ବଲାଙ୍ଗୀର: ବଲାଙ୍ଗୀରରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ସମାରୋହ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ପାଳିତ ହୋଇଛି। ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ମନ୍ତ୍ରୀ ନାୟକ ତାଙ୍କ ମନ୍ତବ୍ୟରେ ସ୍ବାଧୀନତା ସଂଗ୍ରାମରେ ବଲାଙ୍ଗୀର ଜିଲାର ସ୍ବାଧୀନତା ସଂଗ୍ରାମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ କହିଥିଲେ। ଏହି ଅବସରରେ ଜିଲାର ସ୍ବାଧୀନତା ସଂଗ୍ରାମୀ ଧରମ ସିଂ ମାନ୍ଧାତା, କପୁର୍ଜନ ନାଏକ, ସୁରେନ୍ଦ୍ର ଠାକୁର, କୁଞ୍ଜ ବିହାରୀ ମେହେର, କପିଳେଶ୍ୱର ପ୍ରସାଦ ନନ୍ଦ, ସତ୍ୟାନନ୍ଦ ମିଶ୍ର, ଦିବାକର ବହିଦାର, ନରସିଂହ ପ୍ରସାଦ ନନ୍ଦ, ସ୍ବପ୍ନାନନ୍ଦ ପାଣିଗ୍ରାହୀ, ଯୁଧୁଷ୍ଠିର ମିଶ୍ର, ଯୋଗେଶ୍ବର ଡୁମୁରା, ଧ୍ରୁବ ନାଥ, ପୁରୁଷୋତ୍ତମ ନାଥ, ଚିନ୍ତାମଣି ମିଶ୍ର, ରିଷି ମନ୍ତ୍ରୀ, ଗଣେଶ ରାମ ସିଂ, ଗୁଣ୍ଡିଆ ଗଡ଼ତ୍ୟା, ଭାର୍ଗବୀ ଗୁରୁ, ଯୁଗଳ କିଶୋର ନାଥଙ୍କ ବଳିଦାନକୁ ସ୍ମରଣ କରିବାର ଦିନ ବୋଲି କହିଥିଲେ।
ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଅନୁଦାନ ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। ଏହି ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ, ଜିଲା ପରିଷଦ ସଭାପତି ଦେବକୀ ସାହୁ, ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର, ଏସ୍ପି ଅଭିଳାଷ ଜୀ, ଭାଜପା ଜିଲା ସଭାପତି ଶ୍ରୀବତ୍ସ ସାହୁ, ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସଭା ପରେ ପରେଡ୍ରେ ଅଂଶଗ୍ରହଣ କରିଥିବା ବିଭିନ୍ନ ସ୍କୁଲ ଓ କଲେଜର ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନ ଓ ତୃତୀୟ ସ୍ଥାନ କରିଥିବା ଛାତ୍ରୀଛାତ୍ରଙ୍କୁ ମନ୍ତ୍ରୀ ରବି ନାରାୟଣ ନାୟକ ଓ ବଲାଙ୍ଗୀର ଏମ୍ପି ସଙ୍ଗୀତା କୁମାରୀ ସିଂହଦେଓ ପୁରସ୍କାର ବିତରଣ କରିଥିଲେ।