ହେଡଲାଇନସ୍:

ବହ୍ନିକନ୍ୟା ନନ୍ଦିନୀ ଥିଲେ ଜଣେ ଦୂରଦର୍ଶୀ ରାଷ୍ଟ୍ରନୀତିଜ୍ଞା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଗ୍ନିକନ୍ୟା, ବହ୍ନିକନ୍ୟା, ମାଟିକନ୍ୟା, ଭୁଦାନକନ୍ୟା, ସର୍ବୋପରି ଓଡିଶାର ଲୌହମାନବୀ ପରି ବହୁ ବିଶେଷଣରେ ବିଭୂଷିତା ନନ୍ଦିନୀ ଥିଲେ ଜଣେ ବିଚକ୍ଷଣ ପ୍ରତିଭା ଏବଂ ଦୂରଦର୍ଶୀ ରାଷ୍ଟ୍ରନୀତିଜ୍ଞା । ସ୍ବାଧୀନତା ଆନ୍ଦୋଳନବେଳେ ଗାନ୍ଧୀଙ୍କ ନୀତିକୁ ଆପଣେଇଥିଲେ ମଧ୍ୟ ସୁଭାଷ ବୋଷଙ୍କ ବିଚାରର ସ୍ବାଧୀନତାକୁ ସେ ଉପଯୁକ୍ତ ବୋଲି ବିଚାରିଥିଲେ । କେବଳ ସେତିକି ନୁହେଁ, ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ସୁଭାଷଙ୍କୁ ହିଁ ପସନ୍ଦ କରୁଥିଲେ, ଯାହା ସ୍ବାଧୀନତାର ଏତେବର୍ଷ ପରେ ମଧ୍ୟ ଅନେକେ ଏହା ଅନୁଭବ କରିଆସୁଛନ୍ତି । ଆରବସାଗର ଓ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ-ବାତ୍ୟାର କ୍ରମବର୍ଦ୍ଧମାନ ପରିଣତି ଏବଂ ଦେଶର ବହୁ ପ୍ରଦେଶରେ ମରୁଡିର ଭୟାବହତାକୁ ଉପଲବ୍ଧି କରି ୧୯୭୧ରେ କେନ୍ଦ୍ରମନ୍ତ୍ରୀ ଥିବାବେଳରୁ ହିଁ ଏକ "ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ" (National Disaster Management Authority) ଗଠନ କରିବାକୁ ସେ ଭାରତ ସରକାରଙ୍କୁ ପରାମର୍ଶ ଦେଇଥିଲେ । ୧୯୯୯ ଅକ୍ଟୋବରରେ ଓଡିଶାର ମହାବାତ୍ୟା ପରେ ପୁନଃ ୧୪ ଡିସେମ୍ବର, ୧୯୯୯ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ନିଜର ପୂର୍ବ ପ୍ରସ୍ତାବ ବିଷୟରେ କାର୍ଯ୍ୟାନ୍ବୟନ କରିବାକୁ ଅନୁରୋଧ କରି ପତ୍ର ଲେଖିଲେ । ଉକ୍ତ ପତ୍ରକୁ ବାଜପେୟୀଜୀ ଗୁରୁତ୍ବର ସହ ବିଚାର କରି କାର୍ଯ୍ୟ ଆରମ୍ଭ କଲେ ଏବଂ ଶେଷରେ ୨୦୦୫ରେ ଏହା କାର୍ଯ୍ୟକାରୀ ହୋଇ ସମ୍ପ୍ରତି ବାତ୍ୟାର ମୁକାବିଲା କ୍ଷେତ୍ରରେ ସହାୟକ ହୋଇପାରୁଛି । ଯେତେବେଳେ ପୃଥିବୀର କୌଣସି ଦେଶରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କିଛି ନିୟମ ନ ଥିଲା, ସେତେବେଳେ ସର୍ବପ୍ରଥମେ ନନ୍ଦିନୀଙ୍କ ପରାମର୍ଶ କ୍ରମେ ଭାରତରେ ଏକ "ୱାଇଲ୍ଡ ଲାଇଫ୍ ପ୍ରୋଟେକସନ ଆକ୍ଟ-୧୯୭୨" ବିଲ୍ ଅଣାଯାଇ ସେହିବର୍ଷ ସେପ୍ଟେମ୍ବର ୯ ତାରିଖରୁ କାର୍ଯ୍ୟକାରୀ କରାଯାଇଆସୁଅଛି । ସେହିପରି ସର୍ବପ୍ରଥମେ ଓଡିଶାରେ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟକ୍ରମ ପଦ୍ମଶ୍ରୀ ଡକ୍ଟର ସରୋଜକାନ୍ତ ଚୌଧୁରୀଙ୍କ ସହାୟତାରେ ନନ୍ଦିନୀ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡିଶାରେ ଗୃହହୀନଙ୍କୁ ଘର ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ ୫ ଲକ୍ଷ ବାସଗୃହ ପାଇଁ ଅଡିବସିଥିଲେ । ଯୋଜନା କମିଶନର ଡେପୁଟି ଚେୟାରମ୍ୟାନ୍ ପି.ଏନ୍. ହକସର ଆଶ୍ଚର୍ଯ୍ୟ ହୋଇ ନନ୍ଦିନୀଙ୍କୁ କହିଥିଲେ, "ନନ୍ଦିନୀଜୀ ! ମୁଝେ ଲଗତା ଆପ୍ ଓଡିଶାକୋ ଏକ୍ ଅଟୋନମସ୍ ଷ୍ଟେଟ୍ ବନାଏଙ୍ଗେ ।" ନନ୍ଦିନୀ କିନ୍ତୁ କିଛି ଶୁଣି ନ ଥିଲେ । ତାଙ୍କ ଜିଦକୁ ମାନିନେଇ ଇନ୍ଦିରା ଗାନ୍ଧୀ ୧୯୭୪ ମସିହାରେ 'କଳିଙ୍ଗ କୁଟୀର' ନାମରେ ଏକ ଯୋଜନାର ଶୁଭାରମ୍ଭ କରିଥିଲେ । ଏବେ ଉକ୍ତ ନାମ ବଦଳିଯାଇ ବିଭିନ୍ନ ସ୍କିମରେ ଗୃହ ଆବଣ୍ଟନ କରାଯାଉଛି ସତ, ହେଲେ ଘର ଖଣ୍ଡେ ପାଇବାରୁ ଏବେ ବି ଅନେକ ବଞ୍ଚିତ, ଯାହା ସାମ୍ପ୍ରତିକ ବାତ୍ୟାବେଳେ ସ୍ଥାନାନ୍ତରଣ ଉପରେ ନଜର ପକାଇଲେ ସ୍ପଷ୍ଟ ଅନୁଭବ କରିହେବ ।

