ହେଡଲାଇନସ୍:

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର ,ତା 25.07.25 ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଆଗାମୀ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୫ ଦିନ ପ୍ରାତଃ ଘ. ୪.୩୦ ମି ରେ ରାମଧୁନ, ପ୍ରଭାତ ଫେରି ସକାଳ ୬ ଘଟିକା ,ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ସକାଳ ୭ଘ.୩୦ ମି ଏବଂ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ପୂର୍ବାହ୍ନ ଘ ୯.୧୫ ମି ସମୟରେ ଅନୁଷ୍ଠିତ ହେବ। ପ୍ରତ୍ୟେକ କାର୍ଯ୍ୟାଳୟର ମୁଖ୍ୟମାନେ ଅଗଷ୍ଟ ୧୫ ତାରିଖ ଦିନ ନିଜ ନିଜ କାର୍ଯ୍ୟାଳୟ ରେ ଉପସ୍ଥିତ ରହି ନୂତନ ଓ ଉନ୍ନତ ମାନର ଜାତୀୟ ପତାକା ବ୍ୟବହାର କରି ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଅଗଷ୍ଟ ୧୧ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ସକାଳ ୭ଘ.୩୦ ମି ସମୟରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଅଭ୍ୟାସ ପ୍ୟାରେଡ ଅନୁଷ୍ଠିତ ହେବ। ପ୍ୟାରେଡ ରେ କେବଳ ଅଷ୍ଟମରୁ ଦଶମ ଓ କଲେଜ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରଥମ ରୁ ତୃତୀୟ, ୪ର୍ଥ ରୁ ୫ମ, ୬ଷ୍ଠ ରୁ ୮ମ, ହାଇସ୍କୁଲ ଓ କଲେଜ ସ୍ତରରେ ବକୃତା, ଦେଶାତ୍ମକ ବୋଧକ ସଙ୍ଗୀତ ଓ କୁଇଜ୍ ପ୍ରତିଯୋଗିତା ବ୍ଲକ ଓ ପୌର ପରିଷଦ ମଧ୍ୟରେ ୦୮.୦୮.୨୦୨୫ ରିଖ ଓ ଜିଲ୍ଲାସ୍ତରରେ ତା ୧୧.୦୮.୨୦୨୫ ରିଖରେ ଅନୁଷ୍ଠିତ ହେବ। ପ୍ୟାରେଡ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ପ୍ରତିଯୋଗିତା କରି ୪ ଗୋଟି ସାଂସ୍କୃତିକ ଦଳକୁ ବାଛିବେ। ସନ୍ଧ୍ୟାରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ସ୍ଥାନୀୟ ଅନୁଷ୍ଠାନ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସ୍ୱାଧୀନତା ଦିବସ ପାଳନ ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଆଲୋକ ସଜ୍ଜା କରାଯିବ। ବିଭିନ୍ନ ବିଭାଗ ଓ ପାରାଦ୍ବୀପ ର ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ପ୍ରଜ୍ଞାପନ ମେଢ଼ ପ୍ୟାରେଡ୍ ସମୟରେ ପ୍ରଦର୍ଶିତ ହେବ । ଚଳିତ ବର୍ଷ ପୌର ପରିଷଦ,ଜଗତସିଂହପୁର ଓ ଅଳକା ଆଶ୍ରମ ପରିଚାଳନା କମିଟି ପକ୍ଷରୁ ମଧ୍ୟ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯିବା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଜିଲ୍ଲାର ମାଟ୍ରିକ ଟପର ଙ୍କୁ ପୁରସ୍କୃତ କରାଯିବ । ଜେଲର ଅନ୍ତେବାସୀ ଓ ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ସ୍ୱାଧୀନତା ଦିବସ ଦିନ ମୁଖ୍ୟ ଅତିଥିଙ୍କ ଦ୍ଵାରା ଫଳ ବଣ୍ଟନ କରାଯିବ। ପ୍ୟାରେଡ ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ବୃ୍କ୍ଷରୋପଣ କରାଯିବ। ଏହି ବୈଠକରେ ସଭାପତି,ଜିଲ୍ଲା ପରିଷଦ ଶ୍ରୀ ମନୋଜ କୁମାର ଭୋଇ,ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାସ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜିଙ୍କା ମାଣେ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀମତି ସୀମା ଜେନା,ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, କ୍ଷେତ୍ରୀୟ ଅଧିକାରୀ, ସହରର ମାନ୍ଯଗଣ୍ଯ ବ୍ୟକ୍ତି ,ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ,ଗଣମାଧ୍ୟମ ପ୍ରତିନିଧି, ଆଇନଜୀବି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତି ପ୍ରତିଚୀ ତନୟା ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଜିଲ୍ଲାପାଳଙ୍କ ଆଦେଶ ମତେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault