ହେଡଲାଇନସ୍:

କଟକ SCB ମେଡିକାଲ କଲେଜ ଅଗ୍ନି ଦୁର୍ଘଟଣାରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଜନିତ ସରକାରୀ ଅବହେଳା ପ୍ରତିବାଦରେ ମିଳିତ ବିରୋଧୀ ଦଳର ଗଣ ଧାରଣା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଶ୍ନ ।

  • ଲୋକଙ୍କ ସରକାର ବୋଲି ଢୋଲ ପିଟୁଥିବା ଡବଲ ଇଞ୍ଜିନ ସରକାରର ଉତ୍ତରଦାୟିତ୍ୱ ଗଲା କୁଆଡେ ?

  • ସାଢେ ଚାରିକୋଟି ଓଡିଶାବାସୀଙ୍କ ଜୀବନକୁ ବାଜି ଲଗାଇ ବିଜେପି ସରକାର ଖସି ଯାଇପାରିବ ନାହିଁ, ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ ।

  • ମୋ ଓଡିଶା ମାଟିର ୧୩ ଟି ନିରୀହ ଜୀବନ ସରକାରୀ ଅବହେଳାରୁ ଚାଲିଗଲା ।

  • ମୁଁ କେମିତି ଚୁପ୍‌ ରହିପାରିବି ?


ଭୁବନେଶ୍ୱର, ତା ୩୦/୩/୨୬ ରିଖ: କଟକ ବଡ ମେଡିକାଲରେ ଗତ ମାର୍ଚ୍ଚ ୧୬ ତାରିଖରେ ICU ରେ ଅଗ୍ନି ଦୁର୍ଘଟଣାରେ ୧୩ ଜଣ ରୋଗୀଙ୍କର ଦୁଃଖଦ ମୃତ୍ୟୁ ଘଟଣାରେ ସରକାରୀ ଅବହେଳାର ପ୍ରତିବାଦରେ ରାଜ୍ୟର ୧୦ ଟି ବିରୋଧୀ ଦଳ ପକ୍ଷରୁ ଲୋୟର PMG ରେ ଆଜି ମିଳିତ ବିରୋଧୀ ଦଳ ଗଣ ଧାରଣା ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ସହ ବିଜେପି ସରକାରର ଜନ ବିରୋଧୀ ନୀତି ବିରୁଦ୍ଧରେ ଏହି ବିଶାଳ ଗଣ ଧାରଣାରେ ବିଜୁ ଜନତା ଦଳ ସମେତ ରାଜ୍ୟର ବିଭିନ୍ନ ବିରୋଧୀ ଦଳ ମାନେ ଅଂଶ ଗ୍ରହଣ କରିଛନ୍ତି ।
ଏହି ଗଣ ଧାରଣାକୁ ସମର୍ଥନ କରି ଏକ ବାର୍ତ୍ତାରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ SCB ମେଡିକାଲ କଲେଜରେ ଯେଉଁ ଅଭାବନୀୟ ଘଟଣା ଘଟିଗଲା ତାହା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଛି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୁଁ ସବୁବେଳେ କହି ଆସିଛି ‘‘ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ । ମୋ ଓଡିଶାର ୧୩ ଟି ନୀରିହ ଜୀବନ ସରକାରୀ ଅବହେଳାରୁ SCB ପରି ଦେଶର ପ୍ରତିଷ୍ଠିତ ଡାକ୍ତରଖାନାରେ ଚାଲିଗଲା । ଏତେବଡ ଘଟଣାରେ ମୁଁ କେମିତି ଚୁପ୍‌ ରହିପାରିବି ? ଆମେ କେମିତି ଚୁପ୍‌ ରହିପାରିବା ? ଏହି ଦୁର୍ଘଟଣାରେ ମୋ ଓଡିଶା ମାଟିର ୧୩ ଜଣ ଓଡିଆ ଭାଇ ଭଉଣୀଙ୍କ ଜୀବନ କେବଳ ଯାଇନାହିଁ, ସେମାନଙ୍କ ପରିବାରର ସ୍ୱପ୍ନ ମଧ୍ୟ ଅବହେଳାର ନିଆଁରେ ପୋଡି ନଷ୍ଟ ହୋଇଯାଇଛି । ସରକାରୀ ସ୍ୱାସ୍ଥ୍ୟ ଉପରୁ ଲୋକଙ୍କ ଭରସା ତୁଟି ଯାଇଛି । ଓଡିଶାର ସାଢେ ଚାରିକୋଟି ଲୋକଙ୍କ ବିଶ୍ୱାସ SCB ପରି ଏତେବଡ ଅନୁଷ୍ଠାନ ଉପରୁ ଭାଙ୍ଗିଗଲା । ଆମେ କେମିତି ଚୁପ୍‌ ରହି ଏତେବଡ ସରକାରୀ ଉଦାସୀନତାକୁ ସହି ପାରିବା ? ଦାୟୀ କିଏ ?’’
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭଗବାନ କରନ୍ତୁ, ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେଉ । ଲୋକଙ୍କ ସରକାର ବୋଲି ଢୋଲ ପିଟୁଥିବା ଡବଲ ଇଞ୍ଜିନ ସରକାରର ଉତ୍ତରଦାୟିତ୍ୱ ଗଲା କୁଆଡେ ? ଓଡିଶାବାସୀଙ୍କ ବିପୁଳ ସମର୍ଥନରେ କେନ୍ଦ୍ରରେ ଗଢା ଯାଇଥିବା ମେଣ୍ଟ ସରକାରର ମନ୍ତ୍ରୀ ମାନଙ୍କ ମାନବିକତା କୁଆଡେ ଗଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡିଶାବାସୀଙ୍କ ବିଶ୍ୱାସ ଆଜି ସଙ୍କଟରେ । SCB ମେଡିକାଲ କଲେଜର ଗୌରବ ଆଜି ସଙ୍କଟରେ । ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିଶ୍ୱସନୀୟତା ଆଜି ସଙ୍କଟରେ । ଓଡିଶାବାସୀ ଆଜି ଉତ୍ତରଦାୟିତ୍ୱ ମାଗୁଛନ୍ତି । ମନ୍ତ୍ରୀ ପଦ ସହ ଉତ୍ତରଦାୟିତ୍ୱ ସବୁବେଳେ ଯୋଡି ହୋଇ ରହିଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେବା ସହ ସାଢେ ଚାରି କୋଟି ଓଡିଆଙ୍କ ଜୀବନକୁ ବାଜିରେ ଲଗାଇ ବିଜେପି ସରକାର ଖସି ଯାଇ ପାରିବ ନାହିଁ ବୋଲି ସତର୍କ କରି ଦେଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ଗୁଡିକରେ ଉତ୍ତରଦାୟିତ୍ୱ ନେଇ ପୂର୍ବ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜୀର ରହିଛି । ତେଣୁ ଏହି ଦୁର୍ଘଟଣା ପାଇଁ ଉତ୍ତରଦାୟିତ୍ୱ ନେବାକୁ ବିଜେପି ସରକାର ବାଧ୍ୟ । ସେ ପର୍ଯ୍ୟନ୍ତ ଆମର ଲଢେଇ ଜାରୀ ରହିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟୋକ୍ତି କରିଥିଲେ ।
ସୂଚନାଯୋଗ୍ୟ ଯେ ଆଜିର ଏହି ଗଣ ଧାରଣାରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ ।

0
0
0
s2sdefault