ହେଡଲାଇନସ୍:

ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ଉପରେ ଦିଲୀପ ରାୟଙ୍କ ପୋଷ୍ଟ କେବଳ ଲୋକ ଦେଖାଣିଆ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିଜେପି ସାଂସଦଙ୍କ ମନ୍ତବ୍ୟକୁ ଖଣ୍ଡନ କରିବା ପାଇଁ ଦିଲୀପଙ୍କ ସତ୍ସାହସ ନାହିଁ
  • ଦିଲୀପଙ୍କ ବିଜୁ ଲିଗାସୀ ଦାବି କେବଳ ଉପରଠାଉରିଆ
  • ସତ୍ସାହସ ଥିଲେ ଦୁବେଙ୍କ ମନ୍ତବ୍ୟ ଖଣ୍ଡନ କରିବା ସହିତ ତାଙ୍କ ଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରନ୍ତୁ ଦିଲୀପ


ଭୁବନେଶ୍ୱର, ୩୦/୦୩/୨୦୨୬: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅରୁଚିକର ମନ୍ତବ୍ୟ ଲୋକଲୋଚନକୁ ଆସିବା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ନିକଟରେ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯାଇଥିବା ଦିଲୀପ ରାୟ ବିଜୁ ବାବୁଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଦେଇଛନ୍ତି । ନିଜକୁ ବିଜୁ ଲିଗାସୀର କର୍ଣ୍ଣଧାର ବୋଲାଉଥିବା ଦିଲୀପ ରାୟଙ୍କ ଏହି ପୋଷ୍ଟ ଉପରେ କଡା ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ ।
ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ବିଜୁ ବାବୁଙ୍କ ସମ୍ମାନ ଓ ପ୍ରତିଷ୍ଠା କ୍ଷୁଣ୍ଣ କରୁଥିବା ବେଳେ ଦେଶବ୍ୟାପୀ ଏହାର ବିରୋଧରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବିଜୁ ଲିଗାସୀ ଦ୍ୱାହି ଦେଇ ରାଜନୀତି କରୁଥିବା ଦିଲୀପ ରାୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ, ସାହାସିକତା, ଦେଶପ୍ରେମ ଓ ରାଜ୍ୟ ତଥା ଦେଶ ପ୍ରତି ତାଙ୍କ ଅବଦାନ ଉପରେ ଶ୍ରୀ ରାୟ ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ପୋଷ୍ଟକୁ ତାଙ୍କର କିଛି ସମର୍ଥକ ରି ପୋଷ୍ଟ କରି ଦିଲୀପ ନିଜର ସାହାସିକତା ପ୍ରଦର୍ଶନ କରିଛନ୍ତି ବୋଲି ଟିପ୍ପଣୀ ଦେଇଛନ୍ତି । କିନ୍ତୁ ଦିଲୀପ ରାୟଙ୍କ ପୋଷ୍ଟ ପଢିଲେ, ଯେ କେହି ବି ଜାଣିପାରିବ ଯେ ଦିଲୀପ ନିଜର ସାହାସିକତା ନୁହେଁ ବରଂ ନିଜର ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଦିଲୀପ ନିଜ ପୋଷ୍ଟରେ ବିଜୁ ବାବୁଙ୍କ ବିରୋଧରେ ଏଭଳି ଅବାଂଛନୀୟ ମନ୍ତବ୍ୟ ରଖିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ପଦଟିଏ ମଧ୍ୟ ଲେଖି ନାହାନ୍ତି । ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ ବିଷୟରେ ସେ ଯାହା ଲେଖିଛନ୍ତି, ତାହା ଇତିହାସର ଅଂଶବିଶେଷ । ବିଜୁ ବାବୁଙ୍କ ଉପରେ ଅନେକ ପ୍ରତିଷ୍ଠିତ ଲେଖକ ଅନେକ ବହି ଲେଖିଛନ୍ତି । ସେଇ ଗୁଡିକ ବିଭିନ୍ନ ପାଠାଗାରରେ ଉପଲବ୍ଧ ରହିଛି । ଆଜିର ପ୍ରସଙ୍ଗ ହେଉଛି ପ୍ରବାଦ ପୁରୁଷ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତା ବିଜୁ ବାବୁଙ୍କ ଉପରେ ଜଣେ ବିଜେପି ସାଂସଦଙ୍କ ଅରୁଚିକର ମନ୍ତବ୍ୟ । ତେଣୁ ରାଜ୍ୟର ଜଣେ ନେତା ଭାବେ ପ୍ରଥମ ଆବଶ୍ୟକତା ହେଉଛି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଖଣ୍ଡନ ଓ ତାଙ୍କ ଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନାର ଦାବି, ଯାହା ଶ୍ରୀ ରାୟ ତାଙ୍କ ପୋଷ୍ଟରେ କରିନାହାନ୍ତି । କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ବିଜୁ ବାବୁଙ୍କ ଶ୍ରୁତିଗାନରେ ନିଜର ପୋଷ୍ଟକୁ ସୀମିତ ରଖିଛନ୍ତି ।
ଡ଼ ମହାନ୍ତି କହିଛନ୍ତି, ବୁଝିବାକୁ ବାକିନାହିଁ ଯେ, ଶ୍ରୀ ରାୟ ବିଜେପିର ସଦସ୍ୟ ଥାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜେପି ସମର୍ଥନରେ ନିର୍ବାଚନ ଜିତି ଥିବାରୁ, ବିଜେପି ସାଂସଦଙ୍କ ମନ୍ତବ୍ୟକୁ ଖଣ୍ଡନ କରିବାକୁ ସତ୍ସାହସ ଦେଖାଇ ପାରିନାହାନ୍ତି । କେବଳ ଉପରଠାଉରିଆ ଭାବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ପୋଷ୍ଟ ଦେଇ ବିଜୁ ଲିଗାସୀ ଦାୟିତ୍ୱଟି ତୁଲାଇଛନ୍ତି ବୋଲି ଗୋଟିଏ ବାର୍ତ୍ତା ଦେଇଛନ୍ତି । ପୁଣି ସମର୍ଥକଙ୍କ ଦ୍ୱାରା ଏହି ପୋଷ୍ଟର ପ୍ରଶଂସା କରାଉଛନ୍ତି । ଶ୍ରୀ ରାୟଙ୍କ ଏହି ପୋଷ୍ଟ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ । ଯଦି ସେ ବାସ୍ତବରେ ବିଜୁ ଲିଗାସୀରେ ବିଶ୍ୱାସ ରଖନ୍ତି ଓ ବିଜୁ ବାବୁଙ୍କ ସାହାସିକତାରୁ କାଣିଚାଏ ତାଙ୍କ ନିକଟରେ ରହିଛି, ତାହେଲେ ସିଧାସଳଖ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଖଣ୍ଡନ କରନ୍ତୁ ଓ ତାଙ୍କଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରନ୍ତୁ ।

0
0
0
s2sdefault