କେନ୍ଦ୍ରାପଡ଼ା:୨୫.୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ଗରଦପୁର ବ୍ଲକ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶିବିରରେ ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇ ସମ୍ପୃକ୍ତ ବିଭାଗ ମାଧ୍ୟମରେ ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା।
ଏହି ଅଭିଯୋଗ ଶୁଣାଣିରେ ମୋଟ ୭୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୬୯ଟି ବ୍ୟକ୍ତିଗତ ଏବଂ ୯ଟି ସାମୁହିକ ଅଭିଯୋଗ ଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୧୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଶୁଣାଣି ସମୟରେ ରାଜସ୍ୱ, ସାମାଜିକ ସୁରକ୍ଷା, ଗ୍ରାମୀଣ ଆବାସ, ସରକାରୀ କଲ୍ୟାଣମୂଳକ ଯୋଜନା ଏବଂ ଅନ୍ୟାନ୍ୟ ନାଗରିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଗୁଡ଼ିକ ଉପରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ।
ଏହି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ,ଜିଲ୍ଲା ପରିଷଦ ମୁଖ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଗରଦପୁରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଆସନ୍ତା ୧ ଜୁନରେ ରାଜନଗର ବ୍ଲକ ଏବଂ ୮ ଜୁନରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସକାଳ ୭ଟାରୁ ୧୦ଟା ମଧ୍ୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ସେହିପରି ୨୨ ଜୁନରେ ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ୨୯ ଜୁନରେ ରାଜକନିକା ବ୍ଲକରେ ପୂର୍ବାହ୍ନ ୧୦.୩୦ ମିନିଟରୁ ଦିନ ୧ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଜନସାଧାରଣଙ୍କୁ ଏହି ଶିବିରର ସୁଯୋଗ ନେଇ ନିଜ ଅଭିଯୋଗ ଓ ସମସ୍ୟା ସମାଧାନ ପାଇଁ ଯୋଗଦେବାକୁ ଅନୁରୋଧ କରାଯାଉଛି।
ରାଜ୍ୟ
ଗରଦପୁର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।
- Hits: 20







