ବର୍ଷାରେ ଭିଜିଲେ, ସ୍ୱର୍ଣ୍ଣ ଶ୍ରୀମୁଖକୁ ଦର୍ଶନ କଲେ, ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ
ପୁରୀ, ୬/୭ (ଅନିମେଶ ପଟ୍ଟନାୟକ): ସିଂହଦ୍ୱାରରେ ଲିଳାମୟଙ୍କ ଅପୂର୍ବ ଲିଳା ଜାରି ରହିଛି । ସ୍ୱର୍ଣ୍ଣ ଶ୍ରୀମୁଖର ଦର୍ଶନ କରି ଆତ୍ମ ବିଭୋର ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତମାନେ । ବର୍ଷାରେ ଭିଜି ଭାବର ଠାକୁରଙ୍କ ଚକା ନୟନରେ ହଜିଯାଇଥିଲେ ୧୫ ଲକ୍ଷରୁ ଅଧିକ ଭକ୍ତ।
କାଳିଆର ଦିବ୍ୟ ଆଖିର ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଭକ୍ତମୟ ଜନସମୁଦ୍ର । ପ୍ରାଚୁର୍ଯ୍ୟ,ଐଶ୍ଵର୍ଯ୍ୟ ଓ ମାଧୁର୍ଯ୍ୟର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡଦାଣ୍ଡରେ ବଡଦେଉଳ ଭିତରେ ବଡଠାକୁର ବିଶ୍ଵବିଦିତ ଜଗତକର୍ତ୍ତା ଜଗତରନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଅନ୍ଯତମ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ସୁନାବେଶ । ଶୃଙ୍ଗାର ପ୍ରିୟ ଠାକୁରଙ୍କ ଆଷାଢ ଶୁକ୍ଲ ଏକାଦଶୀଦିନ ଶ୍ରୀମନ୍ଦିର ସିଂହଦ୍ଵାର ରଥାରୁଢ ଶ୍ରୀଜୀଉଙ୍କ ସୁନାବେଶ ଅତ୍ୟନ୍ତ ମହନୀୟ । ଚିତାକର୍ଷକ ତଥା ନୈସର୍ଗିକ ବେଶକୁ ଅପଲକ ନୟନରେ ଅବଲୋକନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ,ଦର୍ଶନାର୍ଥୀ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରୁଣ୍ଡ ହୋଇଛନ୍ତି ବଡଦାଣ୍ଡରେ ।
ମାର୍କେଟ ଛକ ଠାରୁ ବ୍ଯାରିକେଡ ଭିତର ଭକ୍ତ ମାନେ ଶୃଙ୍ଖଳିତ ଭାବେ ଯାଇ ରଥାରୁଢ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ଫେରିଛନ୍ତି । ପାଣି ସିଞ୍ଚନ ସହ ଉଜ୍ଜ୍ବଳ ଆଲୋକରେ ଆଲୋକିତ ହୋଇଛି ସିଂହଦ୍ଵାର ଓ ବଡଦାଣ୍ଡ । ଆଷାଢ ଶୁକ୍ଲ ଏକାଦଶୀଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ସିଂହଦ୍ବାର ଠାରେ ଶ୍ରୀବିଗ୍ରହମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ । ହରିବୋଲ ହୁଳହୁଳି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ରାଜ୍ଯ ଓ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶାନ୍ତ ଶୃଙ୍ଖଳା ସହ ଦର୍ଶନ,ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ଅପରାହ୍ନ ୫ଟା ରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଠାକୁରମାନଙ୍କର ସୁନାବେଶ ଭକ୍ତମାନଙ୍କୁ ଅପାର ଆନନ୍ଦ ଦେଇଥିବା ପରିଲକ୍ଷିତ ହୋଇଥିଲା ।