ ଭଗବାନ ବେହେରା, ବନପାଳ ଶରତ କୁମାର ମହାନ୍ତି, ମନ୍ଦିର ପରିଚାଳନା କମିଟି ସଭାପତି ବ୍ରହ୍ମାନନ୍ଦ ଦାସ, ସମ୍ପାଦକ ସଞ୍ଜୟ ପ୍ରଧାନ, ମୁଖ୍ୟ ମହାରଣା ତ୍ରିନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
ରଥଯାତ୍ରା ପାଇଁ ଆବଶ୍ୟକ ଅର୍ଥର ଅଭାବକୁ ଦେଖି ଗତବର୍ଷ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଲକ୍ଷାଧିକ ଟଙ୍କା ଦାନ କରିଥିବାର ସୂଚନା। ଫଳରେ ରଥଯାତ୍ରା ଆକର୍ଷଣୀୟ ହୋଇପାରିଥିଲା। ଏହାପରେ ଯାତ୍ରା ସମୟରେ ମୁଖ୍ୟ ସଡ଼କରେ ଯେଉଁ ବିଦ୍ୟୁତ ତାର ସମସ୍ୟା ରହିଥିଲା ତାହାକୁ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଅଣ୍ଡର ଗ୍ରାଉଣ୍ଡ କରି ଦିଆଯାଇଛି। ଏହିଭଳି ଅନେକ ସମସ୍ୟା ର ସମାଧାନ ବିଧାୟକଙ୍କ ସହଯୋଗରେ ହୋଇପାରିଛି।
ସୂଚନାଯୋଗ୍ୟ, କୁଲାଡ ଜଗନ୍ନାଥ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ହେଉଛି। ତେଣୁ ଭଞ୍ଜନଗର ଉପଜିଲ୍ଲାପାଳ ତାହାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି। ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଯାତ୍ରା କିଭଳି ସଫଳତାର ସହ ହୋଇପାରିବ ତାହାର କାର୍ଯ୍ୟ ତଦାରଖ କରୁଛନ୍ତି। ଏଥିସହ ଗତବର୍ଷ ଠାରୁ ମନ୍ଦିର ପରିଚାଳନାରେ ସହଯୋଗ କରିବା ପାଇଁ ଏକ ଦକ୍ଷ କମିଟି ମଧ୍ୟ ଗଠନ କରାଯାଇଛି ।

0
0
0
s2sdefault