ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ସାରଦାଗୁଡା ଗ୍ରାମରେ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ସାରଦାଗୁଡା ଗ୍ରାମରେ ରହୁଥିବା ସ୍ବର୍ଗତ ସହଦେଵ ନାୟକ ଙ୍କ ସ୍ତ୍ରୀ ପଦ୍ମା ନାୟକ-(୫୦)ଙ୍କୁ ଉକ୍ତ ଗ୍ରାମର ଦୁଇଜଣ ବ୍ୟକ୍ତି ବୃଦ୍ଧାଙ୍କୁ ଗୁଣିଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରିଥିବା ନେଇ ମୃତ ପଦ୍ମାଙ୍କ ପୁଅ ଗଣେଷ ନାୟକ ଓର୍କେଲ ଥାନାରେ ପହଁଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୧୫୭/୨୦୨୬ ରେ ଏକ ମାମଲା ରୁଜୁ କରିବା ସହିତ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ, ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଉକ୍ତ ଗ୍ରାମରେ ପହଁଞ୍ଚି ମହିଳା ପଦ୍ମାଙ୍କ ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉକ୍ତ ଗ୍ରାମରେ କିଛି ଦିନ ପୂର୍ବେ ୨ ଜଣ ବ୍ୟକ୍ତିଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଗ୍ରାମର କୌଣସି ଏକ ବ୍ୟକ୍ତି ସେମାନଙ୍କୁ ଗୁଣି ଗାରେଡି କରି ମାରିଦେଇଛନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଥିଲେ। ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଗ୍ରାମବାସୀ କୋଟପାଡ଼ ଅଞ୍ଚଳର ଜଣେ ଗୁଣିଆକୁ ଗାଁକୁ ଡାକିଥିଲେ। ଉକ୍ତ ଗୁଣିଆ ଗାଁରେ ପହଁଞ୍ଚିବା ପରେ ଉକ୍ତ ଗ୍ରାମରେ ଗ୍ରାମବାସୀଙ୍କୁ ନେଇ ଉକ୍ତ ଗୁଣିଆ ଏକ ମିଟିଙ୍ଗ କରିବା ସହିତ ପ୍ରସାଦ ଖୁଆଇବା ପରେ ମୃତ ପଦ୍ମାଙ୍କ ନାମ ପ୍ରକାଶ କରିଥିଲା। ଏହା ପରେ ପୂର୍ବରୁ ଉକ୍ତ ଗ୍ରାମରେ ମୃତ୍ୟୁ ବରଣ କରିଥିବା ଦୁଇ ବ୍ୟକ୍ତିଙ୍କ ପୁଅମାନେ ପଦ୍ମାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଆହତ ଅବସ୍ଥାରେ ପଦ୍ମାଙ୍କ ପୁଅ ତାଙ୍କ ମାଆଙ୍କୁ ଗାଁ ଦଣ୍ଡରୁ ଉଦ୍ଧାର କରି ଘରକୁ ନେବା ସମୟରେ ପଦ୍ମାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ପକ୍ଷରୁ ଆଜି କୋରାପୁଟରୁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଟିମ ଆସି ସାରଦା ଗୁଡା ଗ୍ରାମରେ ପହଞ୍ଚିବା ପରେ ପୋଲିସ ଓ ଗ୍ରାମବାସୀ ଉପସ୍ଥିତରେ ହୋଇଥିବା ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତନ ତନ କରି ଯାଞ୍ଚ କରିବା ସହିତ ସେଠାରୁ କିଛି ନମୁନା ସଂଗ୍ରହ କରିଥିଲେ।ମାଜିଷ୍ଟ୍ରେଟ ଭାବେ ଗୁମ୍ମା ତହସିଲଦାର କୃଷ୍ଣ ଚନ୍ଦ୍ର ଦାସଙ୍କ ଉପସ୍ଥିତରେ ସାରଦାଗୁଡା ଗ୍ରାମରେ ମୃତ ମହିଳା ପଦ୍ମାଙ୍କ ଶବର ପଞ୍ଚନାମା କରାଯାଇଥିଲା।ଏହା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠା ଯାଇଛି।ସେଠାରେ ଶବ ବ୍ୟବଚ୍ଛେଦ କରିବା ସହିତ ଏକ ସ୍ୱତନ୍ତ୍ର ଡାକ୍ତରଟିମଙ୍କ ଦ୍ଵାରା ଏଫଏମଟି କରାଯିବ ଯଦି କୌଣସି କାରଣରୁ ନହୁଏ ତେବେ କୋରାପୁଟ ମେଡିକାଲ କଲେଜକୁ ଏଫଏମଟି ନିମନ୍ତେ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଏହି ହତ୍ୟାକାଣ୍ଡରେ ସମ୍ପୁକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଜୋରସୋର ଚେଷ୍ଟା ଚାଲିଛି।ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ରାଜ୍ୟ
ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା: ଗ୍ରାମରେ ପହଞ୍ଚି ତଦନ୍ତ କଲେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ
- Hits: 22







