ହେଡଲାଇନସ୍:

ବ୍ରହ୍ମପୁରର ବିଜୁଳି ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କନିଷି ସବଷ୍ଟେସନର କ୍ଷମତା ୧୬.୧୫ ଏମଭିଏକୁ ବୃଦ୍ଧି

  • ବ୍ରହ୍ମପୁର ଏବଂ ଆଖପାଖ ଅଞ୍ଚଳର ୭,୦୦୦ ରୁ ଅଧିକ ଉପଭୋକ୍ତାଙ୍କୁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଣ

  • କମ୍ପାନୀ ପକ୍ଷରୁ ଭୂତଳ ଲାଇନ୍ ସଂଯୋଗ, ସୁରକ୍ଷା ପ୍ରାଚୀର ନିର୍ମାଣ, ଭିତ୍ତିଭୂମି ନବୀକରଣ

ବ୍ରହ୍ମପୁର, ଜୁନ ୨୦୨୫: ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ କନିଷି ପ୍ରାଇମେରୀ ସବଷ୍ଟେସନ (ପିଏସଏସ୍)ର ଉନ୍ନତିକରଣ କରାଯାଇଛି। ଏହି ପଦକ୍ଷେପ ପରେ ସହରର ସବୁଠୁ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ଅଞ୍ଚଳରେ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି ଏବଂ ବର୍ଦ୍ଧିଷ୍ଣୁ ବିଜୁଳି ଚାହିଦା ପୂରଣ ହେବା ସହ ଅପରେସନାଲ ସୁରକ୍ଷା ସୁନିଶ୍ଚିତ ହୋଇଛି।

ଏହି ପଦକ୍ଷେପରେ ହଳଦିଆପଦରକୁ ବିଦ୍ୟୁତ ଯୋଗାଉଥିବା ଗୋଟିଏ ଟ୍ରାନ୍ସଫର୍ମରର କ୍ଷମତା ୩.୧୫ ଏମଭିଏ ରୁ ୮ ଏମଭିଏକୁ ବୃଦ୍ଧି କରାଯାଇଛି। ଯାହା ଫଳରେ ସବଷ୍ଟେସନର ମୋଟ କ୍ଷମତା ୧୬.୧୫ ଏମଭିଏକୁ ବୃଦ୍ଧି ପାଇଛି। ଏହା ଦ୍ବାରା ଓଭରଲୋଡିଂ ସମସ୍ୟା ହ୍ରାସ ପାଇବ ଏବଂ ହଳଦିଆପଦର, ଅଟୋନଗର, କନିଷି ଓ ଆଖପାଖ ଅଞ୍ଚଳର ପ୍ରାୟ ୭,୦୦୦ ଲୋକଙ୍କ ବିଜୁଳି ଚାହିଦା ପୂରଣ ହୋଇପାରିବ। ଏହାସହ ଟୁଲୁ, ରଣ୍ଢା ଅଞ୍ଚଳର ଦୁଇଟି ପାୱାର ଟ୍ରାନ୍ସଫର୍ମର ଯଥାକ୍ରମେ ୫ ଏମଭିଏ ଏବଂ ୩.୧୫ ଏମଭିଏ କ୍ଷମତାରେ ଚାଲୁଅଛି। ତିନୋଟି ଟ୍ରାନ୍ସଫର୍ମରର ମୋଟ କ୍ଷମତା ୧୬.୧୫ ଏମଭିଏକୁ ବୃଦ୍ଧି ପାଇଛି।


ସୁରକ୍ଷା ଏବଂ ସୁଦୃଢ଼ ଭିତ୍ତିଭୂମି ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିରେ ପିଏସଏସ୍ ପରିସରରେ ୧୧ କେଭି ଓଭରହେଡ ଲାଇନ୍ ବଦଳରେ ଭୂତଳ ଲାଇନ୍ ସଂଯୋଗ, ସ୍ଵିଚୟାର୍ଡ ଚାରିପାଖରେ ଚେନ୍ ଲିଙ୍କ ଫେନ୍ସିଂ ସ୍ଥାପନ, ସବଷ୍ଟେସନର ନବୀକରଣ, ପାରମ୍ପରିକ କାନ୍ଥ ବଦଳରେ ଡିଟାଚେବଲ୍ ଗ୍ରିଲ୍ ସ୍ଥାପନ ଏବଂ କର୍ମଚାରୀ ଓ ଉପଭୋକ୍ତାଙ୍କ ସୁରକ୍ଷିତ ଯା'ଆସ ପାଇଁ ଏକ ସ୍ବତନ୍ତ୍ର ମାର୍ଗ ତିଆରି କରାଯାଇଛି।


ଏହି ଭିତ୍ତିଭୂମି ବିକାଶ ପଦକ୍ଷେପ ସମ୍ପର୍କରେ ମତ ଦେଇ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ଦକ୍ଷିଣ ଓଡ଼ିଶାରେ ଏକ ସୁଦୃଢ଼ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ କରିବା ହେଉଛି ଆମର ଉଦ୍ଦେଶ୍ୟ। କନିଷି ପ୍ରାଇମେରୀ ସବଷ୍ଟେସନର କ୍ଷମତା ବୃଦ୍ଧି ପରେ ବ୍ରହ୍ମପୁର ବାସିନ୍ଦା ଏବଂ ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକ ଭରସାଯୋଗ୍ୟ ଓ ସୁରକ୍ଷିତ ବିଜୁଳି ସେବା ପାଇବେ, ଯାହା ସ୍ଥାନୀୟ ଅଞ୍ଚଳର ସାମାଜିକ ତଥା ଅର୍ଥନୈତିକ ବିକାଶରେ ସହାୟକ ହେବ।"

ଏହି ପଦକ୍ଷେପ ବ୍ରହ୍ମପୁର ସହରରେ ଉନ୍ନତ ବିଜୁଳି ସେବା ଯୋଗାଇ ବିକାଶକୁ ତ୍ବରାନ୍ବିତ କରିବା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି। ସୁରକ୍ଷିତ ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଦିଗରେ କମ୍ପାନୀ ଏହାର ପ୍ରୟାସ ଜାରି ରଖିଛି।

0
0
0
s2sdefault