ତତ୍କାଳୀନ ସମୟରେ ଯେଉଁ କେତେଜଣ ନେତୃତ୍ବ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଭାବିତ କରି କଂଗ୍ରେସରେ ସମାଜବାଦ ଚିନ୍ତାଧାରାର ବୀଜରୋପଣ କରିବାରେ ସମର୍ଥ ହୋଇଥିଲେ, ସେମାନଙ୍କ ମଧ୍ୟରେ ନନ୍ଦିନୀ ଥିଲେ ଅନ୍ୟତମ ପ୍ରମୁଖ ନେତ୍ରୀ । ବ୍ୟାଙ୍କ ଜାତୀୟକରଣ ହେଉ ଅବା କେନ୍ଦୁପତ୍ରର ଜାତୀୟକରଣ, ଭୂଦାନ ବଣ୍ଟନ ହେଉ ଅବା ଭୂସଂସ୍କାର କାର୍ଯ୍ୟକ୍ରମ; ବହୁ ପ୍ରଗତିଶୀଳ ଚିନ୍ତାଧାରା ଓ କାର୍ଯ୍ୟକ୍ରମକୁ ନେଇ ଗତିଶୀଳ ଥିଲେ ନନ୍ଦିନୀ ।

ସମାଜ ନିମନ୍ତେ ଉତ୍ସର୍ଗୀକୃତ ଜୀବନ ପାର୍ଥିବ ଶରୀରରୁ ମୁକ୍ତ ହୋଇ ଦେହାତୀତ ହେବାପରେ ହିଁ ତାଙ୍କର ଆଦର୍ଶ ଓ ବିଚାର ଅଧିକ ଉଜ୍ଜ୍ବଳ ହୋଇଉଠେ । ଏହା ପ୍ରମାଣିତ ହୋଇଥିଲା ଚିର ବନ୍ଦନୀୟା ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ କ୍ଷେତ୍ରରେ । ୨୦୦୬ ମସିହା ଅଗଷ୍ଟ ୪ ତାରିଖର ବର୍ଷାଭିଜା ସକାଳ । ଆକାଶରେ ଘନ କଳାବାଦଲର ସମ୍ଭାର । ସମଗ୍ର ବାତାବରଣ କୋହଲା ପବନରେ ଶିହରିତ । ଏତିକିବେଳେ ହଠାତ୍ ଚାରିଆଡ଼େ ପ୍ରଚାର ହୋଇଗଲା ନନ୍ଦିନୀଦେବୀ ଆଉ ନାହାନ୍ତି । ଏହି ଖବର ବ୍ୟାପିଯିବାପରେ ସହର ସାରା ଏକ ଗୁମସୁମ୍ ଭାବ ଖେଳିଗଲା । ଚାହୁଁ ଚାହୁଁ ଓଡ଼ିଶାର ପୁରପଲ୍ଲୀରୁ ଜନସମୁଦ୍ର ରାଜଧାନୀରେ ଏକତ୍ରିତ ହେଲେ ଶେଷ ଦର୍ଶନ ପାଇଁ । ଅପରାହ୍ଣରେ ନନ୍ଦିନୀଙ୍କ ପାର୍ଥିବ ଶରୀର ଭୁବନେଶ୍ଵରର ଗରାବଡୁ ସାହି ଶ୍ମଶାନକୁ ନିଆଯାଇଥିଲା, ଯେଉଁଠି ତାଙ୍କ ପ୍ରିୟତମ ସ୍ବାମୀ ଦେବେନ୍ଦ୍ର ଶତପଥୀଙ୍କ ଅନ୍ତିମ ବିଶ୍ରାମ ସ୍ଥଳ ଥିଲା । ବଡ଼ପୁଅ ନଚିକେତା, ସାନପୁଅ ତଥାଗତ ଏବଂ ବଡ଼ନାତି ଶ୍ରୀ ସୁପନୌ ଶତପଥୀ ମୁଖାଗ୍ନି ଦେଇ ମାଟିର ନନ୍ଦିନୀଙ୍କୁ ଶେଷ ପ୍ରଣାମ ଜଣାଉଥିବା ସମୟରେ ବିଶାଳ ଜନତାଙ୍କ ନୟନ ଲୋତକାପ୍ଳୁତ ହୋଇଯାଇଥିଲା । ଆଜି ସେହି ବିରଳ ବ୍ୟକ୍ତିତ୍ଵ, ରାଷ୍ଟ୍ରନୀତିଜ୍ଞଙ୍କ ଅଷ୍ଟାଦଶତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆମର ବିନମ୍ର ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି ।

0
0
0
s2sdefault