ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ପୋଲିସ ଚଳିତ ଆଇପିଏଲ–୨୦୨୬ ସମୟରେ ଚାଲୁଥିବା ଏକ ବଡ଼ ଅନଲାଇନ୍ କ୍ରିକେଟ ବେଟିଂ ଚକ୍ରର ପର୍ଦ୍ଦାଫାଶ କରି ବ୍ୟାପକ ସଫଳତା ହାସଲ କରିଛି। ବ୍ରଜରାଜନଗର ଥାନା ଅଞ୍ଚଳରେ ଚାଲୁଥିବା ଏହି ସଂଗଠିତ ହାଇଟେକ୍ ବେଟିଂ ରାକେଟ୍ ଉପରେ ଚଢ଼ାଉ କରି ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଅଧିକ ଟଙ୍କା, ଦୁଇଟି କାର ଓ ବହୁ ଡିଜିଟାଲ ସାମଗ୍ରୀ ଜବତ କରିଛି।
ଏହି ଘଟଣାରେ ବ୍ରଜରାଜନଗର ଥାନାରେ କେସ୍ ନମ୍ବର ୧୧୯/୨୬ ରେ ମାମଲା ରୁଜୁ ହୋଇଛି। ଗିରଫ ମାନଙ୍କ ମଧ୍ୟରେ ବ୍ରଜରାଜନଗରର ଗୋବିନ୍ଦ ଦାସ ମହାନ୍ତ, ଆକାଶ ଶ୍ରୀବାସ୍ତବ (୨୫), ବିଶାଳ କୁମାର ରବି (୨୭), ମନୁ ସିଂ (୨୫), ଶଙ୍କର ପ୍ରସାଦ ରାମ (୩୫), ରାଜୀବ କୁମାର (୧୯), ଝାରସୁଗୁଡ଼ା ବମ୍ବେ ଛକର ଭୀମ କୁମାର ରାମ (୩୫) ଓ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ରାହୁଲ ସାହୁ ଅଛନ୍ତି।
ପୋଲିସକୁ ମିଳିଥିବା ବିଶ୍ଵସ୍ଥ ସୂଚନା ଆଧାରରେ ଏକ ସ୍ୱତନ୍ତ୍ର ଟିମ୍ ବ୍ରଜରାଜନଗରର ଏକାଧିକ ସ୍ଥାନରେ ସମୟୋପଯୋଗୀ ଚଢ଼ାଉ କରିଥିଲା। ତଦନ୍ତରେ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଭଡ଼ା ଘର ନେଇ ମୋବାଇଲ୍ ଆପ୍ ଓ ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ବେଆଇନ ଅନଲାଇନ୍ ବେଟିଂ କାରବାର ଚଳାଉଥିଲେ। ସେମାନେ ଲାଇଭ୍ ମ୍ୟାଚ୍ର ଟ୍ରେଣ୍ଡ ଓ ବେଟିଂ ସେଣ୍ଟିମେଣ୍ଟ ଉପରେ ନଜର ରଖି କମିଶନ ଆଧାରରେ ଏହି ଚକ୍ରକୁ ପରିଚାଳନା କରୁଥିଲେ।
ଚଢ଼ାଉ ବେଳେ ପୋଲିସ ୫ ଲକ୍ଷ ୯ ହଜାର ୧୦୦ ଟଙ୍କା ନଗଦ, ୪୧ଟି ସ୍ମାର୍ଟଫୋନ, ୨ଟି ଲ୍ୟାପଟପ, ବହୁ ସିମ୍ କାର୍ଡ, ଡିଜିଟାଲ୍ ବେଟିଂ ଖାତା ସହ ଗୋଟିଏ ଇନୋଭା କ୍ରିଷ୍ଟା ଏବଂ ଗୋଟିଏ ମାରୁତି ବାଲେନୋ କାର ଜବତ କରିଛି।
ପ୍ରାଥମିକ ତଦନ୍ତରୁ ଏହି ବେଟିଂ ରାକେଟ୍ର ସଂଯୋଗ ଓଡ଼ିଶା ବାହାରକୁ ମଧ୍ୟ ଲମ୍ବିଥିବା ସନ୍ଦେହ କରାଯାଉଛି। ଆନ୍ତଃରାଜ୍ୟ ଆର୍ଥିକ କାରବାର ଓ ଏହାର ମାଷ୍ଟରମାଇଣ୍ଡଙ୍କ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସାଧାରଣ ଲୋକଙ୍କୁ କମ୍ ସମୟରେ ଅଧିକ ଟଙ୍କା ଲାଭର ପ୍ରଲୋଭନ ଦେଇ ଏହି ଚକ୍ର ଜୁଆରେ ଜଡ଼ାଇ ଦେଉଥିବାରୁ ଅନେକ ପରିବାର ଆର୍ଥିକ ସମସ୍ୟାରେ ପଡ଼ୁଥିବା କଥା ପୋଲିସ କହିଛି।
ଏହାସହିତ ପୋଲିସ ବିଭିନ୍ନ ବ୍ୟାଙ୍କ ଖାତାରେ ଥିବା ପ୍ରାୟ ୩.୭ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି। ଜବତ ହୋଇଥିବା ଡିଜିଟାଲ୍ ଡିଭାଇସ୍ ଓ ଆର୍ଥିକ କାରବାରର ତଥ୍ୟକୁ ବୈଷୟିକ ଭାବେ ଯାଞ୍ଚ କରାଯାଉଛି।
ଝାରସୁଗୁଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ର କହିଛନ୍ତି, ସାଇବର ଅପରାଧ ଓ ବେଆଇନ ଜୁଆ ଚକ୍ର ବିରୋଧରେ ଆଗାମୀ ଦିନରେ ମଧ୍ୟ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ।







