ହେଡଲାଇନସ୍:

ଗ୍ରାମୀଣ ଓଡ଼ିଶାରେ ଉନ୍ନତ ବିଜୁଳି ବ୍ୟବସ୍ଥା ପାଇଁ ଟିପିଏସ୍ଓଡିଏଲର ଡ୍ରୋନ୍ ପଦକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ରାୟଗଡ଼ା ଏବଂ ଜୟପୁର ସର୍କଲର ପ୍ରାୟ ୩୧୦୦୦ ବର୍ଗ କିମି ବ୍ୟାପ୍ତ ଅଞ୍ଚଳରେ ଡ୍ରୋନ୍ ଆଧାରିତ ସର୍ଭେ

  • ମାଳ ଅଞ୍ଚଳରେ ୩୩ କେଭି, ୧୧ କେଭି ଫିଡର, ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟ ଇତ୍ୟାଦି ଭିତ୍ତିଭୂମିର ରିଅଲ ଟାଇମ୍ ମନିଟରିଂ

  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତ୍ୱରିତ ତ୍ରୁଟି ଚିହ୍ନଟ ଏବଂ ମରାମତି ପଦକ୍ଷେପ

  • ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ହେବ ସୁଦୃଢ଼

  • ଉନ୍ନତ ସୁରକ୍ଷା ବ୍ୟବସ୍ଥା ସହ ତୁରନ୍ତ ତ୍ରୁଟି ଚିହ୍ନଟ


ବ୍ରହ୍ମପୁର, ଅଗଷ୍ଟ: ବିଦ୍ୟୁତ ବିତରଣ କ୍ଷେତ୍ରରେ ବିଶ୍ୱସନୀୟତା ଏବଂ ଗ୍ରାହକ ସେବାକୁ ଉନ୍ନତ କରିବା ପାଇଁ ଟେକ୍ନୋଲଜିର ଉପଯୋଗ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ରାୟଗଡ଼ା ଏବଂ ଜୟପୁର ସର୍କଲରେ ଡ୍ରୋନ୍ ଆଧାରିତ ସର୍ଭେ ଓ ନିରୀକ୍ଷଣ ଆରମ୍ଭ କରାଯାଇଛି। ଜୟପୁର ଓ ରାୟଗଡ଼ା ସର୍କଲ ମୋଟ ୩୧,୧୯୫ ବର୍ଗକିମି ଅଞ୍ଚଳରେ ବ୍ୟାପ୍ତ। ଏଥିରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଜିଲ୍ଲା ଅନ୍ତର୍ଭୁକ୍ତ ରହିଛି।


ବିଶେଷ କରି ଭୌଗଳିକ ଦୃଷ୍ଟିରୁ ଆହ୍ଵାନପୂର୍ଣ୍ଣ ଦକ୍ଷିଣ ଓଡ଼ିଶାର ଗ୍ରାମୀଣ ଇଲାକାରେ ବିଦ୍ୟୁତ ବିତରଣ କ୍ଷେତ୍ରରେ ସ୍ମାର୍ଟ ଟେକ୍ନୋଲୋଜିକୁ ସାମିଲ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରୟାସ କରୁଅଛି। ତାଲିମପ୍ରାପ୍ତ କର୍ମଚାରୀଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହେଉଥିବା ଡ୍ରୋନ୍ ଅପରେସନକୁ ଭୂପୃଷ୍ଠରୁ ୩୦ ରୁ ୮୦ ମିଟର ଉଚ୍ଚତାରେ ଉଡାଣ କରାଯାଉଛି। ଉଚ୍ଚତା ଆଧାରରେ ଏହାର କ୍ଷମତା ପ୍ରାୟ ୨ କିମି ପର୍ଯ୍ୟନ୍ତ ରହିଛି। ଏହି ଅତ୍ୟାଧୁନିକ ଡ୍ରୋନରେ ଶକ୍ତିଶାଳୀ କ୍ୟାମେରା ଏବଂ ଜିପିଏସ୍ ସିଷ୍ଟମ ଲାଗିଛି, ଯାହା ଫଳରେ ବିଦ୍ୟୁତ ନେଟୱର୍କର ରିଅଲ ଟାଇମ୍ ଏରିଆଲ ନିରୀକ୍ଷଣ କରାଯାଇପାରିବ।

