ଗଞ୍ଜାମ ଓ ନୟାଗଡ ଜିଲ୍ଲାର ୨୦୮ ବ୍ରାହ୍ମଣଙ୍କ ଯୋଗଦାନ,
ଓଡ଼ଗାଁ,୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଗ୍ରାମରେ ରବିବାର ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବୈଦିକ ବ୍ରାହ୍ମଣ ମାନଙ୍କୁ ନେଇ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ନୀଳକଣ୍ଠ ମିଶ୍ର ଓ ପଣ୍ଡିତାଚାର୍ଯ୍ୟ ପଣ୍ଡିତ ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସମ୍ପାଦନ କରାଯାଇଥିଲା । ପ୍ରାତଃ ସମୟରୁ ସୂର୍ଯ୍ୟପୂଜା, ମାତୃପୂଜା,
ଆଧଦୋକ, ବସୁଧାରା, ପାର୍ଶ୍ୱଦେବାଦେବୀ ପୂଜା, ଚଣ୍ଡୀପାଠ ଓ ରୁଦ୍ରାଭିଷେକ ସମାପନ ପରେ ମୃଦଙ୍ଗ, ଘଣ୍ଟ, ଶଙ୍ଖ ଓ ହୁଳହୁଳି ପକାଇ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କ ଦ୍ୱାରା ୨୦୮ ଜଣ ବ୍ରାହ୍ମଣଙ୍କୁ ନଗର ପରିକ୍ରମା କରାଯାଇଥିଲା । ସାହି ପୁରୁଷ ଓ ମହିଳାମାନେ ବ୍ରାହ୍ମଣ ମାନଙ୍କ ଚରଣ ଧୌତ କରି ପୁଷ୍ପ, ଧୂପ, ଚନ୍ଦନ ଲଗାଇ ବନ୍ଦାପନା କରି ଆଶିର୍ବାଦ ଗ୍ରହଣ କରିଥିଲେ । ପରେ ବିଶ୍ୱର କଲ୍ୟାଣ ଉଦ୍ଧେଶ୍ୟରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ମନ୍ତ୍ର ଉଚ୍ଚାରଣ ଏକ ଆଧ୍ୟାତ୍ମିକ କ୍ଷେତ୍ର ସୃଷ୍ଟି କରିଥିଲା । ସରପଞ୍ଚ ବିଜନକୁମାର ପାଇକରାୟ, ସାମ୍ୱାଦିକ ଗଣେଶ୍ୱର ସାହୁ, ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ସୁରେଶ ଚନ୍ଦ୍ର ପ୍ରଧାନ, ନବୀନ ସାହୁଙ୍କ ସହିତ ଓ ଯୁବଗୋଷ୍ଠୀ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିଥିଲେ । କୁରାଳ ବୈଦିକ ବ୍ରାହ୍ମଣ ସମାଜର ସଭାପତି ସୁଶାନ୍ତ କୁମାର ମିଶ୍ର, ସମ୍ପାଦକ ଜଗନ୍ନାଥ ମିଶ୍ର, କୋଷାଧ୍ୟକ୍ଷ ତପନ କୁମାର ତ୍ରିପାଠୀ, ମହାଜନ ଜଗମୋହନ ମିଶ୍ର, ପ୍ରଦୀପ୍ତ ଶତପଥୀ, ବିଷ୍ଣୁପ୍ରସାଦ ତ୍ରିପାଠୀ, ପବିତ୍ର ମୋହନ ମିଶ୍ର, ଲିଙ୍ଗରାଜ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ ବ୍ରାହ୍ମଣ ମହାଜନ ଏବଂ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।