ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,୧୬/୮: ଶ୍ରୀମନ୍ଦିରରେ ଶନିବାର ନନ୍ଦୋତ୍ସବ ପାଳିତ ସୋଇଯାଇଛି । ମଙ୍ଗଳ ଆଳତି ପରେ ରାମକୃଷ୍ଣ ଓ ମଦନମୋହନ ଜଗମୋହନରେ ଦୋଳାରେ ବସିଥିଲେ । ସକାଳ ଧୂପ ସମାପ୍ତ ହେବା ପରେ ପାଣିପକା ଭୋଗ ହୋଇଥିଲା । ଏହି ଦିନ ଭୋଗମଣ୍ଡପ ଘର ଓ ଶ୍ରୀଜୀଉଙ୍କ ମଧ୍ୟରେ ଦୋଳା ଥିବାରୁ ଭୋଗମଣ୍ଡପ ଭୋଗକୁ ପାଣିପକା ଭୋଗ କୁହାଯାଏ । ଏହା ପରେ ସଂପୃକ୍ତ ସେବକ ମାନଙ୍କ ଦ୍ଵାରା ମଇଲମ , ମହାସ୍ନାନ ପୂଜା ଠା, ମହାସ୍ନାନ, ନୂଆ ଲୁଗା ଲାଗି ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରିଥିଲେ। ଦିଅଁମାନେ ଛଅ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲେ । ଦେବୀ ସୁଭଦ୍ରାଙ୍କୁ ଆଜ୍ଞାମାଳ ଖଣ୍ଡିଏ ଲାଗି କରାଇ କର୍ପୂର ଲାଗି ପୁଷ୍ପାଳକ ସିଂହାସନରୁ ଓହ୍ଲାଇଥିଲେ । ସୁଭଦ୍ରା ଓ ଜଗନ୍ନାଥଙ୍କ ବାଡ଼ରେ ଷଷ୍ଠୀ ଓ ମାର୍କଣ୍ଡି ପୂଜା ହୋଇଥିଲା । ଏହା ପରେ ମଧ୍ୟାହ୍ନ ଧୂପର ଛେକ ରୋଷଘରୁ ଘଣ୍ଟ, ଛତା ଓ କାହାଳୀ ସହ ତଳୁଚ୍ଛ ଓ ପ୍ରଧାନୀଙ୍କ ହାତ ପୈଠ ହୋଇ ଆସିଥିଲେ। ମୁଦିରସ୍ତଙ୍କ ପ୍ରସାଦ ଲାଗି ପରେ ପୂଜାପଣ୍ଡା ପୂଜା କରିଥିଲେ । ଧୂପ ଶେଷ ପରେ ଧୋପଖାଳ ହୋଇଥିଲା । ପଣ୍ଡା, ପତି ଓ ମୁଦିରସ୍ତ ଆସି ଜଗନ୍ନାଥଙ୍କ ବାଡ଼ରେ ଓ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ ଓ ତିନିବାଡ଼ରେ ବନ୍ଦାପନା କରିଥିଲେ । ଏହାପରେ ଭଣ୍ଡାର ଘରୁ ଦୁର୍ଗା ମୂର୍ତ୍ତିଙ୍କୁ ପତି ମହାପାତ୍ର ବିଜେ କରାଇନେଇ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ପୂଜାପଣ୍ଡା ଆଜ୍ଞାମାଳ ଦେଇଥିଲେ । ପତି ମହାପାତ୍ର ଏହାପରେ ଦୁର୍ଗାଙ୍କୁ ହାତରେ ବିଜେ କରାଇ ଆଣି ଜଗମୋହନର ଦୋଳି ଆଗରେ ଖଟୁଲି ଉପରେ ବିଜେ କରାଇଥିଲେ । ପରେ ମହାସ୍ନାନ ଓ ଶୀତଳ ଭୋଗ ହେବା ସହ ବନ୍ଦାପନା ହୋଇ ଦୁର୍ଗାଙ୍କୁ ସାତ ପାହଚ ଦ୍ଵାର ଠାରେ ଡମ୍ବରୁ ଉପରେ ବିଜେ କରାଯାଇଥିଲା । ଏହି ସମୟରେ ବିଜୁଳି କନ୍ୟାକୁ ଧରି ଫୋପାଡ଼ି ଦେଇଥିଲେ । ଏହା ପରେ ଦେବୀଙ୍କର କର୍ପୂର ଆଳତି ହୋଇ ତାଙ୍କୁ ଭଣ୍ଡାରକୁ ବାହୁଡ଼ା ବିଜେ କରାଇଥିଲେ । ଦୋଳିରେ ବସିଥିବା ରାମକୃଷ୍ଣ ଓ ମଦନମୋହନଙ୍କୁ ଖଟ ଉପରେ ବିଜେ କରାଯାଇଥିଲା । ମାଜଣା ଓ ମାଳଫୁଲ ଲାଗି ପରେ ଦିଅଁଙ୍କୁ ସାତ ପାହଚ ଦ୍ଵାରଠାରେ ପାଲିଙ୍କିରେ ବସାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରକୁ ବିଜେ କରାଯାଇଥିଲା । ଏ ଉତ୍ତାରୁ ଭିତରଚ୍ଛ ମହାପାତ୍ର (ନନ୍ଦ ରାଜା) ରୂପରେ ରାଜାଙ୍କ ନଅରକୁ ଯାଇ ଫେରିଆସି ସ୍ନାନ ମଣ୍ଡପରେ ବସିଥିଲେ । ତାଟ ଲେଙ୍କା ଗୋଟିଏ ଦୁହାଁଳୀଆ ଗାଈ ଲକ୍ଷ୍ମୀ ମନ୍ଦିର ପାଖକୁ ଆଣଥିଲେ । ଭରତିଆ ଗୌଡ଼ ପୁତ୍ରଜନ୍ମ ସୁସମ୍ବାଦ ନନ୍ଦରାଜାଙ୍କୁ (ଭିତରଚ୍ଛଙ୍କୁ) ଦେଇ ନନ୍ଦରାଜାଙ୍କ ଲୁଗା ଫେରକୁ ଟାଣି ଟାଣି ଲକ୍ଷ୍ମୀଙ୍କ ମନ୍ଦିରଠାକୁ ନେଇଥିଲେ। ନନ୍ଦ ରାଜା ଗୋଦୋହନ କରିଥିଲେ । ରୂପା ପିଙ୍ଗଣରେ ଦିଅଁମାନଙ୍କୁ ଦୁଧ ସମର୍ପଣ ଓ ପ୍ରସାଦ ଲାଗି ହୋଇଥିଲା । ରାଶିକୋରା ମଣୋହୀ ଓ ବନ୍ଦାପନା କରାଯାଇଥିଲା । ନନ୍ଦରାଜା ପୁତ୍ରମାନଙ୍କୁ ଧରି ଜଗମୋହନର ଦୋଳାରେ ବିଜେ କରିବା ପରେ ରାମକୃଷ୍ଣ ଓ ମଦନମୋହନଙ୍କୁ ଦକ୍ଷିଣଘରକୁ ବାହୁଡ଼ାବିଜେ କରିଥିଲେ ଓ ନନ୍ଦୋତ୍ସବ ଶେଷ ହୋଇଥିଲା । ନନ୍ଦୋତ୍ସବ ଦେଖିବା ପାଇଁ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଥିଲା ।

0
0
0
s2sdefault