ଡ୍ରୋନ୍ ବ୍ୟବହାର କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ଭିତ୍ତିଭୂମିର ବିସ୍ତୃତ ଫୋଟ ଉତ୍ତୋଳନ କରିବା ଏବଂ  ବିତରଣ ନେଟୱର୍କର ମ୍ୟାପ ପ୍ରସ୍ତୁତ କରିବା, ଯାହା ଦ୍ଵାରା ସଠିକ୍ ତଥ୍ୟ ରେକର୍ଡ କରାଯାଇପାରିବ ଏବଂ ପ୍ରଭାବଶାଳୀ ଢଙ୍ଗରେ ଯୋଜନା ପ୍ରସ୍ତୁତ କରାଯାଇପାରିବ।

ଏହି ପଦକ୍ଷେପ ମାଧ୍ୟମରେ ପାହାଡିଆ ଜଙ୍ଗଲ ଘେରା ଅଞ୍ଚଳରେ ଟିପିଏସ୍ଓଡିଏଲ୍ ଏହାର ୩୩ କେଭି, ୧୧ କେଭି ଫିଡର, ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟ ଇତ୍ୟାଦି ଭିତ୍ତିଭୂମିକୁ ନିରନ୍ତର ମନିଟରିଂ କରିପାରିବ। ପାରମ୍ପରିକ ପଦ୍ଧତିରେ ଏହା କଷ୍ଟସାଧ୍ୟ ବ୍ୟାପାର ହୋଇଥିବା ବେଳେ ଏଥିରେ ଅଧିକ ସମୟ ଅପଚୟ ହୁଏ। ତେଣୁ କମ୍ପାନୀ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ଏହି କାମକୁ ସହଜ କରିଛି। ଜିପିଏସ୍ ଆଧାରିତ ଡ୍ରୋନ୍ ତ୍ୱରିତ ତ୍ରୁଟି ଚିହ୍ନଟରେ ସହାୟକ ହୁଏ, ଯାହା ଫଳରେ ତୁରନ୍ତ ମରାମତି କରାଯାଇପାରିବ। ବିଦ୍ୟୁତ ସରବରାହ ବ୍ୟାଘାତ ହେବା ସମୟରେ ଡ୍ରୋନ୍ ବ୍ୟବସ୍ଥା ସାହାଯ୍ୟରେ ସେଣ୍ଟ୍ରାଲ କମାଣ୍ଡ ସେଣ୍ଟର ସମୟାନୁସାରେ ଉଚିତ ପଦକ୍ଷେପ ନେଇପାରିବ। ଏହା ବିଦ୍ୟୁତ ବିଛିନ୍ନ ହେବା ସମୟକୁ ହ୍ରାସ କରିବା ସହ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରୁଅଛି।


ଏହି ପଦକ୍ଷେପ ତଥ୍ୟ ଆଧାରିତ ରକ୍ଷଣାବେକ୍ଷଣକୁ ଉନ୍ନତ କରିଛି ଏବଂ ଭିଜୁଆଲ ଇନ୍ସପେକ୍ସନ୍ ଓ ତ୍ରୁଟି ଚିହ୍ନଟ ତଥା ପ୍ରାକ୍-ବିଶ୍ଳେଷଣରେ ସହାୟକ ହେଉଅଛି। ଡ୍ରୋନ୍ ମାଧ୍ୟମରେ କାଳବୈଶାଖୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଘଞ୍ଚ ଜଙ୍ଗଲ ଓ ପାହାଡିଆ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ସହ ତୁରନ୍ତ ବିଦ୍ୟୁତ ସରବରାହ ସ୍ଵାଭାବିକ କରାଯାଇପାରିବ। ବିପର୍ଯ୍ୟୟ ପରିଚାଳନା ଦିଗରେ ଏହା ଏକ ଉପଯୋଗୀ ପଦକ୍ଷେପ।


ଏହା ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ରାୟଗଡ଼ା ଏବଂ ଜୟପୁର ସର୍କଲରେ ଡ୍ରୋନ୍ ନିରୀକ୍ଷଣ କାର୍ଯ୍ୟକ୍ଷମ ହେବା ନବସୃଜନ ଓ ଉତ୍ତମ ସେବା ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଏ। ଗମନାଗମନ ଏବଂ ଯୋଗାଯୋଗ ସୁବିଧା ନଥିବା ଅଞ୍ଚଳରେ ଏହି ଡ୍ରୋନ୍ ବ୍ୟବସ୍ଥା ଏକ ସ୍ମାର୍ଟ ଏବଂ ସୁରକ୍ଷିତ ସମାଧାନ ପ୍ରଦାନ କରୁଛି। ଦକ୍ଷିଣ ଓଡ଼ିଶାରେ ଉନ୍ନତ ବିଦ୍ୟୁତ ବିତରଣ ନେଟୱର୍କ ନିର୍ମାଣ କରିବା ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ।"

0
0
0
s2sdefault