ଭୁବନେଶ୍ୱର ତା-୧୫ .୦୬ .୨୦୨୫: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ରୀୟ ଟିମ୍ ମାନେ ଆଜି ଯାଜପୁର ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ୍ ଡିଭିଜନର ପ୍ରଭାବିତ ଅଂଚଳରେ ଡାଇରିଆ ସ୍ଥିତିର ନିରୀକ୍ଷଣ କରିଛନ୍ତି ।
ଆଜି ମନ୍ତ୍ରୀ ଡଃ ମହାଲିଙ୍ଗ ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଶ୍ରୀ ଅମର ନାୟକ,କୋରେଇ ବିଧାୟକ ଶ୍ରୀ ଆକାଶଦାଶ ନାୟକ ଏବଂ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁଙ୍କ ସହ ଯାଜପୁର ଜିଲ୍ଲାର ପ୍ରଭାବିତ ଅଂଚଳ ଗସ୍ତ କରି କ୍ଷେତ୍ରସ୍ତରୀୟ ସ୍ଥିତିର ନିରୀକ୍ଷଣ କରିଥିଲେ । ମନ୍ତ୍ରୀ ପ୍ରଭାବିତ ଅଂଚଳରେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ବଡ଼ଚଣା, ଧର୍ମଶାଳା, ମଧୁବନ ଓ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ ।
କ୍ଷେତ୍ର ପରିଦର୍ଶନ ପରେ ମନ୍ତ୍ରୀ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହଠାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତି, ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି, ୩ ଟି କେନ୍ଦ୍ରୀୟ ଟିମ୍ ମାନଙ୍କର ସଦସ୍ୟବୃନ୍ଦ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ମେଡିକାଲ କଲେଜ ମାନଙ୍କରୁ ଆସିଥିବା ପ୍ରଫେସର, ବିଶେଷଜ୍ଞ ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ସମୀକ୍ଷା କରିଥିଲେ ।
ବ୍କକ ଏବଂ ପଂଚାୟତଓ୍ୱାରୀ ସ୍ଥିତିର ସମୀକ୍ଷା କରି ପ୍ରତି ପାନୀୟଜଳ ଉତ୍ସକୁ ନିୟମିତ ବ୍ୟବଧାନରେ ବାରମ୍ବାର ବିଶୋଧନ କରିବା ଏବଂ ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟ ପରିସରରେ ଥିବା ନଳକୂପ ଓ ପାଣିଟାଙ୍କି ଆଦିକୁ ବିଶୋଧିତ କରିବା ପାଇଁ ସେ ଜଳଯୋଗାଣ ବିଭାଗ ଯନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଘରକୁ ଘର ବୁଲି ପ୍ରାଥମିକ ଅବସ୍ଥାରୁ ଡାଇରିଆ ରୋଗୀମାନଙ୍କୁ ଚିହ୍ନଟ କରିବା ସହ ପ୍ରାରମ୍ଭିକ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଔଷଧ, ଓଆରଏସ୍ ପ୍ୟାକେଟ ଆଦି ଦେଇ ହସ୍ପିଟାଲକୁ ଯିବା ନିମନ୍ତେ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମ ଓ ସୋସିଆଲ ମିଡିଆ ମାଧ୍ୟମରେ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବୈଠକରେ ଉପସ୍ଥିତ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ ତାଙ୍କର ପ୍ରାଥମିକ ନିରୀକ୍ଷଣ ସହ ଜଣାଇଥିଲେ ଯେ ଡାଇରିଆର ନିରାକରଣ ଓ ପ୍ରତିଷେଧ ନିମନ୍ତେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସଠିକ୍ ଦିଗରେ ଚାଲିଛି । ପ୍ରତ୍ୟେକ ସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।
ରାଜ୍ୟ ଓ କେନ୍ଦ୍ରସ୍ତରୀୟ ଖାଦ୍ୟ ନିରାପତ୍ତା ଟିମ୍ ଓ ସ୍ଵାସ୍ଥ୍ୟ ଟିମ ମାନେ ସ୍ଵତନ୍ତ୍ର ଭାବେ ଭିନ୍ନ ଭିନ୍ନ ସ୍ଥାନ ପରିଦର୍ଶନ କରି ନିଜ ନିଜର ନିରୀକ୍ଷଣ ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ ଜାରି ରଖିବାକୁ ମନ୍ତ୍ରୀ ଡଃ ମହାଲିଙ୍ଗ ପରାମର୍ଶ ଦେଇଥିଲେ ।
ପରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷେତ୍ରସ୍ତରୀୟ ସ୍ଥିତି ପରଖିବା ସହ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କ ସହ ସ୍ଥିତିର ସମୀକ୍ଷା କରି ଡାଇରିଆର ପ୍ରତିରୋଧ ଓ ପ୍ରତିଷେଧକ ମୂଳକ ପଦକ୍ଷେପଗୁଡ଼ିକୁ ବ୍ୟାପକ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।
ସଦ୍ୟତନ ତଥ୍ୟ ଅନୁସାରେ ସ୍ୱାସ୍ଥ୍ୟ ସେବା ସ୍ୱତନ୍ତ୍ର ଶାସନ ସଚିବ ଡାକ୍ତର ମହାପାତ୍ର ଜଣାଇଛନ୍ତି ଯେ, ଡାଇରିଆ ସ୍ଥିତିରେ ଉଲ୍କେଖନୀୟ ସୁଧାର ଆସିଛି । ଆଜି କୌଣସି ଡାଇରିଆ ଜନିତ ମୃତ୍ୟୁର ସୂଚନା ମିଳିନାହିଁ । ହସ୍ପିଟାଲ ମାନଙ୍କରେ ଡାଇରିଆ ସଂକ୍ରମିତଙ୍କ ଆଡମିଶନ୍ ପରିମାଣ ମଧ୍ୟ ବହୁତ କମିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମିଶ୍ର ଜଣାଇଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ସମୁଦାୟ ୧୭୭୧ ଜଣ ସଂକ୍ରମିତଙ୍କ ବ୍ୟକ୍ତିଙ୍କର ବିଭିନ୍ନ ହସ୍ପିଟାଲରେ ଆଡମିଶନ ହୋଇଛି । ସେମାନଙ୍କ ମଧ୍ୟରୁ ୧୫୦୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ୨୫୮ ଜଣ ଚିକିତ୍ସିତ ହେଉଛନ୍ତି । ୫ଟି ଡାଇରିଆ ମୃତ୍ୟୁ ବିଷୟ ପରୀକ୍ଷା ପରେ ପ୍ରମାଣିତ ହୋଇଛି, ଏବଂ ଆଉ ୫ ଟି ଡାଇରିଆ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲୁରହିଛି ।