ଝାରସୁଗୁଡ଼ା: ଆଜି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ା ଠାରେ “ମନୋ-ସାମାଜିକ ସହାୟତା” (Psycho-Social Support) ବିଷୟରେ ଏକ ସଚେତନତାମୂଳକ ଓ ଉପଯୋଗୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଛାତ୍ରଛାତ୍ରୀମାନଙ୍କ ମନୋସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ତାଙ୍କର ଦୈନନ୍ଦିନ ଜୀବନରେ ସମସ୍ୟାମାନଙ୍କୁ ସମ୍ଭାଳିବାର କ୍ଷମତା ବିକାଶରେ ଏକ ମୂଲ୍ୟବାନ ପଦକ୍ଷେପ ରୂପେ ପ୍ରମାଣିତ ହୋଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମନୋସ୍ୱାସ୍ଥ୍ୟ ରକ୍ଷାରେ ସାମାଜିକ ସମର୍ଥନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜାତୀୟ ଯୁବ ରେଡକ୍ରସ୍ର ମୁଖ୍ୟ ଡ଼. ମନୀଷ କୁମାର ଦ୍ୱିବେଦୀ ସଂଯୋଜକ ଭାବରେ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ବିଶିଷ୍ଟ ବକ୍ତା ଭାବରେ ପୂର୍ବତନ ଅଧ୍ୟକ୍ଷା ଡ଼. ସ୍ନେହଲତା ମିଶ୍ର ଓ କୁଲାବିରା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପୁଣ୍ୟଶ୍ଳୋକ ଭାର୍ଗବ ଯୋଗଦାନ କରି ମନୋ-ସାମାଜିକ ସହାୟତାର ଆବଶ୍ୟକତା, ତାହାର ମୂଳ ଉପାଦାନ ଓ ପ୍ରାୟୋଗିକ ଦିଗ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ ଭାବନାତ୍ମକ ସମର୍ଥନ, ସାମାଜିକ ସମ୍ପର୍କ ଓ ପ୍ରାୟୋଗିକ ସହାୟତା ମାନସିକ ସୁସ୍ଥତା ପାଇଁ ଅତ୍ୟନ୍ତ ଆବଶ୍ୟକ।
ଏହି କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀମାନେ ମନୋ-ସାମାଜିକ ସହାୟତାର ମୂଳ ଧାରଣା ସହ ଏହାର ପ୍ରାୟୋଗିକ ପ୍ରୟୋଗ ବିଷୟରେ ସଚେତନ ହୋଇଥିଲେ, ଯାହା ତାଙ୍କର ଭବିଷ୍ୟତ୍ ଜୀବନରେ ଉପକାରୀ ହେବ ବୋଲି ଆଶା କରାଯାଉଛି।କାର୍ଯ୍ୟକ୍ରମର ଶେଷରେ ପ୍ରାଧ୍ୟାପକ ତପନ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।








