ଟ୍ରିବୁନାଲ ନିକଟରେ ଦାଖଲ ହୋଇଥିବା ମହାନଦୀରେ ଉପଲବ୍ଧ ଜଳ ରାଶିର ଡାଟା କୁ ସମୀକ୍ଷା କରିବା ପାଇଁ କଲେ ନିବେଦନ l
ଭୁବନେଶ୍ୱର ତା 25 l 5 l ରିଖ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ କମିଟିର ଅଧକ୍ଷ ତଥା ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନ ସ୍ମାରକପାତ୍ର ଦିଆଯାଇଛି l ଗତ ମେ ମାସ 2 ତାରିଖରେ ଟ୍ରିବୁନାଲ ନିକଟରେ ମହାନଦୀରେ ଉପଲବ୍ଧ ଜଳରାଶି ସମ୍ପର୍କିତ ଯେଉଁ ତଥ୍ୟ ପ୍ରଦାନ କରାଯାଇଛି ତାକୁ କମିଟି ସମୀକ୍ଷା କରିବାକୁ ଏହି ସ୍ମାରକପତ୍ରରେ ନିବେଦନ କରାଯାଇଛି l
ଆଜି ସକାଳ 9 ଘଟିକା ସମୟରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ପ୍ରତିନିଧି ଦଳ ଉଚ୍ଚ ସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓଙ୍କ ବାସଭବନରେ ତାଙ୍କୁ ଭେଟି ଦାବି ପତ୍ର ଦେବା ସହିତ ଟ୍ରିବୁନାଲ ନିକଟରେ ଦାଖଲ ହୋଇଥିବା ଡାଟା ବା ତଥ୍ୟର ଅନୁଧ୍ୟାନ କରିବା ସହିତ ସେହି ଡାଟାକୁ ଗ୍ରହଣ ନକରିବା ପାଇଁ ନିବେଦନ କରିଥିଲେ l ପରେ କମିଟିର ଅନ୍ୟ ସଦସ୍ୟ ଯଥା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସରକାରୀ ଦଳ ର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ରଙ୍କ ବାସଭବନକୁ ଯାଇ ସେମାନଙ୍କ ଅନୁପସ୍ଥିତିରେ ଦାବିପତ୍ରକୁ ସେମାନଙ୍କ ଦପ୍ତରରେ ପ୍ରଦାନ କରିଥିଲେ l ବିଧାୟିକା ସୋଫିଆ ଫିର୍ଦୋଷଙ୍କୁ ଇମେଲ ଯୋଗେ ଏହି ଦାବିପତ୍ର ପଠାଯାଇଛି l
ପ୍ରକାଶ ଥାଉ କି ଟ୍ରିବୁନାଲ ନିକଟରେ ଦାଖଲ ହୋଇଥିବା ଡାଟାକୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଚାଲେଞ୍ଜ କରାଯାଇଛି ଏବଂ ଏହି ଡାଟା ବା ତଥ୍ୟ ଓଡିଶା ପାଇଁ ଆତ୍ମାଘାତି ସାବ୍ୟସ୍ତ ହେବବୋଲି ଚେତାବନୀ ଦିଆ ଯାଇଛି l ମହାନଦୀରେ ବାର୍ଷିକ ହାରାହାରି ଜଳ ରାଶିର ତଥ୍ୟ ଆଢୁଆଳେ ଅଣମୌସୁମୀ ସମୟରେ ଓଡ଼ିଶାର ଦୁର୍ଦ୍ଦଶା ଓ ଜଳ ସଙ୍କଟର ସାଙ୍ଘାତିକ ବାସ୍ତବ ସ୍ଥିତି ଲୁଚି ଯାଇଛି l ହୀରାକୁଦକୁ ଯଥେଷ୍ଟ ପାଣି ଅଣମୌସୁମୀ ସମୟରେ ଆସୁନାହିଁ ବୋଲି ନିଜେ ମୁଖ୍ୟମନ୍ତ୍ରୀ ବିଧାନ ସଭାରେ ମଧ୍ୟ ସ୍ୱୀକାର କରିଛନ୍ତି l ସେପରି ସ୍ଥଳେ ମେ 2 ତାରିଖରେ ଟ୍ରିବୁନାଲରେ ଦାଖଲ ହୋଇଥିବା ଡାଟା ବା ତଥ୍ୟ ପ୍ରତିପାଦିତ କରାଏ ଯେ ଓଡିଶା ପଟରେ ମହାନଦୀ ରେ ପ୍ରଚୁର ପାଣି ରହିଛି ଏବଂ ଛତିଶଗଡ଼ ସହିତ ବିବାଦର କୌଣସି କାରଣ ନାହିଁ l ଏହା ବାସ୍ତବରେ ଛତିଶଗଡ଼ ପାଖରେ ସମର୍ପଣ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି l
କମିଟିର ସଦସ୍ୟ ମାନଙ୍କୁ ଭେଟିବା କାର୍ଯ୍ୟକ୍ରମରେ ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ ସମେତ ସର୍ବଶ୍ରୀ ମନୋଜ ଜେନା, ବାସୁଦେବ ଭଟ୍ଟ,ବିଜୟ ପରିଡା,ଗିରିଜା ଶଙ୍କର ଦାସ, ପ୍ରସନ୍ନ ବିଶୋଇ, ଅରୁଣ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l







