ଅପରେସନ୍ କଲେ ଶିଶୁ ବଞ୍ଚିପାରୁଥାନ୍ତା କି? ପ୍ରଶ୍ନ ଉଠାଇଲେ ଅଞ୍ଚଳବାସୀ
ଘୁ ଉଦୟଗିରି, ୨୭/୦୪:(ଅବନୀ କୁମାର ପ୍ରଧାନ):ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଅକସ୍ମାତ୍ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ହେଲେ ଘୁ ଉଦୟଗିରି ବ୍ଲକ କୁମ୍ଭାରକୁପା ଗ୍ରାମର ସ୍ନେହଲତା ପ୍ରଧାନ।
ସୂଚନା ଅନୁସାରେ, ସ୍ନେହଲତା ପ୍ରଧାନ ତାଙ୍କ ସ୍ୱାମୀ ରସନ୍ ପ୍ରଧାନଙ୍କ ସହ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଲେବର ରୁମ୍କୁ ନେଇଯାଉଥିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତତ୍କ୍ଷଣାତ୍ ଆଶା କର୍ମୀ ଓ ନର୍ସ ସ୍ବାମୀ ରୋସନଙ୍କ ସହାୟତାରେ ବେଡ୍ରେ ସୁଆଇ ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
କାର୍ଯ୍ୟରତ ଡାକ୍ତର ଡା. ରଘୁନନ୍ଦନ ବେହେରା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଘଟଣା ସମ୍ବନ୍ଧରେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚ ଝରଣା ପ୍ରଧାନ ଓ ଗ୍ରାମବାସୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ଶୋକ ପ୍ରକାଶ କରିଥିଲେ।
ଏହି ଘଟଣାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠୁଛି। ମହିଳାଙ୍କ ମୃତ୍ୟୁ କିପରି ହଟାତ୍ ଘଟିଲା? କୌଣସି ଅନ୍ୟ ଗୁରୁତର ରୋଗ ଥିଲା କି? ଏହାସହ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ଯଦି ତତ୍କ୍ଷଣାତ୍ ଅପରେସନ୍ କରି ଗର୍ଭରେ ଥିବା ଶିଶୁକୁ ବାହାର କରାଯାଇଥାନ୍ତା, ଶିଶୁଟି ବଞ୍ଚିପାରିଥାନ୍ତା କି ନାହିଁ ?ଏ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିୟୋଜିତ ଥିବା ସତ୍ତ୍ୱେ ଏପରି ପଦକ୍ଷେପ କାହିଁକି ନିଆଯାଇନି, ତାହା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ସେବାରେ ଅବହେଳା ହୋଇଛି କି ନାହିଁ ?ଏହା ତଦନ୍ତର ବିଷୟ ହୋଇପଡ଼ିଛି। ପରେ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଡାକ୍ତରଙ୍କ ଲିଖିତ ଅଭିଯୋଗ ଆଧାରରେ ସ୍ଥାନୀୟ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଛି |








