ହେଡଲାଇନସ୍:

ସ୍ଵାସ୍ଥ୍ୟ ବିଭାଗର ଯାଜପୁର ଜିଲ୍ଲାରେ ଯୁଦ୍ଧକାଳୀନ ସ୍ୱାସ୍ଥ୍ୟସେବା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସ୍ତରରୁ ରାପିଡ୍ ଆକ୍ସନ୍ ଟିମ୍ ଏବଂ ଅଧିକ ବିଶେଷଜ୍ଞ ମୃତୟନ


ଭୁବନେଶ୍ୱର, ୧୧ ଜୁନ: ଯାଜପୁର ଜିଲ୍ଲାରେ ହଠାତ୍ ଦେଖାଦେଇଥିବା ଝାଡାବାନ୍ତି ରୋଗର ଚିକିତ୍ସା ଓ ନିରାକରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଯୁଦ୍ଧକାଳୀନ ଭିତ୍ତିରେ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଭାବିତ ଧର୍ମଶାଳା, ବ୍ୟାସନଗର ପୌରାଞ୍ଚଳ, ଦାନଗଦି, ରସୁଲପୁର ଓ କୋରେଇ ବ୍ଲକ ସମେତ ଆଖପାଖ ଅଞ୍ଚଳରେ ଜନସ୍ଵାସ୍ଥ୍ୟ ଟିମ୍ ମାନେ ବିଭିନ୍ନ କାର୍ଯ୍ୟକ୍ରମ କୁ ବ୍ୟାପକ କରିଛନ୍ତି ।
ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଅଶ୍ଵଥି ଏସ୍. ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଵାସ୍ଥ୍ୟସେବା ଏବଂ ଜନ ସ୍ଵାସ୍ଥ୍ୟସେବା ଟିମ୍ ମାନେ ସମନ୍ୱିତ ଭାବେ କ୍ଷେତ୍ରସ୍ତରୀୟ କାର୍ଯକ୍ରମକୁ ସଘନ ଓ ଲକ୍ଷଭେଦୀ କରିଛନ୍ତି । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ରାଜ୍ୟସ୍ତରରୁ ସ୍ଵତନ୍ତ୍ର ଭାବେ ୨ଟି ରାପିଡ ଆକ୍ସନ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜିଲ୍ଲା ଟିମ୍ ସହିତ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଜ୍ୟସ୍ତରୀୟ ଟିମ୍ ରେ ଡାକ୍ତର, ମାଇକ୍ରୋବାୟୋଲୋଜି ବିଶେଷଜ୍ଞ, ସଂକ୍ରାମକ ରୋଗ ବିଜ୍ଞାନୀ ଆଦିଙ୍କୁ ସାମିଲ କରାଯାଇଛି । ସମନ୍ୱିତ ରୋଗ ନିରୀକ୍ଷଣ ପରିଯୋଜନାର ଯୁଗ୍ମ ନିର୍ଦ୍ଦେଶକ ନିଜ ଟିମ୍ ସହ ମଧ୍ୟ କ୍ଷେତ୍ର ଅନୁଧ୍ୟାନ କରୁଛନ୍ତି ।
ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ଯାଜପୁର ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ପ୍ରଭାବିତ ଅଞ୍ଚଳରେ ବିଶେଷଜ୍ଞ ସେବା ନିମନ୍ତେ ନିୟୋଜନ କରାଯାଇଛି । ସଂକ୍ରମିତ ହୋଇଥିବା ରୋଗୀମାନଙ୍କୁ ଧର୍ମଶାଳା, ଯାଜପୁର ରୋଡ, ଦାନଗଦି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଏହି ଚିକିତ୍ସାଳୟମାନଙ୍କୁ ଯଥେଷ୍ଟ ପରିମାଣର ଔଷଧ, ସାଲାଇନ, ଇଞ୍ଜେକସନ ଆଦି ସହ ଅଧିକ ମାନବ ସମ୍ବଳ ଯୋଗାଇ ଦିଆଯାଇଛି । ଗୁରୁତର ରୋଗୀମାନଙ୍କୁ କଟକ ବଡ଼ ମଡ଼ିକାଲରେ ଚିକିତ୍ସା କରାଯାଉଛି । ରେଫର ହୋଇଆସିଥିବା ରୋଗୀମାନଙ୍କ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ଏସ୍.ସି.ବି ର ଅଧ୍ୟକ୍ଷଙ୍କୁ କୁହାଯାଇଛି ।
ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଟିମ୍ କ୍ଷେତ୍ରସ୍ତରରେ ସମସ୍ତ ପାନୀୟ ଜଳ ସ୍ରୋତ ଓ ଜଳ ଉତ୍ସକୁ ବିଶୋଧିତ କରୁଛନ୍ତି । ଖାଦ୍ୟ ତନଖି ଟିମ୍ ଏବଂ ରୋଗ ନିରୀକ୍ଷଣ ଟିମ୍ କ୍ଷେତ୍ରସ୍ତରରେ ସେମାନଙ୍କର କାର୍ଯ୍ୟକ୍ରମକୁ ସଘନ କରିଛନ୍ତି । ତୃଣମୂଳ ସ୍ତରରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ଉପକେନ୍ଦ୍ର, ଆଶାକର୍ମୀ, ଅଙ୍ଗୱାଡ଼ି କର୍ମୀ, ବହୁମୁଖି ସ୍ଵାସ୍ଥ୍ୟକର୍ମୀ ମାନଙ୍କୁ ଯଥେଷ୍ଟ ପରିମାଣର ହାଲୋଜେନ୍ ବଟିକା, ଓ.ଆର.ଏସ୍ ପ୍ୟାକେଟ, ଔଷଧ ଓ ସଚେତନତା ବାର୍ତ୍ତା ସମନ୍ୱିତ ସୂଚନାପତ୍ର ଆଦି ଲୋକମାନଙ୍କ ମଧ୍ୟରେ ବଣ୍ଟନ ପାଇଁ ଯୋଗାଇ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଦ୍ଵାରା ଗଣ ସଚେତନତା, ମାଇକ ମାଧ୍ୟମରେ ସୂଚନା ପ୍ରଚାର ଆଦି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।
ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେବା, ବାହାରର ଦୂଷିତ ଖାଦ୍ୟ ନ ଖାଇବା, ନିରାପଦ ଜଳ ପିଇବା ଏବଂ ସ୍ଵାସ୍ଥ୍ୟ ସୁରକ୍ଷା ଜନିତ ଅଭ୍ୟାସ ଆଦିକୁ ଆପଣେଇବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । କ୍ଷେତ୍ରସ୍ତରୀୟ ବାସ୍ତବ ସ୍ଥିତିକୁ ସକ୍ରିୟ ଭାବେ ଅନୁଧ୍ୟାନ, ନିରୀକ୍ଷଣ ଓ ପରିଚାଳନା କରାଯାଉଛି ।

0
0
0
s2sdefault